କେନ୍ଦ୍ରାପଡ଼ା ଜିଲା ସ୍ତରୀୟ ନିଯୁକ୍ତି ମେଳାରେ ୬୦ ସଂସ୍ଥା

୧୫୭୫ ଜଣଙ୍କ ମଧ୍ୟରୁ ୭୫୭ ଚାକିରୀ ପାଇଁ ମନୋନୀତ, ୩୯ ଜଣଙ୍କୁ ନିଯୁକ୍ତି ପତ୍ର ବଂଟନ
କେନ୍ଦ୍ରାପଡ଼ା,୧୯/୦୨/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଜିଲାସ୍ତରୀୟ ନିଯୁକ୍ତି ମେଳା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲା ସ୍ତରୀୟ ନିଯୁକ୍ତି ମେଳାକୁ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଜିଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ଏହି ନିଯୁକ୍ତି ମେଳାର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଥିବା ଚାକିରୀ ଆଶାୟୀ ଯୁବକ ଓ ଯୁବତୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ନିଯୁକ୍ତି ମେଳାରେ ମେଡପ୍ଲସ, ଅରବିନ୍ଦ ଲିମିଟେଡ, ଅସ୍ମିତା ହଲିଡେ, ଏସଏସଡିପି କଂସଲ୍ଟିଂ ଆଣ୍ଡ ସର୍ଭିସେସ ପ୍ରାଇଭେଟ ଲିମିଟେଡ, ଅନୁଦିପ ଫାଉଣ୍ଡେସନ, ମୁକ୍ତି ସେବା ଫାଉଣ୍ଡେସନ, ସାହି ଏକ୍ସପର୍ଟ, କେଏଲଆର ଗ୍ରୁପ, ପିନାକଲ ଏଚଆର, ମଦର ସନ ସୁମୀ, ଏସ ଆଣ୍ଡ ଏନ ଷ୍ଟାଫିଙ୍ଗ, ପାୟିକ୍ ସେଂଟିନେଲ, ସୁରକ୍ଷା ହେଲଥ କେୟାର, ସହନ କ୍ଲୋଥିଂ, ଅରେଞ୍ଜ କ୍ରସ, ଗ୍ରାମ ତରଙ୍ଗ ଆଦି ୬୦ ଗୋଟି ନିଯୁକ୍ତି ପ୍ରଦାନକାରୀ ଓ ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ ।

ଏହି ନିଯୁକ୍ତି ମେଳାରେ ୧୫୭୫ ଜଣ ଚାକିରୀ ଆଶାୟୀ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ ଏବଂ ୭୫୭ ଜଣ ଆଶାୟୀ ଯୁବକଯୁବତୀ ଅଂଶଗ୍ରହଣ କରିଥିବା ଚାକିରୀ ପ୍ରଦାନକାରୀ ସଂସ୍ଥା ଦ୍ୱାରା ଚାକିରୀ ପାଇଁ ମନୋନୀତ ହୋଇଥିଲେ ଏବଂ ୩୯ ଜଣ ଯୁବକଯୁବତୀଙ୍କୁ ଉପସ୍ଥିତ ଥିବା ଅତିଥିମାନଙ୍କ ଦ୍ୱାରା ନିଯୁକ୍ତି ପତ୍ର ବଂଟନ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଉପ ଜିଲାପାଳ ଅରୁଣ ନାୟକ, ସରକାରୀ ପଲିଟେକନିକ୍ କେନ୍ଦ୍ରାପଡ଼ାର ଅଧ୍ୟକ୍ଷ ଗୁଣନିଧି ପ୍ରଧାନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ସଞ୍ଜୟ କୁମାର ରଥ ପ୍ରମୁଖ ଯୋଗଦେଇ ଆଶାୟୀ ଯୁବକଯୁବତୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଏହି ନିଯୁକ୍ତି ମେଳାରେ ଜିଲା ମୁଖ୍ୟ କୃଷି ଅଧିକାରୀ, ଅଧ୍ୟକ୍ଷ, ସରକାରୀ ଆଇଟିଆଇ, ପଟ୍ଟାମୁଣ୍ଡାଇ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତ୍ରିଭୁବନ ଜୟସିଂ ଏବଂ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଉପସ୍ଥିତ ଥିବା ଅତିଥିମାନେ ଦକ୍ଷତା ବିକାଶ ମାଧ୍ୟମରେ ଆଶାୟୀ ଯୁବକ ଓ ଯୁବତୀମାନେ କିଭଳି ନିଜର ଜୀବିକା ଅର୍ଜନ କରିପାରିବେ ଏବଂ ଆର୍ଥôକ ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମାନବ ସମ୍ବଳର ବିକାଶ ସହ ଅର୍ଥନୈତିକ ସ୍ୱଚ୍ଛଳତା ପାଇଁ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲା ଦକ୍ଷତା ବିକାଶ କାର୍ଯ୍ୟାଳୟର ୱାୟି.ପି ରିଚା ବିଶ୍ୱାଳ, ସିଏମଏସଡିଏଫ ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ଜିତେନ୍ଦ୍ର କୁମାର ସେଠୀ, ଆଶୁତୋଷ ତ୍ରିପାଠୀ ଏବଂ ହରିଚନ୍ଦନ ରାଉତ ପ୍ରମୁଖ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ମେଳାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *