ଭୁବନେଶ୍ୱର,୨୭/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି କରାଯାଇଛି । ସ୍କୁଲରେ ପାନୀୟଜଳ ବ୍ୟବସ୍ଥା, ପର୍ଯ୍ୟାପ୍ତ ଓଆରଏସ୍ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ହିଟ୍ ୱେଭ ସ୍ଥିତି ମୁକାବିଲା ଲାଗି ଆଗୁଆ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ରାଜ୍ୟର ସମସ୍ତ ସ୍କୁଲରେ ପର୍ଯ୍ୟାପ୍ତ ପାନୀୟଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦିଆଯାଇଛି । କ୍ୟାମ୍ପସ ରେ ଥିବା ନଳକୂ ର ମରାମତି ଆବଶ୍ୟକ ଥିଲେ ତୁରନ୍ତ କରିବାକୁ କୁହାଯାଇଛି । ଏହାସହିତ ପର୍ଯ୍ୟାପ୍ତ ଓଆରଏସ୍ ପ୍ୟାକେଟ୍ ରଖିବା, ଆଉଟଡୋର୍ ଗତିବିଧି ଉପରେ କଟକଣା ଲଗାଇବା ନେଇ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ୍ରବାହ ଟିପ୍ସଦେବାକୁ ମଧ୍ୟ ଚିଠିରେ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ବିଭିନ୍ନ ସ୍ତରରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ନେଇ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ପାନୀୟଜଳର ଉପଲବ୍ଧତା ରହିବା ଆବଶ୍ୟକ ।
ଆବଶ୍ୟକସ୍ଥଳେ ବିଦ୍ୟାଳୟ ପରିସରରେ ଥିବା କୂପ ନଳକୂଅ ଗୁଡ଼ିକ ମରାମତି କରିବା ପାଇଁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ଓଆରଏସ୍ ପ୍ୟାକେଟ୍ ବିଦ୍ୟାଳୟରେ ରଖିବା ଆବଶ୍ୟକ । ଯାହା ତୁରନ୍ତ ଜରୁରିକାଳୀନ ଆବଶ୍ୟକ ପଡ଼ିଲେ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲର କର୍ମଚାରୀଙ୍କୁ ପ୍ରଦାନ କରାଯିବ । ବାହ୍ୟ କାର୍ଯ୍ୟକଳାପକୁ ସୀମିତ ରଖିବା ପାଇଁ ସ୍କୁଲଗୁଡ଼ିକୁ ନିର୍ଦ୍ଧେଶ ଦିଆଯାଇଛି । ଖରା ସମୟରେ ପିଲାମାନଙ୍କୁ ବାହାରେ ଖେଳକୁଦ କରିବାକୁ ବାରଣ କରାଯାଇଛି । ବିଦ୍ୟାଳୟ ବା କଲେଜ ଯିବାବେଳେ ପିଲାମାନଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକଙ୍କୁ କୁହାଯାଇଛି ।
ଏନେଇ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହିଟ୍ ୱେଭ ସତର୍କତା ଟିପ୍ସ ଦେବା ସହିତ ସଚେତନତା କରାଇବାକୁ କୁହାଯାଇଛି । ମେଡିସିନ୍, ସାଲାଇନ୍, ଓଆରଏସ୍ ଗଚ୍ଛିତ ରଖିବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ବିଭିନ୍ନ ଡାକ୍ତରଖାନାରେ ସନ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ହସ୍ପିଟାଲ୍ ରେ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରଣ ୱାର୍ଡ /ବେଡ୍ କରାଯିବ । ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଓଆରଏସ୍ ଗଚ୍ଛିତ ରଖିବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି ।
ସନ୍ ଷ୍ଟ୍ରୋକକୁ ନେଇ ଯଦି କାଜୁଆଲିଟି ବିଷୟରେ କୌଣସି ସୂଚନା ଗ୍ରହଣ କରାଯାଏ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଏ ତେବେ ତୁରନ୍ତ ଏ ଦିଗରେ ତଦନ୍ତ କରିବା ପାଇଁ କୁହାଯାଇଛି ।