ଭୁବନେଶ୍ୱର,୦୪/୧୧/୨୦୨୫(ଓଡ଼ିଶା ସମାଚାର)- ମହାରାଷ୍ଟ୍ର ମୁମ୍ବାଇ ର ନେସ୍କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆ ମାରିଟାଇମ୍ ୱିକ୍ (ଆଇଏମଡିବ୍ଲୁ୍ୟ ୨୦୨୫) । ଅକ୍ଟୋବର ୨୬ରୁ ୩୧ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମାରିଟାଇମ୍ ୱିକ ରେ ଓଡ଼ିଶା ପୁରୀ ଜିଲା ପିପିଲି ର ଶିଳ୍ପୀ ଅଶୋକ ସାହୁ ଙ୍କ ଅଶୋକ ଆର୍ଟ ଆଣ୍ଡ କ୍ର୍ରାପ୍ଟ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ କୁ ମିଳିଛି ମାରିଟାଇମ୍ ଏକ୍ସଲେନ୍ସ ପୁରସ୍କାର ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାନ୍ତନୁ ଠାକୁର ଶିଳ୍ପୀ ଅଶୋକ ଓ ତାଙ୍କ ପୁଅ ଗୁରୁଦାସ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ସହଯୋଗରେ ଖୋଲାଯାଇଥିବା ଏହି ଷ୍ଟଲ ରେ ଓଡ଼ିଶାର ପଥର କାରୁକାର୍ଯ୍ୟ, ପଟ୍ଟଚିତ୍ର, ଟସର ପେନ୍ଟିଙ୍ଗ୍, ତାଳପତ୍ର ଚିତ୍ର ଆଦି ପ୍ରଦର୍ଶନ କରାଯାଇଥିଲା । ଶିଳ୍ପୀ ଅଶୋକ ଓ ତାଙ୍କ ପୁଅଙ୍କ ଦ୍ୱାରା ପଥର ରେ ତିଆରି କରାଯାଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପର ପ୍ରତିକୃତି ବେଶ୍ ପ୍ରଶଂସନୀୟ ଥିଲା ।
ଏହି ବିଶ୍ୱରୂପ ରେ ହୋଇଥିବା ନିଖୁଣ କାରୁକାର୍ଯ୍ୟ ପାଇଁ ଅଶୋକ ଆର୍ଟ କ୍ରାପ୍ଟ କୁ ମାରିଟାଇମ୍ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଥିଲା ।ଶିଳ୍ପୀ ଅଶୋକଙ୍କ ପଥର କାରୁକାର୍ଯ୍ୟକୁ ଦେଖିମୁମ୍ବାଇର ଦୁଇଟିସଂସ୍ଥା ପକ୍ଷରୁ ମନ୍ଦିର ତିଆରି ନିମନ୍ତେ ତାଙ୍କୁ ଅନୁରୋଧ କରାଯାଇଛି । ଏ ସମ୍ପର୍କରେ ଶିଳ୍ପୀ ଅଶୋକ ଓ ତାଙ୍କ ସଂସ୍ଥା ଆଗାମୀ ଦିନରେ ଚୁକ୍ତିସ୍ୱାକ୍ଷର କରିବେ ।
