ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ସରୋଜ ସାମଲଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଭୁବନେଶ୍ୱର,୨୮/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଏକ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ବିଦାୟୀ ନିର୍ଦେଶକ ଶ୍ରୀ ସାମଲଙ୍କୁ ଅବସକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l  ପ୍ରାୟ ଦୁଇ ବର୍ଷର ଅବଧି ଭିତରେ ନିର୍ଦେଶକ ଶ୍ରୀ ସାମଲ ଲୋକସମ୍ପର୍କ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହିତ ଅଧିକାରୀ ଓ କର୍ମଚାରୀ ମାନଙ୍କର ଅତ୍ୟନ୍ତ ପ୍ରିୟଭାଜନ ଥିଲେ ବୋଲି ଅବସରକାଳୀନ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ବିଭାଗର ନିର୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା ସଭାପତିତ୍ୱ କରିବା ସହିତ ବିଦାୟୀ ନିର୍ଦେଶକଙ୍କ କାର୍ଯ୍ୟଧାରା ଓ ଗୁଣାବଳୀ ଉପରେ ଆଲୋକପାତ କରି କହିଲେ ଯେ ମାତ୍ର ଦୁଇ ବର୍ଷର ଚାକିରୀ ଜୀବନ ଭିତରେ ସେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ଯାଇଛନ୍ତି । ଓଆଇଏସ କ୍ୟାଡର ପୁନର୍ଗଠନ ସହ ବିଭାଗର ପଦବୀ ସଂଖ୍ୟା ବୃଦ୍ଧି ଦିଗରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ।

 ସେହିଭଳି ବିଭାଗର ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସମ୍ପର୍କ ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନୂଆପଡା ଶ୍ରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ନିର୍ଦେଶକ ଶ୍ରୀ ସାମଲଙ୍କ କର୍ମମୟ ଜୀବନ ଏବଂ ବିଭାଗରେ ତାଙ୍କ ସହିତ କାର୍ଯ୍ୟ କରିବାର ମଧୁର ଅନୁଭୂତି, କାର୍ଯ୍ୟ ଦକ୍ଷତା, ସହକର୍ମୀଙ୍କ ପ୍ରତି ଥିବା ସହଯୋଗ ଓ ଅତ୍ମୀୟତା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବହୁ ପ୍ରତିଭାଧାରୀ, ସୁବକ୍ତା, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଭାବେ ଶ୍ରୀ ସାମଲ ବେଶ ପରିଚିତ । ଜଣେ କର୍ତ୍ତବ୍ୟନିଷ୍ଠ, ବିଚାରଶୀଳ  ସର୍ବୋପରି ପ୍ରଚଣ୍ଡ ପ୍ରଶାସନିକ ଦକ୍ଷତା ପାଇଁ  ଏ ବିଭାଗ ତାଙ୍କୁ ସବୁଦିନ ପାଇଁ ମନେ ରଖିବ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ମତ ରଖିଥିଲେ ।

ଏହି ଅବସରରେ ଶ୍ରୀ ସାମଲ ନିଜ ବକ୍ତବ୍ୟ ପ୍ରଦାନ କରି କହିଲେ  କର୍ମ ମଣିଷକୁ ସୁସ୍ଥତା ପ୍ରଦାନ ସହ ଶାନ୍ତି ପ୍ରଦାନ କରିଥାଏ । ଆଉ ସରକାରୀ ଚାକିରୀ ସାଧାରଣ ଲୋକଙ୍କୁ ସେବା କରିବାର ଏକ ସୁଯୋଗ ପ୍ରଦାନ କରିଥାଏ ।

ତେଣୁ ସେବା ମନୋବୃତ୍ତି ନେଇ ନିଜର କର୍ମମୟ ଜୀବନ ସବୁବେଳେ ଆନନ୍ଦ ଦାୟକ ବୋଲି ସେ କହିଥିଲେ । ଏଥି ସହିତ ଶ୍ରୀ ସାମଲ ନିଜର ଛାତ୍ରଜୀବନ ଏବଂ ସରକାରୀ ଚାକିରୀ ଜୀବନର ଯାତ୍ରା ବିଷୟରେ କହିବା ସହ ପିତା ମାତାଙ୍କ ଆଶୀର୍ବାଦ ମଣିଷକୁ କେତେ ଉଚ୍ଚ ସ୍ତରକୁ ନେଇ ପାରେ ସେ ବିଷୟରେ କହିଥିଲେ  ।

ଏହି ଅବସରରେ ସଭାରେ ଅନେକ ବୁଦ୍ଧିଜୀବୀ ଏବଂ ବରିଷ୍ଠ ସାମ୍ବାଦିକ ଯୋଗଦେଇ ଶ୍ରୀ ସାମଲଙ୍କ ସୁଖମୟ ଅବସର ଜୀବନ କାମନା କରିଥିଲେ  ।

ବିଭାଗ ପକ୍ଷରୁ ନିର୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡା ଶ୍ରୀ ସାମଲଙ୍କୁ ପୁଷ୍ପଗୁଛ, ଉପଢୌକନ ଶ୍ରୀମଦ ଭାଗବତ ଗୀତା ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ସେହିପରି ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ନିର୍ଦେଶକ ଶ୍ରୀ ସରୋଜ ସାମଲଙ୍କୁ ମଧ୍ୟ ପୁଷ୍ପଗୁଛ, ଉତ୍ତରୀୟ ଏବଂ ଜଗନ୍ନାଥଙ୍କ ଫଟୋଚିତ ପ୍ରଦାନ ସହିତ ସମ୍ମାନିତ କରାଯାଇଥିଲା  ।

 ଆଜିର ଦିନରେ  ଅବସର ଗ୍ରହଣ କରିଥିବା ଗିରିଜା ନନ୍ଦିନୀ ମିଶ୍ରଙ୍କୁ ବିଭାଗ ପକ୍ଷରୁ ବିଦାୟୀ ନିର୍ଦେଶକ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ସୁଖଦ ଅବସର ଜୀବନ କାମନା କରିଥିଲେ  ।

ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ସାଂସ୍କୃତିକ ପରିଷଦ ପକ୍ଷରୁ ବିଭାଗ ପରିସରରେ ଆୟୋଜିତ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ  ବିଦାୟୀ ନିର୍ଦେଶକ  ଶ୍ରୀ ସାମଲ ବୃକ୍ଷ ଚାରା ରୋପଣ କରିଥିଲେ  ।

ଏହି ଅବସରକାଳୀନ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ନୁପ୍ରିୟା ସାହୁ, ଅତିରିକ୍ତ ନିର୍ଦେଶକ ଶ୍ରୀ ଗୁରୁବୀର ସିଂ, ଯୁଗ୍ମଶାସନ ସଚିବ ସେକ କଲାମୁଦିନ, ଯୁଗ୍ମ ନିର୍ଦେଶକ ଶ୍ରୀ ହେମନ୍ତ ନାୟକ, ଶ୍ରୀମତୀ ସ୍ମିତା କର, ଉପ ନିର୍ଦେଶକ ଦିପ୍ତିମୟୀ ମହାପାତ୍ର, ଲୋକସମ୍ପର୍କ ଅଧିକାରୀ ପଠାଣି ରାଉତଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

-0-

ସୁଜିତ ରଞ୍ଜନ ସ୍ୱାଇଁ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *