୨୦୨୫-୨୬ ପାଇଁ ନାବାର୍ଡ ଦ୍ଵାରା ଓଡ଼ିଶାର ଋଣ ସମ୍ଭାବନା ୨ ଲକ୍ଷ ୫୨ ହଜାର କୋଟି ଟଙ୍କା ଆକଳନ

ରାଜ୍ୟ କ୍ରେଡିଟ୍ ସେମିନାର -୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର,୧୬/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନାବାର୍ଡପକ୍ଷରୁ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟ କ୍ରେଡିଟ୍ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାପାଇଁ ଷ୍ଟେଟ ଫୋକସ୍ ପେପର ପ୍ରକାଶପାଇଛି । ୨୦୨୫-୨୬ ବର୍ଷପାଇଁ ପ୍ରାଥମିକତା କ୍ଷେତ୍ରକୁ ସାମଗ୍ରିକ ଋଣ ସମ୍ଭାବନା୨ଲକ୍ଷ୫୨ହଜାର କୋଟି ଟଙ୍କା ରହିବ ବୋଲି ଦର୍ଶାଯାଇଛି ।

ଏହି ଆଲୋଚନା ଚକ୍ରକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଶାସନସଚିବ ଶ୍ରୀ ମନୋଜ ଆହୁଜା, କମିଶନର-ତଥା ଶାସନ ସଚିବ –ସମବାୟ ବିଭାଗ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ଏସଏଲବିସିର ଆବାହକ ଶ୍ରୀ ଗୌତମ ପାତ୍ର, ରାଜ୍ୟ ସରକାରଙ୍କ ବିଭାଗର ଅଧିକାରୀ, ଅଂଶୀଦାର, କୃଷକ ଓ ଏସ୍ଏଚଜି ସଦସ୍ୟ, ଓଡ଼ିଶାର ବିଭିନ୍ନ ଜିଲ୍ଲାର ନିୟନ୍ତ୍ରଣକାରୀ ବ୍ୟାଙ୍କ ମୁଖ୍ୟ, ହିତାଧିକାରୀ, କୃଷକ ଓ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟମାନେ ଉପସ୍ଥିତଥିଲେ।
ବିଶେଷକରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ପ୍ରାଥମିକତା କ୍ଷେତ୍ରକୁ ଋଣ ପ୍ରବାହ ବଢ଼ାଇବା ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ.ସୁଧାଂଶୁ କେ କେ ମିଶ୍ର ମତବ୍ୟକ୍ତ କରିଥିଲେ ।ନାବାର୍ଡ ୨୦୨୫ -୨୬ ବର୍ଷ ପାଇଁ ୨ଲକ୍ଷ ୫୨ହଜାର କୋଟି ଟଙ୍କାର ଅଗ୍ରାଧିକାର କ୍ଷେତ୍ର ଲକ୍ଷ୍ୟଧାର୍ୟ୍ୟ କରିଛି ବୋଲି ସେସୂଚନା ଦେଇଛନ୍ତି।

ବ୍ୟବସାୟ ଏବଂ ଆୟ ସୃଷ୍ଟିକାରୀ କାର୍ୟ୍ୟକଳାପ ପାଇଁ ଏକ ସୁଦୃଢ଼ ଇକୋ ସିଷ୍ଟମ ନିର୍ମାଣ ପାଇଁ ପ୍ୟାକ୍ସ କୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ ଦେଇଥିଲେ ।ଗ୍ରାମୀଣ ଜନସାଧାରଣଙ୍କ ନିକଟରେ ଋଣ ପହଞ୍ଚାଇବା ଉପରେ ସେ ଆଲୋଚନା କରିଥିଲେ। ଗ୍ରାମୀଣ ଭିତ୍ତିଭୂମି ବିକାଶ, ଆଦିବାସୀ ବିକାଶ, ଜଳସେଚନ ବିକାଶ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ କ୍ଷୁଦ୍ର ଉଦ୍ୟୋଗ ବିକାଶ ଏବଂ ଗ୍ରାମୀଣ ଜୀବିକା ର ଅଭିବୃଦ୍ଧି ଦିଗରେ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ୟ୍ୟକଳାପ ଅଧୀନରେ ନାବାର୍ଡ ଓଡ଼ିଶା ରାଜ୍ୟ ପାଇଁ ସହଯୋଗ ବଢ଼ାଉଛି ବୋଲି ସେ କହିଥିଲେ।

ଆଲୋଚନାଚକ୍ର କୁ ଉଦଘାଟନ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମୁଖ୍ୟଅତିଥି ଶ୍ରୀ କନକବର୍ଦ୍ଧନ ସିଂହଦେଓ ଋଣ ଯୋଜନା କାର୍ୟ୍ୟ ଠିକ ସମୟରେ ଶେଷ କରିଥିବାରୁ ନାବାର୍ଡକୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାରେ ଅଗ୍ରାଧିକାର କ୍ଷେତ୍ର ପାଇଁ ବ୍ୟାଙ୍କ ଋଣ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ,ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ସକ୍ରିୟ ଭାବେ ସହଯୋଗ କରୁଛନ୍ତି ଏବଂ ବ୍ୟାଙ୍କ ଗୁଡିକ ରାଜ୍ୟରେ ଘରୋଇ ପୁଞ୍ଜି ଗଠନ ପାଇଁ ଋଣ ପ୍ରବାହକୁ ଯଥେଷ୍ଟ ବୃଦ୍ଧି କରିବାର ସମୟ ଆସିଛି।କୃଷିକ୍ଷେତ୍ରରେ ପ୍ରଭାବଶାଳୀ ଅଭିବୃଦ୍ଧି ପାଇଁ ସରକାର ରାଜ୍ୟରେ ସକ୍ଷମ ଭିତ୍ତିଭୂମି ଏବଂ ପୁଞ୍ଜି ନିବେଶ ସୃଷ୍ଟି କରୁଛନ୍ତି ଯେଉଁଥିରେ କୃଷକ ମାନଙ୍କୁ ଆର୍ଥିକ ଲାଭପାଇଁ ବ୍ୟାଙ୍କ ଗୁଡ଼ିକୁ ଋଣ ପ୍ରଦାନ କରିବାକୁ ପଡିବ।

ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ର ବିକାଶରେ ନାବାର୍ଡ ର ଭୂମିକା ଏବଂ ଅନୁଦାନ ଭିତ୍ତିକ ଦକ୍ଷତା ଏବଂ ଉଦ୍ୟୋଗ ବିକାଶ କାର୍ୟ୍ୟକ୍ରମ ମାଧ୍ୟମରେ ଯୁବତୀ ମାନଙ୍କୁ ଦକ୍ଷ କରିବାରେ ନିରନ୍ତର ସହାୟତାକୁ ସେ ପ୍ରଶଂସା କରିଥିଲେ। ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ତୃଣମୂଳ ସ୍ତରରେ ଋଣ ଏବଂ ଏଫପିଓ ଇକୋ ସିଷ୍ଟମ କୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।କୃଷିକ୍ଷେତ୍ରର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ମୂଲ୍ୟ ଶୃଙ୍ଖଳା, ଅଭିନବ ନୂତନ ଯୁଗର ପ୍ରକଳ୍ପ ପାଇଁ ଆଗେଇ ଆସିବାକୁ ସେ ବ୍ୟାଙ୍କର୍ସ ମାନଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଛନ୍ତି ଯେ,ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହେଉଛି ଏବଂ ବ୍ୟାଙ୍କ ଗୁଡ଼ିକୁ ଋଣର ଗୁଣବତ୍ତା ରେ ଉନ୍ନତି ଆଣିବାକୁ ହେବ। ଚଳିତ ବର୍ଷର ଲକ୍ଷ୍ୟ ହାସଲ ପାଇଁ ପ୍ରୟାସ କରିବାକୁ ପଡ଼ିବ ବୋଲି ସେ ସମସ୍ତ ଅଂଶୀଦାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ ଚାହିଦା ସୃଷ୍ଟି ହେବା ଆବଶ୍ୟକ ଏବଂ ଆନୁଷଙ୍ଗିକ କାର୍ୟ୍ୟକଳାପ କୁ ସମର୍ଥନ କରିବା ପାଇଁ କେସିସି ବ୍ୟାପକ ହେବା ଆବଶ୍ୟକ। ସେ ଏହା ମଧ୍ୟ କହିଛନ୍ତି ଯେ ଷ୍ଟାର୍ଟଅପ୍ ଗୁଡ଼ିକୁ ମଧ୍ୟ ଋଣ ଦରକାର ଏବଂ ସେଥି ପାଇଁ ବ୍ୟାଙ୍କ ଗୁଡ଼ିକୁ ଆଗେଇ ଆସିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଆନୁଷଙ୍ଗିକ କ୍ଷେତ୍ର ଯଥା ଦୁଗ୍ଧ, ଛେଳି, ମତ୍ସ୍ୟ ଚାଷ ଇତ୍ୟାଦି ରାଜ୍ୟରେ ପ୍ରଚୁର ସମ୍ଭାବନା ରହିଛି ଏବଂ ବ୍ୟାଙ୍କ ଗୁଡ଼ିକୁ ଏହି କ୍ଷେତ୍ରକୁ ଋଣ ପ୍ରବାହ ବୃଦ୍ଧି କରିବାକୁ ପଡ଼ିବ।

ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଗ୍ରାମୀଣ ଭାରତର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାର ଟିଡିଏଫ, ୱାଡି ଏବଂ ଜେଏଲଜି ଆର୍ଥିକ ପ୍ରକଳ୍ପ ପାଇଁ ନାବାର୍ଡକୁ ପ୍ରଶଂସା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୀବିକା ଏବଂ ସହଯୋଗ କ୍ଷେତ୍ର ଉପରେ ରାଜ୍ୟ ସରକାରଙ୍କ ଫୋକସ ରହିଛି, ଯାହା ଆଗାମୀ ମାସରେ ବହୁଗୁଣିତ ବୃଦ୍ଧିପାଇବ। ଓଡ଼ିଶା ର ପ୍ରାଥମିକତା କ୍ଷେତ୍ରକୁ ବ୍ୟାଙ୍କ ରୁ ଋଣ ପ୍ରବାହ ରେ ତୁରନ୍ତ ଉନ୍ନତି ଏବଂ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ଏବଂ ସୀମାବୃଦ୍ଧି କରିବାକୁ ସେ ସମସ୍ତ ବ୍ୟାଙ୍କକୁ କହିଛନ୍ତି।

ଋଣପ୍ରବାହ ବୃଦ୍ଧି ପାଇଁ ଆବଶ୍ୟକ ଆତ୍ମ ସମୀକ୍ଷା, ପୁନର୍ବିଚାର ଏବଂ ରଣନୀତି ପ୍ରସ୍ତୁତ କରିବା ଏବଂ ପ୍ରାଥମିକତା କ୍ଷେତ୍ରକୁ ଋଣ ଅଭିବୃଦ୍ଧି ରେ ପରିଚାଳନାଗତ ପ୍ରତିବନ୍ଧକ କୁ ଦୂର କରିବା ପାଇଁ ସେ ବ୍ୟାଙ୍କ ଏବଂ ସଂପୃକ୍ତ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଥିଲେ। ବୈଠକରେ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ, କୃଷି ଉଦ୍ୟୋଗୀ, ସମବାୟ ସମିତି ଏବଂ କୃଷକମାନଙ୍କୁ ଋଣ ସହାୟତା ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମରେ ନାବାର୍ଡର କାର୍ୟ୍ୟକ୍ରମ ସଂବନ୍ଧୀୟ ବିଭିନ୍ନ ରିପୋର୍ଟ ଅତିଥିମାନଙ୍କ ଦ୍ଲାରା ଉନ୍ମୋଚିତ ହୋଇଥିଲା ।
-୦-
ପଠାଣି ରାଉତମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *