ପୋଖରୀରେ ବୁଡି ୨ ଛାତ୍ରଙ୍କ ମୃତୁ୍ୟ

କେନ୍ଦ୍ରାପଡ଼ା, ୦୫/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖୁରୁଷିଆ ଗ୍ରାମ ପଂଚାୟତର ବାନ୍ଧକୁଦ ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତୁ୍ୟô ହୋଇଯାଇଛି । ମୃତ ଛାତ୍ରଦ୍ୱୟ ହେଉଛନ୍ତି ବାନ୍ଧକୁଦ ଗ୍ରାମର ସଞ୍ଜୟ ମହାପାତ୍ରଙ୍କ ପୁଅ ଦୁର୍ଗାପ୍ରସାଦ (୧୨) ଓ ମାନସ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୧୩) । ଖବର ଅନୁଯାୟୀ୨ଜଣ ଛାତ୍ର ସ୍ଥାନୀୟ ଉପ୍ରା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ।

ଗତକାଲି ଛାତ୍ରଦ୍ୱୟ ବିଦ୍ୟାଳୟରୁ ଫେରି ଘରକୁ ନଯାଇ ଗ୍ରାମରେ ହେଉଥିବା ଯଜ୍ଞ ନିକଟକୁ ଯାଇଥିଲେ । କିନ୍ତୁ ସେମାନେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ଉଭୟ ପରିବାରର ସନ୍ଦେହ ଉପୁଜି ଥିଲା । ଫଳରେ ପରିବାର ଲୋକମାନେ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଆରମ୍ଭ କରିଥିଲେ । କିନ୍ତୁ ସେମାନଙ୍କ କୋଣସି ପତା ମିଳି ନଥିଲା ।

ରାତି ପ୍ରାୟ ଗୋଟାଏ ସମୟରେ ସେମାନଙ୍କ ସାଇକେଲ ଗ୍ରାମ ଠାରୁ ପ୍ରାୟ ୨ କିଲୋମିଟର ଦୂର ବ୍ରହ୍ମାଣୀ ମନ୍ଦିର ନିକଟରେ ଥିବା ଦେଖିବାକୁ ମିଳିଥିଲା । ଫଳରେ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ତେଣୁ ଗ୍ରାମର କେତେକ ସାହସୀ ଲୋକ ମନ୍ଦିର ନିକଟରେ ଥିବା ପୋଖରୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରଥମେ ଜଣେ ଛାତ୍ର ଓ ପରେ ଆଉ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା ।

ଏ ନେଇ ସ୍ଥାନୀୟ ଲୋକେ ମାର୍ଶାଘାଇ ଥାନାକୁ ଖବର ଦେଇଥିଲେ । ରାତି ହୋଇଯାଇଥିବାରୁ ପୋଲିସ ବୁଧବାର ସକାଳେ ଘଟଣା ସ୍ଥଳରେ ପହଂଚି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲା । ଏହି ଘଟଣାକୁ ନେଇ ସମଗ୍ର ପଂଚାୟତରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *