ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ ମେଟାଲ୍ସ ର ଭାଇସ୍ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ ନିଖୋଜ

ବଡ଼ବିଲ, ୧୩/୦୨/୨୦୨୫ (ଓଡ଼ିଶା ସମାଚାର)- ଖଣି କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ କମ୍ପାନୀ ଡ୍ରାଇଭର ଓ କାର୍ ସହ ନିଖୋଜ୍ । ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ ମେଟାଲ୍ସ ର ଭାଇସ୍ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ  ଗତ କାଲି ସନ୍ଧ୍ୟାରେ କମ୍ପାନୀର ଡ୍ରାଇଭର ଏମ୍ ଡି ଫିରୋଜ୍ ଙ୍କ ସହ ଅଫିସରୁ ଘରକୁ ଫେରିବା ବେଳେ ନିଖୋଜ ନେଇ ବଡ଼ବିଲ ଥାନାରେ ଏତଲା । ଘଟଣାକୁ ନେଇ ପୋଲିସର ତନାଘନା ।

ଖଣି କମ୍ପାନୀ ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ ମେଟାଲ୍ସ ର ଭାଇସ୍ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ କମ୍ପାନୀ ଡ୍ରାଇଭର ଓ କାର୍ ସହ ନିଖୋଜ୍ ହୋଇ ଯାଇଥିବା ନେଇ ଅଭିଯୋଗ ହୋଇଛି । ନିମାନନ୍ଦଙ୍କ ପତ୍ନୀ ସୁଜାତା ପ୍ରଧାନ ଏନେଇ ବଡ଼ବିଲ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ, ନିମାନନ୍ଦ ପ୍ରଧାନ ଗତ କାଲି ସନ୍ଧ୍ୟା ୭ ଟା ୨୦ ମିନିଟ୍ ସମୟରେ ଡ୍ରାଇଭର ଏମ୍ ଡି ଫିରୋଜ୍ ଙ୍କ ସହ OD 33 K 7223 ଡଷ୍ଟର୍ କାର୍ ଯୋଗେ ବଡ଼ବିଲ ସିନେମାହଲ ରୋଡ୍ ସ୍ଥିତ କମ୍ପାନୀ କାର୍ଯ୍ୟାଳୟରୁ ବାହାରିଥିଲେ ।

ଅନେକ ସମୟ ପରେ ବି ସେ ଘରକୁ ନ ଫେରିବାରୁ ପତ୍ନୀ ସୁଜାତା ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ନିମାନନ୍ଦଙ୍କ ଫୋନ୍ ସୁଇଚ୍ ଅଫ୍ ରହିଥିଲ। ବେଳେ ଡ୍ରାଇଭର ଫିରୋଜ୍ ଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା ।  ପରେ ସାଙ୍ଗ ସାଥୀ ଓ ଅନ୍ୟ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ପରେ ବି କିଛି ସନ୍ଧାନ ନ ମିଳିବାରୁ ନିଖୋଜ ନେଇ ଥାନାରେ ଏତଲା ଦିଆଯାଇଥିଲା ।

ତେବେ ଗତକାଲି ନିମାନନ୍ଦଙ୍କ ନିୟମିତ ଭାବେ କାର୍ ଚଳାଉଥିବା ଡ୍ରାଇଭର କୌଣସି କାରଣରୁ ଅସୁସ୍ଥ ଥିବାରୁ ସନ୍ଧ୍ୟାରେ ଡ୍ୟୁଟି ଯାଇ ନଥିଲେ । ଫଳରେ ଅନ୍ୟ ଜଣେ ଡ୍ରାଇଭର ଏମ୍ ଡି ଫିରୋଜ୍ କାର୍ ନେଇ ଛାଡ଼ିବାକୁ ଯାଇଥିଲେ । ଏତଲାକୁ ଭିତ୍ତି କରି ବଡ଼ବିଲ ପୋଲିସ୍ ତନାଘନା ଆରମ୍ଭ କରିଛି । କୁହାଯାଉଛି ଫୋନ୍ ର ଲାଷ୍ଟ ଲୋକେସନ୍ ଝାଡ଼ଖଣ୍ଡର ବଡ଼ଜାମଦା ଅଞ୍ଚଳରେ ଦେଖାଉଛି । ଏଭଳି ପରିସ୍ଥିତିରେ ନିମାନନ୍ଦଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି ।

ଫୋନ୍ କଲ୍ ଡ଼ିଟେଲ୍ସ , ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ କୁ ପୋଲିସ ଯାଞ୍ଚ କରୁଛି । କମ୍ପାନୀର ଅନ୍ୟ ଦୁଇ ଡ୍ରାଇଭର ଏବଂ କର୍ମଚାରୀଙ୍କୁ ପଚରା ଉଚୁରା କରିବା ସହ ଝାଡ଼ଖଣ୍ଡ ପୋଲିସ୍ ସହ ଯୋଗାଯୋଗରେ ଥିବା ବଡ଼ବିଲ ପୋଲିସ୍ ସୂଚନା ଦେଇଛି । ଘଟଣାକୁ ୧୭ ଘଣ୍ଟା ବିତିଯାଇଥିଲେ ବି ନିମାନନ୍ଦଙ୍କ ସମ୍ପର୍କରେ କିଛି ଜଣାପଡିନାହିଁ । ଏହା ଏକ ଅପହରଣ ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *