ଭୁବନେଶ୍ୱର, ୨୪/୦୧/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଜାତୀୟ କନ୍ୟା ସନ୍ତାନ ଦିବସ ତଥା ଆନ୍ତର୍ଜାତୀୟ ଶିକ୍ଷା ଦିବସ ଅବସରରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ବାଲ ରକ୍ଷା ଭାରତ ଏବଂ ଆଶାଏଁ ଟ୍ରଷ୍ଟର ମିଳିତ ସହଯୋଗରେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଳିକାମାନଙ୍କୁ ସଶକ୍ତ କରିବା ଲକ୍ଷରେ ଏକ ଭବ୍ୟ ସମାବେଶ ପାଳନ ହୋଇଯାଇଛି । ପ୍ରତିକୂଳ ପରିବେଶରେ ପଛକୁ ନ ହଟି ନିଜର ତଥା ନିଜ ଅଞ୍ଚଳର ପିଲାମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ଝିଅ ମାନଙ୍କର ଭାବପୂର୍ଣ୍ଣ କାହାଣୀ ସମସ୍ତଙ୍କୁ ଅଭିଭୂତ କରିଥିବା ବେଳେ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷାବିତ ମାନଙ୍କର ଉପସ୍ଥିତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଆଜି ଜୀବନ୍ତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ଆଶାଏଁ ଅନୁଷ୍ଠାନର ଶ୍ରୀ ବିକ୍ରମ ନାୟକଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଆରମ୍ଭ ହୋଇଥିଲା, ଏବଂ ବାଲ ରକ୍ଷା ଭାରତର ଡ. ଅଭିଜିତ ଭଦ୍ରାଙ୍କ ଦ୍ୱାରା ପ୍ରେରଣାଦାୟକ ଉପସ୍ଥାପନା କରାଯାଇଥିଲା, ଯିଏ କି କନ୍ଧମାଳ, ବୌଦ ଏବଂ ଖୋର୍ଦ୍ଧା ପରି ଜିଲ୍ଲାର ଚାମ୍ପିଅନ ମାନଙ୍କ କାହାଣୀ ବର୍ଣ୍ଣନା କରିଥିଲେ । ସେମାନଙ୍କ କାହାଣୀ ସମ୍ପର୍କିତ ‘ରାଇଜିଂ ବିଅଣ୍ଡ ଶାଡୋ’ ପୁସ୍ତକ ଉନ୍ମୋଚିତ ହୋଇଥିଲା, ଯେଉଁଥିରେ ଯୁବ ପରିବର୍ତ୍ତନ କର୍ମୀ ମାନଙ୍କର ଅସାଧାରଣ ଯାତ୍ରାକୁ ଉପସ୍ଥାପନା କରାଯାଇଥିଲା | ବୌଦର ପିଲାମାନଙ୍କ ଦ୍ୱାରା ଏକ ସଚେତନତା ନାଟକ ପରିବେଷଣ ହୋଇଥିଲା | ଆଶାଏଁ ଅନୁଷ୍ଠାନର ପିଲାମାନଙ୍କ ତରଫରୁ ପଥପ୍ରାନ୍ତ ଶିଶୁ ମାନଙ୍କର ଶିକ୍ଷା ଓ ସୁରକ୍ଷା ସମ୍ପର୍କିତ ଏକ ଦାବିପତ୍ର ମୁଖ୍ୟ ଅତିଥିଙ୍କୁ ପ୍ରଦାନ କରାଯାଇଥିଲା। ଵାଲ ରକ୍ଷା ଭାରତ ପକ୍ଷରୁ ମଧ୍ୟ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ପିଲାମାନଙ୍କ ମଧ୍ୟରୁ ଵାଲ ରକ୍ଷା ଭାରତର ସୋନମ ବେହେରା ନିଜର ନେତୃତ୍ତ୍ୱ ଯାତ୍ରା ଏବଂ ନିଜ ଅଂଚଳରେ ବାଳିକା ମାନଙ୍କର ରୃତୁଶ୍ରାବ ଜନିତ ସମସ୍ୟାର ନିରାକରଣ ସମ୍ପର୍କିତ ପଦକ୍ଷେପ ବିଷୟରେ କହିଥିଲେ । ଆଶାଏଁ ଅନୁଷ୍ଠାନର ପି. ଲକ୍ଷ୍ମୀ ରେଡ୍ଡୀ ଓ ପାୟଲ ବେହେରା ନିଜ ନିଜର ସଂଘର୍ଷ କାହାଣୀ ମାଧ୍ୟମରେ ପଥପ୍ରାନ୍ତ ପିଲାମାନଙ୍କର ସମସ୍ୟା ବର୍ଣ୍ଣନା କରିଥିଲେ ।
କାର୍ଯ୍ୟକ୍ରମର ଉଦଘାଟକ ତଥା ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ପୂଜାରୀ ପିଲାମାନଙ୍କର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିବା ସହ ସେମାନଙ୍କ ମଧ୍ୟରେ ଭବିଷ୍ୟତର ଗୋଟିଏ ଗୋଟିଏ ଜନନେତା ହେବାର ସମ୍ଭାବନାକୁ ଦେଖୁଥିବା ପ୍ରକାଶ କରିଥିଲେ ।
ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କରଙ୍କ ପୌରାହିତ୍ୟରେ ଏହି ସଭାରେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅସ୍ମିତା ପାରମିତା, ବାଲ ରକ୍ଷା ଭାରତର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମୁଖ୍ୟ ଶ୍ରୀ ପ୍ରଦୀପ ମିଶ୍ର , ଶିକ୍ଷାବିତ ପ୍ରଫେସର ଲକ୍ଷ୍ମୀଧର ବେହେରା, ଏବଂ ଝିଅ ମାନଙ୍କର ପ୍ରତିନିଧି ଭାବେ ଆଶାଏଁ ଅନୁଷ୍ଠାନର ପି. ଲକ୍ଷ୍ମୀ ରେଡ୍ଡୀ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ପିଲାମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ନିମନ୍ତେ 30 ଜଣ ଶିଶୁ ଚାମ୍ପିୟାନ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
ଉଦ୍ଘାଟନୀ ସଭା ପରେ ପିଲାମାନଙ୍କର ଶିକ୍ଷା ଅଧିକାର ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଥିଲା ଯେଉଁଥିରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାହୁ, ଓଡିଶା ଶିକ୍ଷା ଅଧିକାର ଫୋରମର ପ୍ରତିଷ୍ଠାତା ଶ୍ରୀ ଅନିଲ କୁମାର ପ୍ରଧାନ, ଆଶାଏଁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରତ୍ନାକର ସାହୁ, ଡମଣା ହାଇସ୍କୁଲ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱନାଥ ସାହୁ ଓ ଶିକ୍ଷୟିତ୍ରୀ କୋମଲ ମାର୍ଥା ଓ ଶ୍ରାବଣୀ ଯୋଗଦେଇ ପିଲାଙ୍କ ଶିକ୍ଷା ଅଧିକାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାକୁ ସକ୍ରେଟିସ ଫାଉଣ୍ଡେସନ ନିର୍ଦ୍ଦେଶକ ଶ୍ରୀ ଦେବଜିତ ମିତ୍ର ସଂଚାଳନ କରିଥିଲେ । ପରିଶେଷରେ ରକ୍ଷା ଭାରତର ଡ. ଅଭିଜିତ ଭଦ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।