ସଂଗ୍ରାମ ଜେନାଙ୍କ “ପଥାନ୍ତର “ଉନ୍ମୋଚିତ

“କବିତାରେ ସମକାଳର ସ୍ୱର ପ୍ରତିଫଳିତ ହେବା ଆବଶ୍ୟକ “:ପ୍ରତିଭା ଶତପଥୀ

ଭୁବନେଶ୍ୱର,୦୨/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କବିତାରେ ସମକାଳର ସ୍ୱର ଓ ମଣିଷର ଜୀବନଧାରାର ଚିତ୍ର ପ୍ରତିଫଳିତ ହେବା ଆବଶ୍ୟକ ବୋଲି ପ୍ରସିଦ୍ଧ କବି ଡ଼. ପ୍ରତିଭା ଶତପଥୀ ମତ ବ୍ୟକ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭା କକ୍ଷରେ  କବି ସଂଗ୍ରାମ ଜେନାଙ୍କ କବିତା ପୁସ୍ତକ “ପଥାନ୍ତର” ର ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସେ ଏହା କହିଛନ୍ତି । ବିଶିଷ୍ଟ ଆଲୋଚକ ପ୍ରଫେସର ଯତୀନ୍ଦ୍ର ନାୟକ କହିଲେ ଯେ,   ସା- ଙ୍ଗୀତିକତା ଓ ସରଳତା କବିତାକୁ ଆୟୁଷ୍ମାନ କରାଏ । ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା କହିଲେ ଯେ ସଂଗ୍ରାମଙ୍କ କବିତାରେ ବୁଦ୍ଧ ଓ ଗାନ୍ଧୀଙ୍କ ଜୀବନାଦର୍ଶ ମଧ୍ୟ ରୂପାୟିତ ହୋଇଛି ।

ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପିକା ଡ଼. ସଂଘମିତ୍ରା ଭଞ୍ଜ ପୁସ୍ତକର ଏକ ଭାବଗର୍ଭକ ସମୀକ୍ଷା ଉପସ୍ଥାପନ କରିଥିବା ବେଳେ କବି ଶ୍ରୀ ଜେନା ଲେଖକୀୟ  ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସସ୍ମିତା ପଟ୍ଟନାୟକ କବିଙ୍କ ଲେଖା ପାଠ କରିଥିଲେ ।

“ନିଶାନ୍ତ” ଓ “ମାର୍ଗ ଏସିଆ ” ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି  ଡ଼.ପ୍ରତିଭା ଶତପଥୀଙ୍କୁ  ପଦ୍ମ ସମ୍ମାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ କବି ଫନି ମହାନ୍ତି, ସୁଲେଖକ ଜ୍ୟୋତି ନନ୍ଦ, ଅରବିନ୍ଦ ବେହେରା, କବି ରବି ସ୍ୱାଇଁ, ଜର୍ମାନ ଗବେଷିକା ଉଟି ଈସିଞ୍ଜର, କପିଳାସ ଭୂୟାଁ, ବଙ୍ଗାଳି ନନ୍ଦଙ୍କ ସମେତ ବହୁ କବି, ଲେଖକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *