କେନ୍ଦ୍ରାପଡା, ୦୭/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାରୁ ରେଳବାଇ ଡାକସେବା ଉଛେଦ ନକରିବା ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡାକସେବା କାର୍ଯ୍ୟାଳୟର କର୍ମଚାରୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଜିଲାର ମହିପାଳ ଠାରେ ୧୯୭୭ମସିହାରୁ ଅଦ୍ୟାବଧି ଏକ ରେଳବାଇ ଡାକସେବା କାର୍ଯ୍ୟାଳୟ ଚାଲୁଅଛି । ଏହି କାର୍ଯ୍ୟାଳୟ ଅଧିନରେ ଜିଲାର ୯ଗୋଟି ବ୍ଲକ ଓ ଦୁଇ ଗୋଟି ପୌରାଂଚଳରେ ଥିବା ୩୧ଟି ଡାକଘରର ଡାକସେବା କାର୍ଯ୍ୟ ଚାଲୁଅଛି । ସମଗ୍ର ଜିଲାର ଡାକଘର ଗୁଡିକରୁ ଯେଉଁ ସବୁ ଚିଠିପତ୍ର ଆସେ ସେଗୁଡିକ ଏହି କାର୍ଯ୍ୟାଳୟ ମାଧ୍ୟମରେ ଦୂର ଦୂରାନ୍ତର ଲୋକଙ୍କ ନିକଟରେ ପହଂଚି ଥାଏ । କିନ୍ତୁ ଏବେ ଓଡିଶା ସର୍କଲର ମୁଖ୍ୟ ଡାକପାଳ ନିଷ୍ପତି ନେଇଛନ୍ତି ଯେ ଏହି କାର୍ଯ୍ୟାଳୟକୁ ଏଠାରୁ ଉଛେଦ କରି କଟକ ସର୍କଲ ସହିତ ଯୋଡି ଦେବା ପାଇଁ । ଏହାଦ୍ୱାରା ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ହଇରାଣ ହରକତ ହେବେ । ଏହାସହ ଜିଲାବାସୀ ମଧ୍ୟ ସମସ୍ୟାରେ ପଡିବେ । କାରଣ ଭୌଗଳିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଜିଲା ସହ ପାରାଦୀପ ପୋର୍ଟ, ଧାମରା ପୋର୍ଟ ଯୋଡି ହୋଇଛି । ଏହାସହ ଏହି ଜିଲାର ମହାକାଳପଡା ଠାରେ ଏକ ନଦୀ ଭିତିକ ବନ୍ଦର ନିର୍ମାଣ ପାଇଁ ଯୋଜନା ରହିଛି । ସେହିପରି ନିପନ ଷ୍ଟିଲ କାରଖାନା ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଗଲାଣି । ଏହି କାରଖାନା ନିର୍ମାଣ ହୋଇଯିବା ପରେ ଦେଶ ବିଦେଶର ହଜାର ହଜାର କର୍ମଚାରୀ ଏଠାରେ ବାସ କରିବେ । ସେମାନଙ୍କର ଡାକସେବାର ଆବଶ୍ୟକତା ରହିବ । ସେହିଭଳି ଭିତରକନିକା ଜାତୀୟ ଉଦ୍ୟାନ ଏହି ଜିଲାରେ ଅବସ୍ଥିତ । ପ୍ରତିଦିନ ଏଠାକୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଆସିଥାନ୍ତି । ଚଳିତମାସ ୮ରୁ ୧୦ତାରିଖ ତିନିଧରି ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ । ଫଳରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଭିତରକନିକା ବୁଲିବାକୁ ଆସିବେ । ତେଣୁ ସେମାନେ ମଧ୍ୟ ଡାକସେବା ଉପରେ ନିର୍ଭର କରିବେ । ଏହିସବୁ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲାରେ କାର୍ଯ୍ୟ କରୁଥିବା ରେଳ ଡାକସେବା କାର୍ଯ୍ୟାଳୟର ଗୁରୁତ୍ୱ ରହିଛି । ତେଣୁ ଏହି କାର୍ଯ୍ୟାଳୟକୁ ଏଠାରୁ ଉଠାଇ କଟକ ସର୍କଳ କାର୍ଯ୍ୟାଳୟ ସହିତ ନଯୋଡିବା ପାଇଁ କାର୍ଯ୍ୟାଳୟର କର୍ମଚାରୀ ଓ ଜିଲାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
କେନ୍ଦ୍ରାପଡାରୁ ଆରଏମଏସ ସେବା ଉଛେଦ ନକରିବାକୁ ସାଂସଦଙ୍କୁ ଦାବିପତ୍ର
