ବାଚସ୍ପତିଙ୍କ ଉପସ୍ଥିତିରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଆଜିଠାରୁ ‘ନେଭା ଡିଜିଟାଲ୍ ହାଉସ୍’ ଭାବେ ପରିଗଣିତ ହେଲା ବିଧାନସଭା ଗୃହ
ପେପର୍ଲେସ୍ ହାଉସ୍ ଭାବେ ଗୃହର ଗୌରବ ବୃଦ୍ଧି ହେବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଓଡ଼ିଶା ବିଧାନସଭା ପାଇଁ ଏକ ଐତିହାସିକ ଦିବସ । ଆଜି ବିଧାନସଭା ଗୃହ ମଧ୍ୟରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଡିଜିଟାଲ ହାଉସ’ର ଶୁଭାରମ୍ଭ କରିଛନ୍ତି । ଇ-ବିଧାନସଭା ଆପ୍ଲିକେସନ ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପ ଫଳରେ ଆମର ବିଧାନସଭା ଏକ ଡିଜିଟାଲ ଯୁଗକୁ ଆଉ ଏକ ପାଦ ଅଗ୍ରସର ହେଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିଠାରୁ ଏହି ଗୃହ ‘ନେଭା ଡିଜିଟାଲ ହାଉସ୍’ ଭାବରେ ପରିଗଣିତ ହେଲା । ଏଣିକି, ବିଧାନସଭାରେ ଗୃହର ସବୁ କାର୍ଯ୍ୟକ୍ରମ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ ।
ଏହା ମୋ ପାଇଁ ଏବଂ ଗୃହର ସମସ୍ତ ସଦସ୍ୟଙ୍କ ପାଇଁ ନିଶ୍ଚିତ ଭାବରେ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ପ୍ରକାଶ କରିଛନ୍ତି । ଏହା ଦ୍ୱାରା ବିଧାନସଭାର ସମସ୍ତ ସଦସ୍ୟ ସେମାନଙ୍କ ମୋବାଇଲ କିମ୍ବା ଅନ୍ୟ କୌଣସି ଡିଜିଟାଲ ଡିଭାଇସରେ ରିଏଲ ଟାଇମ ତଥ୍ୟ ପାଇପାରିବେ । ଗୃହର କାର୍ଯ୍ୟକ୍ରମର ଯେ କୌଣସି ସମୟର ତଥ୍ୟ ସେହି ସମୟରେ ହିଁ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ବାସ୍ତବିକ୍ ଏକ ଯୁଗାନ୍ତକାରୀ ପରିବର୍ତ୍ତନ । ଏକ ପେପରଲେସ୍ ହାଉସ ଭାବରେ ଗୃହର ଗୌରବ ବୃଦ୍ଧି ହେବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଡିଜିଟାଇଜେସନ ବିପ୍ଲବ ସହିତ ତାଳ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତ ସରକାର ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଭାବରେ ‘ଡିଜିଟାଲ ଇଣ୍ଡିଆ’ ଏବଂ ‘ଗୋ ଗ୍ରୀନ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଭାରତଏକ ଡିଜିଟାଲ ସଶକ୍ତ ସମାଜ ଓ ଜ୍ଞାନଭିତ୍ତିକ ଅର୍ଥନୀତିରେ ପରିଣତ ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । କେବଳ ସେତିକି ନୁହେଁ, ମାନ୍ୟବର ପ୍ରଧାନମନ୍ତ୍ରୀ ଏବେ ଫ୍ରାନସ୍ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସେ ସମିଟ୍ରେ ମଧ୍ୟ ସହ-ଅଧ୍ୟକ୍ଷ ଭାବରେ ଯୋଗଦେଇ ଭାରତ ସହିତ ସମଗ୍ର ବିଶ୍ୱର କଲ୍ୟାଣରେ କିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ହୋଇପାରିବ, ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ସେ କହିଥିଲେ ।
ସୂଚନା ଯୋଗ୍ୟ ଯେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ ବା ନେଭା ହେଉଛି ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ୪୪ଟି ମିଶନ ମୋଡ ପ୍ରକଳ୍ପ ମଧ୍ୟରୁ ଗୋଟିଏ । ବର୍ତ୍ତମାନ ସୁଦ୍ଧା ପୂରା ଦେଶରେ ଲୋକସଭା ଓ ରାଜ୍ୟସଭା ବ୍ୟତୀତ, ଓଡ଼ିଶା, ଗୁଜୁରାଟ, ଆସାମ, ହିମାଚଳ ପ୍ରଦେଶ, ରାଜସ୍ଥାନ, ପଂଜାବ, ବିହାର କାଉନସିଲ, ନାଗାଲାଣ୍ଡ, ଉତ୍ତରପ୍ରଦେଶ (ଉଭୟ ଗୃହ), ହରିୟାଣା, ମିଜୋରାମ, ମଣିପୁର, ମେଘାଳୟ, ତାମିଲନାଡୁ, ତ୍ରିପୁରା ଓ ସିକିମ ଭଳି ୧୬ଟି ବିଧାନସଭା ଗୃହରେ ନେଭା କାର୍ଯ୍ୟକାରୀ ହୋଇ ସାରିଲାଣି ।
ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା, ନେଭା ମାଧ୍ୟମରେ ବ୍ୟବସ୍ଥାପକ ପଦ୍ଧତିର ଡିଜିଟାଇଜେସନ କାର୍ଯ୍ୟକାରୀ କରିବାରେ ଦେଶର ପ୍ରଥମ ରାଜ୍ୟ ବିଧାନସଭାଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇପାରିଛି ।
ନେଭା ସଫଟେୱର ଆପ୍ଲିକେଶନ କାର୍ଯ୍ୟକାରୀ ହେବା ସହିତ ଓଡ଼ିଶା ବିଧାନସଭାର କାଗଜପତ୍ରର ବ୍ୟବହାରରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଫଳସ୍ୱରୂପ, ଓଡ଼ିଶା ବିଧାନସଭାକୁ ସମ୍ମାନଜନକ CSI, e-Governance Award of Excellence(Gold) ପୁରସ୍କାର ମଧ୍ୟ ମିଳିଛି । ତେବେ, ୨୦୨୧ରେ ବିଧାନସଭାରେ ନେଭା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇନଥିଲା ।
ହାଉସରେ ଏହା କାର୍ଯ୍ୟକାରୀ ହେବା ଦ୍ୱାରା ଆମର ବିଧାନସଭା ଗୃହ ନେଭା ଡିଜିଟାଲ ହାଉସ ଭାବେ ମାନ୍ୟବର ସଦସ୍ୟମାନଙ୍କ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ବିଧାନସଭାକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ କରିବା ବା କାଗଜବିହୀନ କରିବା । ଏହାର ପ୍ରମୁଖ ମଡ୍ୟୁଲଗୁଡିକ ହେଉଛି, ନେଭା ଇ-ବୁକ୍, ରାଜ୍ୟପାଳଙ୍କ ଅଭିଭାଷଣ, ଗୃହ କାର୍ଯ୍ୟସୂଚୀର ତାଲିକା ଏବଂ ପ୍ରଶ୍ନାବଳୀର ଡିଜିଟାଲ ପ୍ରଦର୍ଶନ, ଇ-ଭୋଟିଂ, ଇ-ଉପସ୍ଥିତି, ହାଉସ୍ productivity ରିପୋର୍ଟ, ସ୍ପିଚ ଟାଇମ୍ ମ୍ୟାନେଜମେଣ୍ଟ, ସ୍ପିକର ପ୍ୟାଡ, ମିନିଷ୍ଟର୍ ପ୍ୟାଡ, ଡାଇନାମିକ୍ ଇଭେଣ୍ଟସ୍, ଟାଇମ୍ ପୁସ୍, ଜନ୍ମଦିନର ଶୁଭେଚ୍ଛା, ନୋଟ୍, ସର୍କୁଲାର ଏବଂ ଅନ୍ୟାନ୍ୟ ସୂଚନା ଇତ୍ୟାଦି ରହିଛି ।
ଏହା ଗୃହର ସମସ୍ତ ସଦସ୍ୟଙ୍କ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଆଜି ଓଡ଼ିଶା ବିଧାନସଭା ପାଇଁ ଏକ ସ୍ମରଣୀୟ ଦିନ । ଆଜି ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ର ଶୁଭାରମ୍ଭ ହୋଇଛି ।
ଏହା ଦ୍ୱାରା ସମସ୍ତ କାର୍ଯ୍ୟ ପେପରଲେସ୍ ହେବା ସହ ଖୁବ୍ଶୀଘ୍ର ମଧ୍ୟ ସମ୍ଭବ ହୋଇପାରିବ । ସମସ୍ତ କାଗଜପତ୍ରର ଇ-ଲେୟିଙ୍ଗ, ଇଲେକ୍ଟ୍ରୋନିକ୍ ପ୍ୟାଡ ବ୍ୟବହାର ଜରିଆରେ ବାଚସ୍ପତି ଓ ସଚିବଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା, ଗୃହକାର୍ଯ୍ୟ ସମୟରେ ନୋଟ୍ ବିନିମୟ ପାଇଁ ମନ୍ତ୍ରୀ ଏବଂ ପ୍ରଶାସନିକ ସଚିବମାନଙ୍କ ମଧ୍ୟରେ ଯୋଗାଯୋଗ, ଗୃହର ଯେକୌଣସି କାର୍ଯ୍ୟସୂଚୀର ସୂଚୀ ଉପରେ ଇ-ଭୋଟିଂ, ସଦସ୍ୟ ବା ସଦସ୍ୟାମାନଙ୍କ ଇ-ଉପସ୍ଥିତି, ଗୃହ କାର୍ଯ୍ୟର ସୂଚୀଗୁଡିକର ଡିଜିଟାଲ୍ ଡିସପ୍ଲେ ସିଷ୍ଟମ୍, ବକ୍ତା ଏବଂ ସଦସ୍ୟ ବା ସଦସ୍ୟାମାନଙ୍କ ଆଲୋଚନା ସମୟ ପରିଚାଳନା ଆଦି ଅନେକ କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକବୃନ୍ଦ, କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗର ଶାସନ ସଚିବ ଶ୍ରୀ ଉମଙ୍ଗ ନରୁଲା, ରାଜ୍ୟ ସଂସଦୀୟ ବ୍ୟପାର ବିଭାଗ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଶକ୍ତି ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ନୂଆଦିଲ୍ଲୀସ୍ଥିତ ନେଭାର ମୁଖ୍ୟ ଶ୍ରୀ ସଂଜୀବ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
-0-
ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ
