ମାଉଜର ଓ କାଇବାଇନ୍ ଚୋରା ଚାଲାଣ ବେଳେ ୧୦ ମାଉଜର ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୦୬/୧୨/୨୦୨୫ (ଓଡ଼ିଶା ସମାଚାର)- ବିହାରରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ବେଳେ ଖଣ୍ଡଗିରି ଛକରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଚଢାଉ କରି ୧୦ ମାଉଜର ଜବତ କରିଛି। ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନାନୁଯାୟୀ, ଏକ କାରରେ ଚୋରା ମାଉଜର ଓ କାଇବାଇନ୍ ବିହାରରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିଲା । ଏ ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ କମିଶନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ କାରଟିକୁ ପିଛା କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ହେଲେ ଏସଟିଏଫ୍ ଟିମ୍ କାରଟିକୁ ଗୋଡାଇ ଗୋଡାଇ ଖଣ୍ଡଗିରି ଛକରେ କାବୁ କରିଥିଲା। କାରଟିକୁ ଯାଞ୍ଚ କରିବାରୁ ଏହା ଭିତରୁ ୧୦ ମାଉଜର, କାରବାଇନ୍ ଓ ଜୀବନ୍ତ ଗୁଳି ମିଳିଥିଲା।

ଘଟଣାରେ ୨ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି କମିଶନରେଟ ପୁଲିସ । ଗିରଫ ଦୁଇଜଣ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଗିରଫ ଦୁଇଜଣ ହେଲେ ସୁମନ୍ତ ନାୟକ ଓ ସୌଭାଗ୍ୟ ନୟକ । ପୂର୍ବରୁ ସୁମନ୍ତଙ୍କ ନାରେ ୬ଟି ମାମଲା ଓ ସୌଭାଗ୍ୟଙ୍କ ନାରେ ୪ଟି ମାମଲା ଥିବା କମିଶନରେଟ ପୁଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *