ଭୁବନେଶ୍ୱର,୧୫/୦୨/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଲାୟନ୍ସ କ୍ଲବ ଭୁବନେଶ୍ୱର, ଓଡ଼ିଶାର ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ହୋଟେଲ ନୁ୍ୟ ମାରିୟନ ପରିସରରେ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଲାୟନ୍ସ ଜିଲା ଗଭର୍ଣ୍ଣର ଲାୟନ ସରସ୍ୱତୀ ପାତ୍ର, ଏମ୍.ଜେ.ଏଫ୍ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ସଭାର ମହିମା ମଣ୍ଡନ କରିଥିଲେ । ତାଙ୍କର ଅଭିଭାଷଣରେ ସେ କହିଥିଲେ ଯେ, ସମାଜର ଦଳିତ, ନିସ୍ପେଷିତ, ବାସହରା ଏବଂ ଦିଗହରା ବ୍ୟକ୍ତିମାନଙ୍କୁ ପୁଣି କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇ ପାରିବ, ତାହାହିଁ ଆମଭଳି ଲାୟନ୍ସ ସଭ୍ୟମାନଙ୍କର ମୁଖ୍ୟ ବ୍ରତ ହେଉ ।
ଏହି ସମ୍ବାଦ ସମସ୍ତ ଲାୟନ୍ସ ସଭ୍ୟମାନଙ୍କ ହୃଦୟସ୍ପର୍ଶୀ ହୋଇଥିଲା । ଜିଲା ଗଭର୍ଣ୍ଣର କ୍ଲବର ନୟାପଲ୍ଲୀସ୍ଥିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରି ଆନନ୍ଦିତ ହେବା ସହିତ ଏହାକୁ ଆହୁରି ଦକ୍ଷ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
କ୍ଲବର ସଭାପତି ଲାୟନ ଡଃ ବିପିନ ବିହାରୀ ମିଶ୍ର, ଏମଜେଏମ୍ ସମ୍ପାଦକ ଲାୟନ ଇଂ (ଡାଃ) ଅଶ୍ୱିନୀ ସେନାପତି, ଏମ୍.ଜେ.ଏଫ୍ କୋଷାଧ୍ୟକ୍ଷ ଲାୟନ ବିପିନ ବିଶ୍ୱାଳ, ଆଂଚଳିକ ଅଧ୍ୟକ୍ଷ ଲାୟନ ଅଶୋକ ଅଗ୍ରୱାଲା, ମଣ୍ଡଳ ଅଧ୍ୟକ୍ଷ ଲାୟନ ତପନ ହରିଚନ୍ଦନ, ଏମ୍.ଜେ.ଏଫ୍ ପ୍ରମୁଖ ଏହି ଅଧିବେଶନକୁ ଶୌରଭମଣ୍ଡିତ କରିଥିଲେ ।
ଏହି ସମାରୋହରେ ୧୯୭୪ ମସିହାରୁ ପ୍ରାଥମିକ ସଦସ୍ୟ ଭାବେ ଦୀର୍ଘ ୫୧ ବର୍ଷର ନିରବଚ୍ଛିନ୍ନ ସଦସ୍ୟତା ପାଇଁ ବିଶିଷ୍ଟ ସମାଜସେବୀ ଲାୟନ ଏସ୍.କେ. ଝୁନ୍ଝୁନୱାଲାଙ୍କୁ ଲାୟନ ଗଭର୍ଣ୍ଣର ସମ୍ମାନିତ କରିଥିଲେ । କ୍ଲବ ତରଫରୁ ଲାୟନ୍ସ ଜିଲା ପୂର୍ବତନ ଗଭର୍ଣ୍ଣରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲବର ସଭାପତି ଡଃ ମିଶ୍ର କ୍ଲବର ପୂର୍ବତନ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।
ଏହି ସଭାକୁ ଲାୟନ ଧୀରେନ ଧଳ, ଏମ୍.ଜେ.ଏଫ୍ ଲାୟନ ନିବେଦିତା ମହାପାତ୍ର ପରିଚାଳନା କରିଥିଲେ । ଶେଷରେ ଲାୟନ ରାମପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।