ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ବିକାଶ କାର୍ଯ୍ୟସମୀକ୍ଷା

ଜିଲ୍ଲା ପରିଦର୍ଶନ ସମୟରେ ପର୍ଯ୍ୟବେକ୍ଷଣ କରିଥିବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ       

କନ୍ଧମାଳର ପର୍ଯ୍ୟଟନ,ବିକାଶର ମୂଳ ଆଧାର :  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ 

ଭୁବନେଶ୍ୱର,୦୮/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଗତକାଲି ସୋମବାର କନ୍ଧମାଳ ଜିଲ୍ଲା ସଂପର୍କିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟର  ସମୀକ୍ଷା କରିଛନ୍ତି ।  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗତ ଜାନୁଆରୀ ମାସରେ ତାଙ୍କର କନ୍ଧମାଳଗସ୍ତ ସମୟରେ ଜିଲ୍ଲାରେ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଭିତ୍ତିଭୂମି ବିକାଶ, ଜୀବିକା ନିର୍ବାହ କାର୍ଯ୍ୟକ୍ରମ, କୃଷି,ପର୍ଯ୍ୟଟନ ଆଦି କ୍ଷେତ୍ରରେ ତାଙ୍କର ଦୃଷ୍ଟିକୁ ଆସିଥିବା ବିଭିନ୍ନ ସମସ୍ୟାର ସମାଧାନ ସହିତ ଜିଲ୍ଲାରେ ଆଗାମୀ ସମ୍ଭାବନା ସଂପର୍କରେ ବୈଠକରେ ଆଲୋଚନା କରିଥିଲେ ।

କନ୍ଧମାଳର ପ୍ରମୁଖ ଆକର୍ଷଣ ଦାରିଙ୍ଗବାଡି ନିକଟସ୍ଥ ଦର୍ଶନୀୟ  ସ୍ଥାନହିଲ ଭ୍ୟୁ ପାର୍କ,ନେଚର ପାର୍କ, କଫି ବଗିଚା,ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଝରଣା ଓ ଜଳପ୍ରପାତ ଆଦି ସ୍ଥାନ ଗୁଡିକର ବିକାଶ ସଂପର୍କରେ ଆଲୋଚନା କରାଯାଇଥିଲା ଦାରିଙ୍ଗବାଡି ଓ ଜିଲ୍ଲାରେ ବିଭିନ୍ନ ଅଂଚଳରେ ପର୍ଯ୍ୟଟନର ବିକାଶ ଓ ଏହା ଯେପରି ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶରେ ସହାୟକ ହେବ, ସେ ସଂପର୍କରେ ପଦକ୍ଷେପ ନେଇ  ପର୍ଯ୍ୟଟନ ବିଭାଗସଚିବଙ୍କ ସହିତ ଆଲୋଚନା କରି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି  । ଦାରିଙ୍ଗବାଡି କଫି ବଗିଚା ଉନ୍ନତି କରଣ ସହ ଜିଲ୍ଲାରେ ସମନ୍ୱିତ କୃଷି, କନ୍ଧମାଳ ହଳଦି,ମସଲା, ଗୋଲମରିଚ, ଷ୍ଟ୍ରବେରୀ ଚାଷ ଉପରେ ଆଲୋଚନା କରାଯାଇଥିଲା ।ଏଥି ସହିତ ମହୁ, ତେନ୍ତୁଳି ଆଦି ଜଙ୍ଗଲ ଜାତ ଦ୍ରବ୍ୟ  ଜୀବିକାର୍ଜନ ସୃଷ୍ଟିରେ ସହାୟକ ହେଉଥିବାରୁ ଏଥି ନେଇ ଉନ୍ନତ ପ୍ୟାକେଜିଂ ବ୍ୟବସ୍ଥା, ବଜାର ସୁବିଧା କରି ସ୍ଥାନୀୟ ଲୋକଙ୍କ  ଆର୍ଥିକ ଉନ୍ନତି ପାଇଁ ଗୁରୁତ୍ୱ ଦିଆଯ।ଇଛି ।

ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ ଜିଲ୍ଲାର ବିକାଶ ପାଇଁ ୨୫ଟି ପ୍ରମୁଖ ପଦକ୍ଷେପ ସଂପର୍କରେ ଉପସ୍ଥାପନ କରିଥିଲେ ପର୍ଯ୍ୟଟନ ସହିତ ସମାବେଶୀ ବିକାଶ, ଡିଜିଟାଲ ସଂଯୋଗୀ କରଣ ବୃଦ୍ଧି, କ୍ଷୁଦ୍ର ଜଳସେଚନ ମାଧ୍ୟମରେ ଜଳସେଚନ ସୁବିଧା, ଫୁଲବାଣୀରେ ମେଗା ପାଇପ୍ଯୋଗେ ଜଳସେଚନ ପ୍ରକଳ୍ପକୁ ଶୀଘ୍ର ସାରିବା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, ରେଳପଥ ସଂଯୋଗୀକରଣ, କନ୍ଧମାଳ-ଗାଜଲବାଡି ରାସ୍ତାର ସଂପ୍ରସାରଣ ଏବଂ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମିର ଅଧିକ ଉନ୍ନତି ସଂପର୍କରେ ପଦକ୍ଷେପ ନିଆଯିବାକୁ ବୈଠକରେ ଆଲୋଚନା ହୋଇଥିଲା ।  ତତ୍ ସହିତ କୃଷି ଉଦ୍ୟୋଗ, ସମନ୍ୱିତ ଏମଏସଏମଇ ପାର୍କ ସ୍ଥାପନ ରଣନୀତି, ଆଦର୍ଶ ସ୍କୁଲ ଓ ଛାତ୍ରାବାସନିର୍ମାଣ, ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଅଧିକ ଉନ୍ନତି, ଗ୍ରାମୋଦୟ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଓ  ମୌଳିକ ଆବଶ୍ୟକତା ପୂରଣ ବିକାଶକୁ ପ୍ରାଥମିକତା, ବିଭିନ୍ନ ଅଂଚଳରେ ପାଠାଗାରନିର୍ମାଣ, ସୌର ଚାଳିତ ତାରବାଡ ବ୍ୟବସ୍ଥା ଜରିଆରେ କୃଷି କ୍ଷେତ୍ରକୁ ସୁରକ୍ଷା ଦେବା ସଂପର୍କରେ ଆଲୋଚନା କରାଯାଇଥିଲା

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ଗୃହ, ଶିଳ୍ପ ସୂଚନା ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀହେମନ୍ତ ଶର୍ମାଙ୍କ ସମେତ ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ, କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ଆଦି ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳ, କନ୍ଧମାଳଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଉପସ୍ଥିତଥିଲେ

-0-

ପଠାଣି ରାଉତ ,ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *