ଆକ୍ରମଣର ଶିକାର ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ
କେନ୍ଦ୍ରାପଡା, ୦୪/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ପଂଚୟାତର ସମଲପୁର ଗ୍ରାମର ଜନୈକ ମହିଳାଙ୍କୁ ଗାଁଦାଣ୍ଡରେ ଉଲଗ୍ନ କରି ମାଡ ମାରିବା ଘଟଣାରେ ସଦର ଥାନା ପୋଲିସ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟଚକିତ କରିଛି । ସେହିପରି ମହିଳା ଜଣକ ପ୍ରଥମେ ଅଭିଯୋଗପତ୍ର ଦେଇଥିବା ବେଳେ ତାଙ୍କ ଅଭିଯୋଗପତ୍ରକୁ ପୋଲିସ ଗୌଣ କରିଦେଇଛି ।
ଅପରପକ୍ଷରେ ଯେଉଁମାନେ ମହିଳାଙ୍କୁ ଉଲ୍ଲଗ୍ନ କରି ମାଡମାରିଲେ ସେମାନଙ୍କ ଅଭିଯୋଗକୁ ପୋଲିସ ଗୁରୁତ୍ୱ ଦେଇଛି । ଫଳରେ ଆକ୍ରମଣକାରୀଙ୍କ ଅଭିଯୋଗକୁ ଭିତିକରି ୧୧୨/୨୦୨୫ ରେ ସଂପୃକ୍ତ ମହିଳାଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିଛି । ଅପରପକ୍ଷରେ ମହିଳାଙ୍କ ଅଭଯୋଗକୁ ଭିତିକରି ପୋଲିସ ୧୧୩/୨୦୨୫ରେ ଅନ୍ୟ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଅଭିଯୁକ୍ତଦ୍ୱୟ ହେଲେ ୱାର୍ଡସଭ୍ୟ ରଞ୍ଜନ ସ୍ୱାଇଁ ଓ ଅନ୍ୟ ଜଣେ ଅଭିଯୁକ୍ତ ନରହରି ସ୍ୱାଇଁ । ପୋଲିସର ସୂଚନା ଅନୁଯାୟୀ ପୂର୍ବ ଶତୃତାକୁ କେନ୍ଦ୍ରକରି ସୋମବାର ଏହି ଗ୍ରାମର କେତେକ ଅଭିଯୁକ୍ତ ଜଣେ ମହିଳାଙ୍କୁ ତାଙ୍କ ଘର ସମ୍ମୁଖରେ ଉଲଗ୍ନ କରି ମାଡ଼ ମାରିଥିଲେ । ଏ ନେଇ ସଂପୃକ୍ତ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲା । ଏ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସଦର ଥାନା ଅଧିକାରୀ ବିମଳ ମଲ୍ଲି୍ଲିକ କହିଛନ୍ତି । ଆକ୍ରମଣର ଶିକାର ମହିଳାଙ୍କ ବିରୁଦ୍ଧରେ ପ୍ରଥମ ମାମଲା କାହିଁକି ରୁଜୁ କରାଗଲା ବୋଲି ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ବିଶ୍ୱଭୂଷଣ ସାହାଣୀଙ୍କୁ ପଚାରିବାରୁ ସେ କହିଲେ ମହିଳା ଜଣକ ଜଣେ ଅଭିଯୁକ୍ତକୁ କାମୁଡି ଦେଇଥିବାରୁ ପ୍ରଥମେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।
