ଭୁବନେଶ୍ୱର, ୨୫/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ବତନ୍ତ୍ର ବାଟାଲିୟନ । ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିଅନ୍ ମୁତୟନ ହେବେ। ଏଥି ପାଇଁ ସ୍ବତନ୍ତ୍ର ବାଟାଲିଅନ୍ ଗଠନ ହେବ। ସମସ୍ତଙ୍କ ସହ ଆଲୋଚନା ପରେ ୫ଟି ଅଧ୍ୟକ୍ଷ ଦେଇଥିବା ମତାମତକୁ ଭିତ୍ତି କରି ଏକ ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ସୁରକ୍ଷା ବ୍ୟବସ୍ଥାରେ ୧୧୯୦ ଜଣ ସୁରକ୍ଷାକର୍ମୀ ମୁତୟନ ହେବେ ଯେଉଁମାନେ କି ଭକ୍ତଙ୍କୁ ସୁରକ୍ଷିତ ଭାବେ ଦର୍ଶନ କରାଇବାରେ ସହାୟକ ହେବେ। ଏଥି ସହିତ ସ୍ବତନ୍ତ୍ର ବାଟାଲିୟନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ଭିଡ଼ ନିୟନ୍ତ୍ରଣ କରିବେ। ସ୍ବତନ୍ତ୍ର ବାଟାଲିୟନ ପୁରୀ ଏସ୍ପିଙ୍କ ଅଧୀନରେ କାମ କରିବ। ଏହି ସ୍ବତନ୍ତ୍ର ବାଟାଲିୟନ ଶ୍ରୀମନ୍ଦିରର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ କରିବ। ଏହା ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଭାବେ ନାମିତ ହେବ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ଜନସମାଗମ ବଢ଼ିବ। ଏବେ ଦୈନିକ ପୁରୀକୁ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ଛୁଟି ଦିନରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ନେଇ ଅତୀତରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ବିଗତ ଦିନରେ ଭକ୍ତମାନଙ୍କର ପ୍ରବଳ ଭିଡ଼ କାରଣରୁ ଦଳଚକଟା ପରିସ୍ଥିତି ଦେଖାଯାଇଛି। ଭିଡ଼ ଭିତରେ ଭକ୍ତମାନେ ଆହତ ମଧ୍ୟ ହୋଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବାଟାଲିୟନ୍ ମୁତୟନ ହେବା ଦ୍ବାରା ଉଭୟ ଭକ୍ତ ଓ ସେବାୟତ ଉପକୃତ ହେବେ ବୋଲି ଆଶା କରାଯାଉଛି।