ମାହାଙ୍ଗା ୧୦/୦୮/୨୦୨୬(ଓଡିଶା ସମାଚାର /ଅଭୟ ଜେନା )ସ୍ଥିତି ଅନୁଧ୍ୟାନ ପାଇଁ ସୋମବାର ଦିନ ମାହାଙ୍ଗା ବ୍ଲକର ୩୭ ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଜଳବନ୍ଦୀ ଅଞ୍ଚଳ ବୁଲିଲେ ପ୍ରଶାସନିକ ଅଧିକାରୀ । ଲଗାଣ ବର୍ଷା ଯୋଗୁଁ ଗୋବରୀ ଓ ମଇଜରାରେ ଜଳସ୍ତର ବୃଦ୍ଧି ପାଇବାରୁ ଲୋକଙ୍କ ଅବସ୍ଥା ବେହାଲ ହୋଇପଡିଛି ।
ଚଳିତ ମାସ ଆରମ୍ଭରୁ ଅବିଶ୍ରାନ୍ତ ବର୍ଷା ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଏବେବି ପାଣି ଘେରରେ ଚାଷ ଜମି ଓ ତଳିଆ ଅଂଚଳର ବହୁ କଚ୍ଚା ଘର । ବାଡ଼ି ବଗିଚାରେ ଚାଷୀ ଲଗାଇଥିବା ପନି ପରିବା ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଚାଷୀ ମାନଙ୍କ ମୁଖ୍ୟ ଲାଭଦାୟକ ଫସଲ ଧାନ, ପାଣି ଭିତରେ ବୁଡି ରହିଛି । ଯେଉଁମାନେ ଜମିରେ ଧାନ ରୁଆ ପୋତା ଓ ବୁଆ କାର୍ଯ୍ୟ ସାରିଦେଇଥିଲେ ସେମାନେ ଚିନ୍ତାରେ ପଡିଯାଇଛନ୍ତି । ପାଣି ଭିତରୁ ଫସଲକୁ ଉଦ୍ଧାର କରାଯିବା କଷ୍ଟ । ଚାଷୀଙ୍କ ତଳି ଚାରାବି’ ଏହା ମଧ୍ୟରେ ପଚି ଯାଉଛି ।ଲଗାଣ ବର୍ଷାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡିଛି ।
ସେହିପରି ବିରୂପା-ଗେଙ୍ଗୁଟି ଦୁଆବ ଅଂଚଳରେ ମଧ୍ୟ ସମାନ ସ୍ଥିତି । ପାଣିରେ ବୁଡିରହିଛି ଫସଲ ।ଆଜି କଟକ ଉପଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ,ସ୍ଥାନୀୟ ତହସିଲଦାର, ଡ୍ରେନେଜ ଡିଭିଜନ ,ଜଳସମ୍ପଦ, କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀଙ୍କୁ ନେଇ ବିଧାୟକ ଶାରଦା ପ୍ରଧାନ ଅନେକ ପଞ୍ଚାୟତରେ ପହଂଚି, ସ୍ଥିତି ଅନୁଧ୍ୟାନ କଲାବେଳେ ବହୁ ଚାଷୀ ସେମାନଙ୍କ ଦୁଃଖ ପ୍ରଶାସନକି ଜଣାଇଥିଲେ । ଉପଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀ ମାନଙ୍କୁ ବିଧାୟକ ପାଣି ଘେରରେ ଥିବା ଅଞ୍ଚଳ ବୁଲାଇବା ପରେ ସେମାନେ ଫେରି ଯାଇଛନ୍ତି । ଏସବୁ କ୍ଷତିର ପ୍ରାକ ଆକଳନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସମେତ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି । ତେବେ ସମୟ କହିବ ମାହାଙ୍ଗା ଅଂଚଳର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ଆଗକୁ କି’ ପ୍ରକାର ସହାୟତା ଘୋଷଣା କରୁଛନ୍ତି ।
