ଭୁବନେଶ୍ୱର,୨୯/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆରମ୍ଭ ହୋଇଯାଇଛି ଉତ୍କର୍ଷ ଓଡ଼ିଶା-ମେକଇନ୍ ଓଡ଼ିଶା କନକ୍ଲେଭ। ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ହେଉଥିବା ଏହି କନକ୍ଲେଭରେ ଦେଶ-ବିଦେଶରୁ ଅନେକ ଶିଳ୍ପପତି ଓ ପୁଞ୍ଜିନିବେଶକମାନେ ଯୋଗଦେଇଛନ୍ତି।
ଉତ୍କର୍ଷ ଓଡ଼ିଶା-ମେକଇନ୍ ଓଡ଼ିଶା କନକ୍ଲେଭର ଆଜି ଦ୍ଵିତୀୟ ଦିନରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶର ବିଭିନ୍ନ ଦିଗ ଏବଂ ସୁଯୋଗକୁ ନେଇ ଏକ ଅଧିବେଶନର ଆୟୋଜନ କରାଯାଇଥିଲା। ଉକ୍ତ ଅଧିବେଶନରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ନିଜର ଅଭିଭାଷଣରେ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, କଳା, ଭାସ୍କର୍ଯ୍ୟ,ସ୍ଥାପତ୍ୟ,ଐତିହ୍ୟ ଏବଂ ସଂସ୍କୃତି ସମୃଦ୍ଧ ରାଜ୍ୟ ହେଉଛି ଆମ ଓଡ଼ିଶା। ମନ୍ଦିରମାଳିନୀ ରାଜ୍ୟ ଓଡ଼ିଶାରେ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର ଆଦି ଅନେକ ପ୍ରସିଦ୍ଧ ମନ୍ଦିର ରହିଛି। ଏଥିସହ ପ୍ରାକୃତିକ ଶୋଭାରେ ବିମଣ୍ଡିତ ଆମ ରାଜ୍ୟ ଓଡ଼ିଶା ବନରାଜି, ଅଭୟାରଣ୍ୟ, ନଦୀ, ହ୍ରଦ, ସମୁଦ୍ର ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପରିପୂର୍ଣ୍ଣ। ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ହେବା ଦ୍ୱାରା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏଥିସହିତ ଆମ ବିକାଶର ଯାତ୍ରା ଆହୁରି ମଧ୍ୟ ଅଗ୍ରସର ହୋଇପାରିବ। ତେଣୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ବର୍ତ୍ତମାନର ସମୟ ହିଁ ପ୍ରକୃଷ୍ଟ ସମୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମତପ୍ରକାଶ କରିଥିଲେ।
ଆଜିର ଅଧିବେଶନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ରହିଥିବା ବିଭିନ୍ନ ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରିଥିବାବେଳେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, କାର୍ଯ୍ୟକ୍ରମ, ଯୋଜନା ଓ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀ ଯଥା ଆଟମୋସ୍ପିୟର ହସପିଟାଲିଟି ପ୍ରା. ଲିମିଟେଡ଼, ଉତ୍କଳ ବିଲଡ଼ରସ୍ ଲିମିଟେଡ଼, ଏସ. ଏନ. ଏମ ହୋଟେଲ ଆଣ୍ଡ ରିସର୍ଟ୍ସ ଲିମିଟେଡ଼, ପ୍ରଭୁକୃପା ଇଷ୍ଟେଟ ଆଣ୍ଡ ପ୍ରୋପରଟିସ, କାମନାଥ ହୋଟେଲସ୍ ଇଣ୍ଡିଆ ଲିମିଟେଡ଼, ଆଶୀର୍ବାଦ ଇଞ୍ଜିନିଅରିଙ୍ଗ ଆଣ୍ଡ କନଷ୍ଟ୍ରକସନ୍ ଲିମିଟେଡ଼, ଏ. କେ ଦାସ ଆସୋସିଏଟ, କାଶଭି ହଲିଡ଼େ, ଆଇଟିସି ଲିମିଟେଡ଼ ଆଦି ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
-0-
ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ