ମାର୍ଚ୍ଚ ୨୫ ସୁଦ୍ଧା ଧାନ ସଂଗ୍ରହ ସାରିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଙ୍କ କଡା ନିର୍ଦ୍ଦେଶ

ପୁରୀ/ ଭୁବନେଶ୍ୱର,୨୮/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ପୁରୀ ଜିଲ୍ଲାର ପଞ୍ଜିକୃତ ୪୮୯୬୪ କୃଷକ ଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୨୨୪୮ ଚାଷୀ ଧାନ ବିକ୍ରି କରି ସାରିଲେଣି।ଅବଶିଷ୍ଟ ୧୬୭୧୬  ଚାଷୀ ଙ୍କ ଠାରୁ ମାର୍ଚ୍ଚ ୨୫ ସୁଦ୍ଧା ଧାନ କ୍ରୟ ସାରିବାକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗାଣ ବିଭାଗ ଓ ମିଲର ମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାରେ ଧାନ ସଂଗ୍ରହ ସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମୀକ୍ଷା କରିଥିଲେ। ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ରାଜ୍ୟର ଚାଷୀ ମାନଙ୍କୁ କ୍ୟୁଣ୍ଟାଲ ପିଛା ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସବସିଡ ଦେଉଛନ୍ତି।ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯୧ କୋଟିରୁ ଉର୍ଦ୍ଧ ଟଙ୍କା ଇନପୁଟ ସବସିଡ ହିସାବରେ ଚାଷୀ ପାଇ ସାରିଲେଣି।

ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୧୬୭୧୬ ଚାଷୀ ଧାନ ବିକ୍ରୟ ପାଇଁ ରହିଛନ୍ତି।ଏ ସମସ୍ତ ଚାଷୀ ମାନଙ୍କ ଠାରୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ଧାନ ସଂଗ୍ରହ କରିବା ସହ ସେମାନ ଙ୍କୁ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ଇନପୁଟ ସବସିଡ ରାଶି ସହ ପ୍ରଦାନ କରିବାକୁ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।ଯେମିତି କୌଣସି ଚାଷୀ ତାହାର କଷ୍ଟ ଉପାର୍ଜିତ ଶସ୍ଯ ବିକ୍ରି ରେ ସମସ୍ୟା ର ସମ୍ମୁଖୀନ ନ ହୁଏ ଓ ଧାନ ବିକ୍ରି ରୁ ବଞ୍ଚିତ ନ ହୁଏ ସେଥି ପ୍ରତି ସତର୍କ ରହିବାକୁ ଉପ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *