କେନ୍ଦ୍ରାପଡା, ୦୧/୦୩/୨୦୨୫(ଓଡ଼ିଶା ସମାଚାର)- ଜିଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି (ଦିଶା)ର ଦ୍ୱିତୀୟ ବୈଠକ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲା ପରିଷଦ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବ ବୈଠକରେ ଆଲୋଚିତ ହୋଇଥିବା ବିଷୟବସ୍ତୁ ଯଥା ଜଳ ଜୀବନ ମିଶନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ବଦ୍ଧୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯାଇଥିଲା । ଏହାପରେ ଆଜିର ବିଷୟବସ୍ତୁ ଯଥା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନ ଅଗ୍ରଗତିର ସମୀକ୍ଷା କରାଯାଇଥିଲା ।
ସମସ୍ତ ଯୋଜନାଗୁଡିକର ସଫଳ ରୂପାୟନ ଏବଂ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟଗୁଡିକର ସମାପନ ତଥା ବିନିଯୋଗ ପତ୍ର ଦାଖଲ ଉପରେ ସାଂସଦ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ରାଜନଗର ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ ରାଜନଗର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ସାହୁ କହିଥିଲେ ଯେ ରାଜନଗର ବ୍ଲକର ବିଭିନ୍ନ ମଣ୍ଡିରେ ମିଲରମାନେ ଧାନ ଉଠାଇବାରେ ବିଳମ୍ବ କରୁଥିବାରୁ ଚାଷୀଙ୍କ ଧାନ ଫିମ୍ପିମାରି ଗଜା ହେବାକୁ ବସିଲାଣି । ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳ ବେସାମରିକ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହିତ ରାଜନଗର ବ୍ଲକରେ ବିଗତବାତ୍ୟା ‘ଦାନା’ର ଇନପୁଟ୍ ସବସିଡି ଚାଷୀମାନଙ୍କୁ ମିଳିନଥିବା ସମ୍ପର୍କରେ ଶ୍ରୀ ସାହୁ ଅଭିଯୋଗ କରିଥିଲେ । ଏସମ୍ପର୍କରେ ସାଂସଦ ଶ୍ରୀ ପଣ୍ଡା ପଟ୍ଟାମୁଣ୍ଡାଇ ଜିଲା କୃଷି ଅଧିକାରୀଙ୍କୁ ପଚାରିଥିଲେ ମଧ୍ୟ ସେ କୌଣସି ସନ୍ତୋଷଜନକ ଉତର ଦେଇପାରିନଥିବାରୁ ସାଂସଦ ବିରକ୍ତି ପ୍ରକାଶ କରିଥିଲେ ।
ସିଂହଗାଁ ପଂଚାୟତରେ ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସଠିକ ଭାବରେ ଚାଲୁନଥିବା ଓ ଛାତ୍ରଛାତ୍ରୀଙ୍କ ପୋଷାକ ବଂଟନ ହୋଇନଥିବା ଅଭିଯୋଗ କରିଥିଲେ । ବାରମ୍ବାର ବିଭିନ୍ନ ସରକାରୀ ବୈଠକରେ ଓ ତାଙ୍କ କାର୍ଯ୍ୟାଳୟରେ ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଅନୁପସ୍ଥିତ ରହୁଥିବା ନେଇ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଉଥିବାରୁ ଆଗାମୀ ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ଜିଲାର ବିଭିନ୍ନ ଅଂଚଳରେ ନଳକୂପ ଖୋଳାଯିବାକୁ ସଦସ୍ୟମାନେ ଦାବି କରିଥିଲେ ।
ଉକ୍ତ ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ,ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ରାଜନଗର ବିଧାୟକଙ୍କ ପ୍ରତିନିଧି ଅରୁଣ କୁମାର ସାହୁ, ବିଭିନ୍ନ ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ପୌରପରିଷଦ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାପଡା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
