ପୂର୍ବତନ ଉପ ନଗରପାଳ ହୃଦାନନ୍ଦ ମହାରଣା ଙ୍କ ପରଲୋକ

ଭୁବନ, ୦୮/୦୨/୨୦୨୫ (ଓଡ଼ିଶା ସମାଚାର)-   ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ନଗରପାଳ ହୃଦାନନ୍ଦ ମହାରଣା (୫୭) ଙ୍କ ର ହୃଦଘାତରେ ପରଲୋକ ହୋଇଯାଇଛି । ସ୍ବର୍ଗତ ହୃଦାନନ୍ଦ ବ୍ୟକ୍ତିଗତ କାର୍ଯ୍ୟରେ ଢେଙ୍କାନାଳ ଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ତାଙ୍କର ହୃଦଘାତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରାହ୍ନରେ ତାଙ୍କ ମରଶରୀର ଭୁବନ ଏନ୍ ଏ ସି ଅନ୍ତର୍ଗତ ୭ ନମ୍ବର ୱାର୍ଡ ଗୁଜୁରୀହାଟ ସ୍ଥିତ ବାସଭବନରେ ପହଞ୍ଚିବା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ପରେ ମରଶରୀର କୁ ସହର ପରିକ୍ରମା କରାଯାଇ ରଗଡ଼ି ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ବର୍ଗତ ହୃଦାନନ୍ଦ ୨୦୦୨ ଓ ୨୦୦୭ ମସିହାରେ ବିଜୁ ଜନତା ଦଳ କାଉନସିଲର ଭାବେ ବିଜୟୀ ହେବା ସହ ୨୦୦୨ ରେ ଉପ ନଗରପାଳ ହୋଇଥିଲେ । ୨୦୨୨ ପୌର ନିର୍ବାଚନ ସମୟରେ ସେ ବିଜେଡି ଛାଡ଼ି ବିଜେପି ରେ ଯୋଗ ଦେଇଥିଲେ । ଭୁବନ ଏନ୍ ଏ ସି ରାଜନୀତିରେ ଚାଣକ୍ୟ ଭାବେ ପରିଚିତ ତଥା ଧୁରୀଣ ରାଜନୀତିଜ୍ଞ ହୃଦାନନ୍ଦ ଙ୍କ ଅକାଳ ବିୟୋଗ ସମଗ୍ର ଭୁବନ ରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *