ପୁଣି ଏକ ଦନ୍ତାର ମୃତ ଦେହ ଉଦ୍ଧାର

ନରସିଂହପୁର ବନାଞ୍ଚଳରେ ମାସକରେ ମଲେଣି ୪ ହାତୀ

ନରସିଂହପୁର,୦୪/୦୨/୨୦୨୫ (ଓଡ଼ିଶା ସମାଚାର)-ନରସିଂହପୁର ପୂର୍ବ ବନାଞ୍ଚଳରେ ପୁଣି ଏକ ଦନ୍ତା ହାତୀର  ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ଗତ ମାସକ ମଧ୍ୟରେ ୪ ଟି ହାତୀର ମୃତ ଦେହ ଉଦ୍ଧାର ହେଲାଣି । ହାତୀ ମୃତ୍ୟୁକୁ ନେଇ ସବୁବେଳେ ଆଠଗଡ ବନଖଣ୍ଡ ଚର୍ଚ୍ଚାରେ ରହିଆସିଥିବା ବେଳେ ଏହି ବନଖଣ୍ଡ ଅନ୍ତର୍ଗତ ନରସିଂହପୁରର ପୂର୍ବ ଏବଂ ପଶ୍ଚିମ ଦୁଇଟି ବନାଞ୍ଚଳରେ ବହୁଳ ହାତୀ ମୃତ୍ୟୁ ବିଭାଗୀୟ କାର୍ଯ୍ୟ ଓ ଦାୟିତ୍ଵ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ନିକଟରେ କ୍ରମାଗତ ଭାବେ ନରସିଂହପୁରର  ପୂର୍ବ ବନାଞ୍ଚଳରେ ୩ ଟି ହାତୀ ଏବଂ ପଶ୍ଚିମାଞ୍ଚଳରେ ଗୋଟିଏ ହାତୀ ମୃତ୍ୟୁ ବରଣ କରିଛି। ମଙ୍ଗଳବାର ଉଦ୍ଧାର ମୃତ ଦନ୍ତାଟିର ବୟସ ୬ ବର୍ଷ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ହାତୀଟି ଗତ ୭ଦିନ ତଳେ ମୃତ୍ୟୁ ବରଣ କରିଥିବାରୁ ତାହାର ଗଳିତ ଦେହ ଉଦ୍ଧାର ହୋଇଛି । ହାତୀଟି ପୂର୍ବ ବନାଞ୍ଚଳର ଚତରାପଦା ସେକ୍ସନ ଅନ୍ତର୍ଗତ କମ୍ପାର୍ଟମେଣ୍ଟ – ୪ ଜଙ୍ଗଲ ମଧ୍ୟରେ ଏକ ଗଡାଣିଆ ସ୍ଥାନରେ ହାତୀଟି କାଠ ଖୁଣ୍ଟା ରେ ଆଘାତ ପରେ ମୃତ୍ୟୁ ହୋଇଥିବା ସମ୍ପୃକ୍ତ ବନାଞ୍ଚଳ  ଅଧିକାରୀ ସୁବାସ ଚନ୍ଦ୍ର ରାଉତ କହିଛନ୍ତି । ତେବେ ଗୋଟିଏ ପରେ ଗୋଟିଏ ହାତୀ ଜଙ୍ଗଲରେ ମରିବା ଏବଂ ପରେ ସେମାନଙ୍କ ମୃତ ଦେହ ଉଦ୍ଧାର ହେଉଥିବା ନେଇ ସ୍ଥାନୀୟ ପରିବେଶବିତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ମାସକ ମଧ୍ୟରେ ମୃତ ୪ ହାତୀ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ହାତୀ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ବଢୁଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଛି ।

ଆଜି ଦନ୍ତା ହାତୀର ମୃତ୍ୟୁ ସମ୍ପର୍କରେ ଜଣାପଡିବା ପରେ ଆଠଗଡ ବନଖଣ୍ଡ ଅଧିକାରୀ ଡଃ ଯଜ୍ଞଦତ୍ତ ପତି, ଅନୁଗୁଳ ଆରସିସିଏଫ୍ ସୁଧାଂଶୁ ଶେଖର ଖୁରାନିଆ, ପ୍ରାଣୀ ଚିକିତ୍ସକ ଏବଂ ବନ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତ ହାତୀକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଯାଇ ସେହିଠାରେ ପୋତି ଦିଆଯାଇଛି । ନରସିଂହପୁର ବନାଞ୍ଚଳରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବା ବେଳେ ହାତୀଙ୍କ ସୁରକ୍ଷା ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ।ଏହି ହାତୀ ବଂଶ ଲୋପ ପାଉଥିବାକୁ ନେଇ ପରିବେଶବିତି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି।ଦାୟିତ୍ୱରେରେ ଥିବା ଉଚ୍ଚ କର୍ତ୍ତୃପକ୍ଷ ନରସିଂହପୁର ବନାଞ୍ଚଳକୁ ନିୟମିତ ପରିଦର୍ଶନରେ ଆସୁ ନଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି ।

Leave a Reply

Your email address will not be published. Required fields are marked *