ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଗଣମାଧ୍ୟମ ସମ୍ପାଦକଙ୍କ ସହିତ ଆଲୋଚନା

ସମୃଦ୍ଧ ଓଡ଼ିଶା ଗଠନର ରୂପରେଖ ସଂପର୍କରେ ବିଚାରବିମର୍ଶ

ଭୁବନେଶ୍ୱର,୨୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମୃଦ୍ଧ ଓଡ଼ିଶା ଗଠନର ରୂପରେଖ ସଂପର୍କରେ ଗଣମାଧ୍ୟମ ସମ୍ପାଦକଙ୍କ ସହିତ ଏକ ଆଲୋଚନା ଚକ୍ର  ଆଜି “ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍” ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତ ରଖିଥିଲେ । 

           ଆଲୋଚନା ଚକ୍ରର  ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରି  ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ କହିଲେ ଯେ, ଆମେ ଆଜି ଏକ ନୂଆ ଯୁଗରେ ବାସ କରୁଛେ । ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଓ ପ୍ରୟୋଗ ଯୋଗୁଁ ଲୋକମାନଙ୍କର ଆଶା ଓ ଆକାଂକ୍ଷାରେ ପରିବର୍ତ୍ତନ ଘଟୁଛି । ତଦନୁସାରେ ବୈଦ୍ୟୁତିକ, ମୁଦ୍ରଣ, ସାମାଜିକ ତଥା ଡିଜିଟାଲ ଗଣମାଧ୍ୟମର ଗୁରୁତ୍ୱ ବୃଦ୍ଧି ପାଇଛି । ସରକାରଙ୍କ ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରିବା, ଯୋଜନା ଓ ନୀତି ନିର୍ଦ୍ଧାରଣରେ  ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ରାଜ୍ୟ ସରକାର ୨୦୩୬  ସୁଦ୍ଧା ବିକଶିତ ଓଡିଶାର ଲକ୍ଷ୍ୟ ସାଧନ ଦିଗରେ ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି , ସେଥିପାଇଁ ଗଣମାଧ୍ୟମର ସହଯୋଗ ଅପରିହାର୍ଯ୍ୟ ବୋଲି ସେ ପ୍ରକାଶ କରିଥିଲେ । ଓଡିଶାର ଦୃତ ବିକାଶ ପାଇଁ  ରାଜ୍ୟର  ନିବେଶକମାନଙ୍କ ସହିତ  ଦେଶ ବିଦେଶରୁ ପୁଞ୍ଜି ନିବେଶକମାନଙ୍କୁ ଆକୃଷ୍ଟ କରି  ବିକାଶ ଲକ୍ଷ୍ୟ ହାସଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

           କାର୍ଯ୍ୟକ୍ରମରେ ବରିଷ୍ଠ ମୁକ୍ତ ବୃତ୍ତ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀ ଯୋଗଦେଇ କହିଲେ ଯେ,  ପ୍ରାକୃତିକ ସମ୍ପଦ, ମାନବ ସମ୍ବଳ ଥିବା ରାଜ୍ୟ ଓଡ଼ିଶାରେଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ରାଜ୍ୟର ଐତିହ୍ୟ, ସାଂପ୍ରତିକ ବାଣିଜ୍ୟିକ ସ୍ଥିତି ପ୍ରତି ଦୃଷ୍ଟିପାତ କରି ସେ ଜନସାଧାଣଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ତରରେ ଶିଳ୍ପାୟନ ଓ ନିବେଶ ସୁବିଧା ପାଇଁ ସକରାତ୍ମକ ଦୃଷ୍ଟିକୋଣରଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ବୃହତ୍ ଶିଳ୍ପ ସହିତ କ୍ଷୁଦ୍ର ଶିଳ୍ପକୁ ଗୁରୁତ୍ୱ ଦେବାକୁ ସେ ମଧ୍ୟ ମତ ଉପସ୍ଥାପନ କରିଥିଲେ ।

           କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ପ୍ରାକ୍ତନ ସଦସ୍ୟ ଶ୍ରୀ ପ୍ରସନ୍ନ ମହାନ୍ତି ଯୋଗଦେଇ କହିଲେ ଯେ, ଏହି ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଏବଂ ବହୁ ବିଶିଷ୍ଟ ଶିଳ୍ପପତିଙ୍କ ନିବେଶ ପ୍ରତି ବିପୁଳ ସମର୍ଥନ ମିଳିଥିବା ଓଡ଼ିଶା ପାଇଁ ଆନନ୍ଦର  କଥା ।  ଏହାର ରାଜ୍ୟର ସାମୁହିକ ଦୃଷ୍ଟି କୋଣରୁ ରାଜ୍ୟ ପାଇଁ ବଡ଼ ଆଶ୍ୱାସନା ଓ ବିକାଶ ପାଇଁ ବଡ଼ ପାଥେୟ ହେବ ବୋଲି ସେ କହିଥିଲେ । ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଅନୁଦାନ ରାଶି ବଢିବା ସାଙ୍ଗକୁ ସହଯୋଗ ମଧ୍ୟ ବଢିଛି । ଜନସାଧାରଣ, ଗଣମାଧ୍ୟମ ଏବଂ ସବୁସ୍ତରରେ ଲୋକଙ୍କ ସହଭାଗିତାରେ ବିକାଶକୁ ତ୍ୱରାନ୍ୱିତ କରାଯିବା ଉପରେ ସେ ଗୂରୂତ୍ୱାରୋପ କରିଥିଲେ ।

           ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ଆବାସିକ ସମ୍ପାଦକ ଶ୍ରୀ ଶିବ କୁମାର ମହାନ୍ତି ଯୋଗଦେଇ କହିଲେ ଯେ, ବର୍ତ୍ତମାନ ରାଜ୍ୟରେ ପୁଞ୍ଜିନିବେଶ କରିବାରେ ଅନୁକୂଳ ପରିବେଶ ରହିଛି । ଅଭିନବ ଜ୍ଞାନକକୌଶଳ, ଉତ୍ପାଦରେ ଗୁଣାତ୍ମକତା, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ଗୁରୁତ୍ୱ, ଶିଳ୍ପ ପାର୍କ ପ୍ରତିଷ୍ଠା, ଇଲେକ୍ଟ୍ରୋନିକ ଏବଂ ଆଇଟି କ୍ଷେତ୍ର ଆଦିର ବିକାଶ ସଂପର୍କରେ ଆଲୋକ ପାତ କରିବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ଲକ୍ଷ୍ୟଭିତ୍ତିକ ନୀତି ନିର୍ଦ୍ଧାରଣ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । 

          ଅର୍ଗସ୍ ଟିଭିର ସମ୍ପାଦକ ଶ୍ରୀ ସଞ୍ଜୟ ଜେନା ଯୋଗଦେଇ , ସୁସ୍ଥ ପରିବାର ଓ ସୁସ୍ଥ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯିବା ସହ ୨୦୩୬ ର ଧାର୍ଯ୍ୟ ଲକ୍ଷ୍ୟ ସାଧନ ନିମନ୍ତେ ଆମକୁ ଦୀର୍ଘସ୍ଥାୟୀ ଲକ୍ଷ୍ୟ ଓ ଯୋଜନାକୁ ନିୟମିତ ସମୀକ୍ଷା ପୂର୍ବକ  କାର୍ଯ୍ୟାନ୍ୱୟନ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିବ ବୋଲି କହିଥିଲେ । 

          ଏସିଆନ୍ ଏଜ୍  ଏବ ଡେକାନ୍ କ୍ରୋନିକଲର  ଓଡ଼ିଶାର ଆବାସିକ ସମ୍ପାଦକ-ତଥା ସ୍ୱତନ୍ତ୍ର ସମ୍ବାଦଦାତା ଶ୍ରୀ ଅକ୍ଷୟ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ ଓଡିଶାର ଶିଳ୍ପାନୁକୂଳ ଶିଳ୍ପ ନୀତି ରହିଛି  ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସମୟ କ୍ରମେ ପରିବର୍ତ୍ତନ କରାଯାଉଛି । ଆମର ପୁନର୍ବାସ ଓ ଥଇଥାନ ନୀତି ମଧ୍ୟ ଦେଶରେ ଉତ୍ତମ ରହିଛି ।  ଏବେ ରାଜ୍ୟ ସରକାର ଶିଳ୍ପ ସହିତ କୃଷି ପ୍ରକ୍ରିୟାକରଣକୁ ଯେପରି ଗୁରୁତ୍ୱ ଦେଉଛନ୍ତି, ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ  ବୋଲି ସେ ମତବ୍ୟକ୍ତ କରିଥିଲେ । ସମାଜର ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ପାଇଁ ଗ୍ରାମ୍ୟ ଅର୍ଥନୀତିର ବିକାଶ, ଯୋଜନା ପ୍ରସ୍ତୁତି ସହିତ ଏହାର କାର୍ଯ୍ୟକାରିତା  ପାଇଁ ସମ୍ମିଳିତ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । 

          ସମ୍ବାଦର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଯୋଗ ଦେଇ କହିଥିଲେ ଯେ, ଶିଳ୍ପ କ୍ଷେତ୍ର ସହିତ ସେବା କ୍ଷେତ୍ରର ସମନ୍ୱିତ ବିକାଶ ଦ୍ୱାର ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ । ନୀତି ଆୟୋଗ ବିବରଣୀ ଆଧାରରେ  ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ସହିତ  ଉତ୍ପାଦିତ ଦ୍ରବ୍ୟର ବଜାର ସୁବିଧା, ନିଯୁକ୍ତି ସୁଯୋଗ, ବିକଶିତ ଗାଁର ପରିକଳ୍ପନାକୁ ରୂପ ଦେବା  ଏବଂ  ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବର୍ଗଙ୍କ ସାମଗ୍ରିକ ବିକାଶ ଉପରେ ସେ ଆଲୋକପାତ କରିଥିଲେ ।

           ଓଟିଭିର ବାର୍ତ୍ତା  ସମ୍ପାଦକ ଶ୍ରୀ ରାଧାମାଧବ ମିଶ୍ର ଯୋଗଦେଇ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି । ଏହା ଦ୍ୱାରା ରାଜ୍ୟର ବିକାଶ ଧାରା ଅଧିକ କ୍ରିୟାଶୀଳ ହୋଇପାରିବ । ଭିତ୍ତିଭୂମିର ଉନ୍ନତି, ଆଧିୁନିକ କୃଷି ପ୍ରଣାଳୀ ଆଧାରିତ ଚାଷ, ମତ୍ସ୍ୟ ଓ  ଗୋପାଳନ କ୍ଷେତ୍ରକୁ ଅଧିକ ସରକାରୀ ପ୍ରୋତ୍ସାହନ ଦ୍ୱାରା ତୃଣମୂଳସ୍ତରରୁ ରାଜ୍ୟର ଆର୍ଥିକ ବିକାଶ ଓ ପ୍ରଗତି ସମ୍ଭବ ହୋଇପାରିବ । ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ  ସୁଯୋଗକୁ ଅଧିକ ପରିବ୍ୟାପ୍ତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । 

           ଶେଷରେ ସୂଚନା ଓ ପ୍ରସାରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମସ୍ତ ଅତିଥି ଗଣମାଧ୍ୟମ ସଂପାଦକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

-0-

 

ପଠାଣି ରାଉତ ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *