୨୦୦ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର,୨୦/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପୁଲୱାମା ସହିଦ୍ ବୀର ଯବାନଙ୍କ ସ୍ମୃତିରେ ଅଲ୍ ଓଡ଼ିଶା କଂଟ୍ରାକ୍ଟର ୱେଲଫେୟାର୍ ଆସୋସିଏସନ୍ (ଏଓସିଡବ୍ଲୁ୍ୟଏ) ଓ ଅଲ୍ ଓଡ଼ିଶା କଂଟ୍ରାକ୍ଟର ଆସୋସିଏସନ୍ (ଏଓସିଏ) ଏବଂ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟିର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚୁ୍ୟଟ୍ ଅଫ୍ ଇଞ୍ଜିନିୟର୍ସ ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ଅନୁଷ୍ଠିତ ଏହି ଶିବିରରେ ମୋଟ ୨୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଧେଶ୍ୟରେ ରକ୍ତଦାନ କରି ଆଗେଇ ଆସିଥିବା ସ୍ୱେଚ୍ଛାସେବୀ, ଦାତା ଓ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ବହୁ ମାତ୍ରାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଶିବିରକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ରର ବିଧାୟକ ବାବୁ ସିଂ, ବିଧାୟକ ଇରାସିସ୍ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉଦ୍ଘାଟନ କରିଥିଲେ । ଏଓସିଡବ୍ଲୁ୍ୟଏର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏଭଳି ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ରକ୍ତଦାନ ହେଉଛି ଏକ ମହତ କାମ । ଏହି ଶିବିରରେ ଇଞ୍ଜିନିୟର୍, କଂଟ୍ରାକ୍ଟର, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କ ସମେତ ବିଭିନ୍ନ ବ୍ୟକ୍ତି ସକ୍ରିୟ ଅଂଶଗ୍ରହଣ କରିଥିବା ସହିତ ଅନେକ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ । ରବି ନାରାୟଣ ନାୟକ ଧନ୍ୟବାଦ୍ ଦେଇ କହିଲେ ଯେ ଆଜି ଦାନ କରାଯାଇଥିବା ପ୍ରତ୍ୟେକ ରକ୍ତ ବୁନ୍ଦା ଜୀବନ ବଂଚାଇବା ଦିଗରେ ଏକ ପଦକ୍ଷେପ ।

ଏକାମ୍ରର ବିଧାୟକ ବାବୁ ସିଂ ମଧ୍ୟ ସମର୍ଥନ ଜଣାଇ କହିଛନ୍ତି ଯେ ଏହି ରକ୍ତଦାନ ଶିବିର କେବଳ ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ଏହା ସ୍ମରଣ କରାଇ ଦେଉଛି ଯେ ଆମେ ସବୁ ପ୍ରକାର ଦେଶ ସେବା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍ । ବିଧାୟକ ଇରାସିସ୍ ଆଚାର୍ଯ୍ୟ ଦାତା ଓ ସ୍ୱେଚ୍ଛାସେବୀଙ୍କ ଉତ୍ସାହକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏଭଳି ଆହୁରି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଭୁବନେଶ୍ୱର ଉତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ସମାନ ଭାବନା ପ୍ରକାଶ କରି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଆମ ଦେଶପ୍ରେମକୁ କିପରି ଅର୍ଥପୂର୍ଣ୍ଣ କାର୍ଯ୍ୟରେ ପରିଣତ କରିାରିବା ତାହାର ଉଦାହରଣ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *