ମହିଳା ଯୌନ ନିର୍ଯାତନା ସମ୍ପର୍କିତ ସଚେତନତା

ଜଗତସିଂହପୁର,୨୪/୦୧/୨୦୨୫ (ଓଡ଼ିଶା ସମାଚାର)-ବିରିଡି ବ୍ଲକ ଅନ୍ତର୍ଗତ ଅଢଙ୍ଗଗଡ ପଞ୍ଚାୟତ କାର୍ଯାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କର୍ମକ୍ଷେତ୍ରରେ  ମହିଳା ଯୌନ ନିର୍ଯାତନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇସିଡିଏସ୍ ସୁପରଭାଇଜର୍ ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନୁଯାୟୀ ଯଦି କୌଣସି ଉପରିସ୍ଥ ଅଧିକାରୀ ତାଙ୍କର ଅଧନସ୍ଥ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନ ଦିଅନ୍ତି ତେବେ ଏହି ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସାଧାରଣତ ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନର ଶିକାର ହେଇଥାନ୍ତି । ଉପରିସ୍ଥ ଅଧିକାରୀମାନେ ଅଧନସ୍ଥ ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି, ଦରମା ବୃଦ୍ଧି, ପଦୋନ୍ନତି, ବଦଳି ଏବଂ ଚାକିରି ସ୍ଥାୟୀ କରିବା ଭଳି ମିଛ ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନ ଦେଇଥାନ୍ତି । ମହିଳାମାନେ ଏହି ମିଛ ପ୍ରଲୋଭନରେ ବଶୀଭୂତ ହୋଇ ନିର୍ଯାତନ ର ଶିକାର ହୁଅନ୍ତି । ଏହା ସହିତ, ଆତ୍ମବିଶ୍ୱାସର ଅଭାବ ଏବଂ ଲଜ୍ଜା ହେତୁ ମହିଳାମାନେ ଯୌନ ନିର୍ଯାତନାର ଘଟଣାଗୁଡ଼ିକ ରିପୋର୍ଟ କରିବାକୁ ଅନିଚ୍ଛୁକ ହୁଅନ୍ତି । ଏଥିପାଇଁ ମାନ୍ୟବର ସୁପ୍ରିମ କୋର୍ଟଙ୍କନିର୍ଦ୍ଦେଶ କ୍ରମେ ସମସ୍ତ କାର୍ଯ୍ୟାଲୟରେ ଅଭିଯୋଗ କମିଟି ଗଠନ କରାଯାଇଛି । ଯେଉଁ କାର୍ଯ୍ୟାଳୟରେ ୧୦ ରୁ କମ୍ ମହିଳା କର୍ମଚାରୀ କାର୍ଯ୍ୟ କରନ୍ତି ସେଠାରେ ଆଞ୍ଚଳିକ ଅଭିଯୋଗ କମିଟି ଏବଂ ୧୦ ରୁ ଉର୍ଦ୍ଧ କର୍ମଚାରୀଙ୍କ କ୍ଷେତ୍ରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଏ । ମହିଳା କର୍ମଚାରୀମାନେ ଉକ୍ତ କମିଟିରେ ତାଙ୍କ ଅଭିଯୋଗ ଦାଖଲ କରିପାରିବେ । ଏହି କମିଟି ମାଧ୍ୟମରେ ଅଭିଯୋଗର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଯଦି କୌଣସି ମହିଳା କର୍ମଚାରୀ  ଯୌନ ନିର୍ଯାତନାର ଶିକାର ହୁଅନ୍ତି ତେବେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଅଭିଯୋଗ କରିବା ପାଇଁ ସଚିବ ଉପସ୍ଥିତ ଥିବା ଅଙ୍ଗନବାଡି କର୍ମୀମାନଙ୍କୁ ସଚେତନ କରାଇଥିଲେ । ଏହା ସହ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ରାୟ ସମ୍ପର୍କରେ ମଧ୍ୟ ସଚିବ ଆଲୋଚନା କରିଥିଲେ । ଆଇସିଡିଏସ୍ ସୁପରଭାଇଜର୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *