ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ବିରୁଦ୍ଧରେ ଲଢେଇ ପାଇଁ ଉପଭୋକ୍ତା ମହାସଂଘର ସଜବାଜ

ଭୁବନେଶ୍ୱର,୦୬/୧୨/୨୦୨୫ (ଓଡ଼ିଶା ସମାଚାର)- ଦୁଇଦିନ ତଳେ ଟାଟା ପାୱାର ସେଂଟ୍ରାଲ ଡିଭିଜନ ତରଫରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ପ୍ରକାଶିତ ହୋଇଛି । ଏହି ବିଜ୍ଞାପନ ଯୋଗୁ ରାଜ୍ୟର ଏକକୋଟି ଏଗାର ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ମନରେ ଆତଙ୍କ ଖେଳିଯାଇଛି । ଏହାକୁ ବିରୋଧ କରିଛି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ । ଶନିବାର ମହାସଂଘର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ବିରୁଦ୍ଧରେ ଉପଭୋକ୍ତା ମହାସଂଘ ଲଢେଇ କରିବ ବୋଲି ନିଷ୍ପତି ହୋଇଛି ।

ମହାସଂଘର ସମ୍ପାଦକ ରବି ବେହେରା ବୈଠକର ଆରମ୍ଭରେ ଏହି ବିଜ୍ଞପ୍ତି ଓ ସ୍ମାର୍ଟ ମିଟର ଉପରେ ସୁବିସ୍ତୃତ ସୂଚନା ଦେଇ କହିଥିଲେ ଯେ, ୨୦୧୯ ବିଜୁଳି ଯୋଗାଣ କୋଡ୍ ର ଧାରା ୫୩, ୫୪ ଅନୁଯାୟୀ ଉପଭୋକ୍ତାମାନଙ୍କ ଠାରୁ ଟାଟା ପାୱାର ସେଂଟ୍ରାଲ ଡିଭିଜନ ତରଫରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରାଯିବ । ଧାରା ୫୫ ଅନୁଯାୟୀ ଉପଭୋକ୍ତାଙ୍କୁ ନୋଟିସ୍ ଦିଆଯିବ । ଯେଉଁ ଉପଭୋକ୍ତାମାନେ ୩୦ ଦିନ ଭିତରେ ତାଙ୍କର ଜମାରାଶି ଦାଖଲ ନକରିବେ, ସେମାନଙ୍କୁ ଶତକଡ଼ା ୧୫ ସୁଧରେ ତଣ୍ଡ ଗଣିବାକୁ ପଡ଼ିବ । ଯଦି ୩୦ ଦିନ ଭିତରେ ସେମାନେ ଏହି ଜୋରିମାନା ନଦିଅନ୍ତି, ତେବେ ଧାରା ୫୬ ଅନୁଯାୟୀ ଉପଭୋକ୍ତାଙ୍କର ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ଜନବିରୋଧି ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ସେହିଭଳି ଯେଉଁ ଉପଭୋକ୍ତାଙ୍କର ମିଟର ଠିକ୍ ଅଛି ବା ଡିଜିଟାଲ ମିଟର ଅଛି, ସେମାନଙ୍କ ମିଟରକୁ ଖରାପ ଦର୍ଶାଇ ସ୍ମାର୍ଟ ମିଟର ଲଗାଇବା ପାଇଁ ଟାଟା ପାୱାର ମସୁଧା ଚଳାଇଛି । ୮୭ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୬ ଲକ୍ଷ ପରିବାରରେ ସ୍ମାର୍ଟ ମିଟର ସଂଯୋଗ କରାଯାଇଛି ଏବଂ ଯେଉଁମାନେ ସ୍ମାର୍ଟ ମିଟର ଲଗାଇଛନ୍ତି ସେମାନଙ୍କର ଦେଢଗୁଣ ବିଲ୍ ଆସୁଛି ବୋଲି ଶ୍ରୀ ବେହେରା କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସିପିଏମ୍ ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଅତିିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ଯୋଗୁ ଓଡ଼ିଶାର ଉପଭୋକ୍ତା ତଣ୍ଡ ଗଣିବେ ବୋଲି ମତବ୍ୟକ୍ତ କରିବା ସହିତ ଏହାକୁ ରାଜ୍ୟବ୍ୟାପୀ ବିରୋଧ କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା, ଏନସିପିର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଯୁବନେତା ଦେବୀ ପୃଷ୍ଟି, ସିପିଆଇ (ଏମ୍-ଏଲ୍) ନେତା ମହେନ୍ଦ୍ର ପରିଡ଼ା ଓ ଫରୱାର୍ଡ଼ ବ୍ଲକର ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ଟାଟା ପାୱାରର ମନମାନୀ ବିରୁଦ୍ଧରେ ସ୍ୱର ଉତୋଳନ କରିବାକୁ ଆହ୍ୱାନ ଦେଇଥିଲେ । ଓଇଆରସି ଓ ରାଜ୍ୟ ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଙ୍କୁ ଖୁବ୍ ଶୀଘ୍ର ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ଏବଂ ଏହାକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଯେଉଁ ଗଣଆନ୍ଦୋଳନ ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ମତବ୍ୟକ୍ତ କରାଯାଇଛି । ବିଧାନସଭା ଚାଲୁଥିବା ଯୋଗୁଁ ମାନ୍ୟବର ବିଧାୟକମାନେ ଟାଟା ପାୱାରର ଏହି ଶୋଷଣ ବିରୁଦ୍ଧରେ ସ୍ୱର ଉତୋଳନ କରିବାକୁ ଉପଭୋକ୍ତା ମହାସଂଘ ବିଧାୟକମାନଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *