ପାଟକୁରା ୧୯/୦୨/୨୦୨୫ (ଓଡିଶା ସମାଚାର)- ଗରଦପୁର ବ୍ଳକ ଅଂଚଳରେ ଅଦିନିଆ ବର୍ଷାଯୋଗୁ ଧାନ ଅମଳରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ । ଏହି କ୍ଷତିକୁ କେତେକାଂଶରେ ଭରଣା କରିବାପାଇଁ ରାଜ୍ୟ ସରକାର ଧାନ ଚାଷ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା ଯୋଜନାରେ ଗରଦପୁର ବ୍ଳକ ଅଂଚଳରେ ବ୍ୟାପକ ମୁଗ ଚାଷ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
ଏହି ଯୋଜନା ଅନୁସାରେ ଚାଷୀମାନେ ସମସ୍ତ ଗ୍ରାମପଞ୍ଚାୟତରେ ମୁଗ ଚାଷ କରିଛନ୍ତି । ବେଡାରୀ ଗ୍ରାମପଂଚାୟତର ପରକଣା ଗ୍ରାମର ଚାଷୀମାନେ ମଧ୍ୟ ମୁଗ ଚାଷ କରିଛନ୍ତି । ଆଜି ପୂର୍ବାହ୍ନରେ ପରକଣା ଜାଗେଶ୍ବରୀ ମନ୍ଦିର ପରିସରରେ ଗରଦପୁର କୃଷି ବିଭାଗ ତରଫରୁ ଏକ କୃଷକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା । ବ୍ଳକ କୃଷି ଅଧିକାରୀ ଡକ୍ଟର ଗୌତମ ଦାଶଙ୍କ ଅଧ୍ୟକ୍ଷତାରେ ସହକାରୀ କୃଷିଅଧିକାରୀ ଅନିରୁଦ୍ଧ ତରାଇ, ଗ୍ରାମ କୃଷି କର୍ମଚାରି ଆରତୀ ଖୁଜୁର, ପ୍ରମୁଖ ଉପସ୍ଥିତ ରହି ପରକଣା ଗ୍ରାମର ଆଗୁଆ ମୁଗ ଚାଷୀ ମାନଙ୍କୁ ମୁଗଚାଷରେ ରୋଗ ପୋକ ପରିଚାଳନା ସମ୍ପର୍କରେ ବୁଝାଇଥିଲର ।
ମୁଗ ଚାଷରେ ସାହେବା ରୋଗ ହେଲେ ମୁଗ ଗଛରେ ପତ୍ର ଗୁଡିକ ହଳଦିଆ ହୋଇଯାଏ ବୋଲି ବ୍ଲକ କୃଷି ଅଧିକାରୀ ଡକ୍ଟର ଦାଶ ସୂଚନା ଦେଇଥିଲେ । ଏହିରୋଗ ଆରମ୍ଭ ହେଲେ ପତ୍ରର ସବୁଜ କଣିକା ସବୁ ନଷ୍ଟହୋଇଯାଏ । ଉତ୍ପାଦନ କମିଯାଏ । ନିରାକରଣ ପାଇଁ ଏସବୁ ହଳଦିଆ ପଡ଼ିଥିବା ଗଛକୁ କ୍ଷେତରୁ କାଢ଼ିଦେବା ଭଲ ବୋଲି ସେ କହିଥିଲେ । ସାହେବା ରୋଗର ବାହକ ହେଲେ ଧଳା ମାଛି । ଧଳା ମାଛି ପାଇଁ ମୁଗ କିଆରୀରେ ଇମିଡା -କ୍ଲୋରପିଟ ସିଞ୍ଚନ କରିବାକୁ ଡକ୍ଟର ଦାଶ ପରାମର୍ଶ ଦେଇଥିଲେ ।
ଗ୍ରାମର ଆଗୁଆ ଚାଷୀ ବିରଜା ମହାପାତ୍ର, ନାରାୟଣ ସାହୁ,କୈଳାସ ମିଶ୍ର,ଅଭୟ ସେନାପତି, ଅଶୋକ ମହାପାତ୍ର,ଭବାନୀ ପଣ୍ଡା, ନବଘନ ମିଶ୍ର, ଗୌରାଙ୍ଗ ନାୟକ, ବିଜୟ ସେଠୀ, ବସନ୍ତ ବେହେରା, ଗୌରାଙ୍ଗ ମଳିକ,ଜ୍ୟୋତିରବିନ୍ଦୁ ଦାଶ, ମହେନ୍ଦ୍ର ଦାଶ, ପ୍ରଫୁଲ୍ଲ ସାହୁ, ରମେଶ ମହାପାତ୍ର, ରଞ୍ଜନ ସାହୁ,ଅଲେଖ ବେହେରାଙ୍କ ସମେତ ପ୍ରାୟ ଚାଳିଶ ଜଣ ଆଗୁଆ ଚାଷୀ ସଚେତନତା ଶିବିରରେ ଭାଗନେଇଥିଲେ । କୃଷକ ସାଥି ବିଜ୍ଞାନ ବିଶ୍ୱାଳ ଓ ରବୀନ୍ଦ୍ର ପରିଡା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।