ସାଇବାବା ସଂସ୍ଥାନକୁ ଗୁରୁଜୀଙ୍କ ଦ୍ୱାରା ବିରଳ ପୁସ୍ତକ ଦାନ
ଶିରିଡ଼ି/ଭୁବନେଶ୍ୱର,୨୭/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଶିରିଡ଼ି ଠାରେ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ଦ୍ୱାରା ନବନିର୍ମିତ ଲାଇବ୍ରେରୀକୁ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଆଜି ଉଦଘାଟନ କରିଛନ୍ତି । ଏହା ସହିତ ସଂସ୍ଥାନର ଅନୁରୋଧକ୍ରମେ ଗୁରୁଜୀ ଦୀର୍ଘବର୍ଷରୁ ଯତ୍ନ ସହକାରେ ସାଇତି ରଖିଥିବା ଶହେବର୍ଷ ତଳର ପୁରୁଣା ଦୁର୍ଲଭ ସାଇ ସାହିତ୍ୟ ସଂକ୍ରାନ୍ତ ପତ୍ରପତ୍ରିକାକୁ ସଂସ୍ଥାନକୁ ଦାନ କରିଛନ୍ତି ।
ଏହି ଉପଲକ୍ଷେ ସଂସ୍ଥାନ ପରିସର ସଭାକକ୍ଷରେ ଆଜି ପୂର୍ବାହ୍ନରେ ଏକ ସଂକ୍ଷିପ୍ତ ସଭାର ଆୟୋଜନ କରାଯାଇଥିଲା । ଶ୍ରୀ ସାଇବାବା ସଂସ୍ଥାନ ପକ୍ଷରୁ ପ୍ରକାଶିତ ମାସିକ ପତ୍ରିକା ‘ସାଇଲୀଳା’ର ଯେଉଁ ୧୫ ବର୍ଷର ପୁରୁଣା ସଂଖ୍ୟାଗୁଡ଼ିକ ସଂସ୍ଥାନ ନିକଟରେ ଉପଲବ୍ଧ ନଥିଲା, ସେହି ସଂଖ୍ୟାଗୁଡ଼ିକର ଉଭୟ ମୁଦ୍ରଣ ଓ ଡିଜିଟାଲ ସଂସ୍କରଣ ଗୁରୁଜୀ ଡ. ଶତପଥୀ ସଂସ୍ଥାନକୁ ପ୍ରଦାନ କରିଥିଲେ ।
ଏହା ସହିତ ଶ୍ରୀସାଇବାବାଙ୍କ ଜୀବନ କାଳରେ ପ୍ରକାଶ ପାଉଥିବା ‘ଶ୍ରୀସାଇନାଥ ପ୍ରଭା’ର ୧୯୧୯ ମସିହାର ସଂସ୍କରଣକୁ ସଂସ୍ଥାନକୁ ପ୍ରଦାନ କରିଥିଲେ । ପୂର୍ବରୁ ଶ୍ରୀ ସାଇବାବାଙ୍କ ମହାପ୍ରୟାଣର ଶହେବର୍ଷ ପୂର୍ତି ଅବସରରେ ୨୦୧୭ ମସିହାରେ ଗୁରୁଜୀ ଶ୍ରୀସାଇନାଥ ପ୍ରଭାର ୧୯୧୬ ବର୍ଷର ସଂସ୍କରଣକୁ ସଂସ୍ଥାନକୁ ପ୍ରଦାନ କରିଥିଲେ ।
ସଂସ୍ଥାନର ସିଇଓ ଗୋରକ୍ଷ ଗାଡ଼ିଲକର, ଆଇ.ଏ.ଏସ. ବିଶ୍ୱବ୍ୟାପୀ ସାଇଲୀଳାର ପ୍ରଚାର ଓ ପ୍ରସାରରେ ଗୁରୁଜୀଙ୍କ ମହତ୍ୱପୂର୍ଣ୍ଣ ଅବଦାନର ଭୂୟସୀ ପ୍ରଶଂସା କରି ସଂସ୍ଥାନ ପକ୍ଷରୁ ତାଙ୍କୁ ଉପଢ଼ୌକନ, ମାନପତ୍ର ଓ ବାବାଙ୍କର ପ୍ରତିମା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହିସବୁ ବିରଳ ଓ ଦୁଷ୍ପ୍ରାପ୍ୟ ପୁସ୍ତକ ଗୁରୁଜୀ ସଂସ୍ଥାନକୁ ପ୍ରଦାନ କରିଥିବାରୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ଏହାଦ୍ୱାରା ଅଗଣିତ ସାଇଭକ୍ତ ଉପକୃତ ହେବେ ବୋଲି ସେ କହିଥିଲେ ।
ଏହି ଉତ୍ସବରେ ବରିଷ୍ଠ ଆଇ.ଏ.ଏସ., ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ସଂସ୍ଥାନର ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।