ନିରାକାରପୁରଠାରେ ସୁରକ୍ଷିତ ଗର୍ଭ ସମାପନ ସେବା ନେଇ ସହଯୋଗ ଓ କମନହେଲଥ ପକ୍ଷରୁ ସେକ୍ଟର ସ୍ତରୀୟ କର୍ମଶାଳା ଆୟୋଜିତ

ନିରାକାରପୁର, ଖୋର୍ଦ୍ଧା ୨୯/୦୯/୨୦୨୬ (ଓଡ଼ିଶା ସମାଚାର)- ଅନ୍ତର୍ଜାତୀୟ ସୁରକ୍ଷିତ ଗର୍ଭ ସମାପନ ଦିବସ ଅବସରରେ, ଭୁବନେଶ୍ୱରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହଯୋଗ’ (SAHAYOG) ଏବଂ ଜାତୀୟ ସଂଗଠନ ‘କମନହେଲଥ’ (CommonHealth) ର ମିଳିତ ଆନୁକୂଲ୍ୟରେ ନିରାକାରପୁର ସେକ୍ଟରର ସମ୍ମୁଖ ଧାଡ଼ିର ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଏକ ଦିନିକିଆ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ ହୋଇଯାଇଛି। *”ସୁରକ୍ଷିତ ଗର୍ଭ ସମାପନ ସେବାରେ ସମୁଦାୟ ଓ ଯତ୍ନ: ସମ୍ମୁଖ ଯୋଦ୍ଧାଙ୍କ ସ୍ୱୀକୃତି, ସମ୍ବଳ ଏବଂ ସଶକ୍ତିକରଣ”* ଶୀର୍ଷକ ଜାତୀୟ ଅଭିଯାନ ଆଧାରରେ ଆୟୋଜିତ ଏହି କର୍ମଶାଳାରେ ଆଶା (ASHA), ଏଏନ୍ଏମ୍ (ANM), ଅଙ୍ଗନବାଡ଼ି କର୍ମୀ ଏବଂ ସ୍ଥାନୀୟ ଡାକ୍ତରଖାନାର କର୍ମଚାରୀଙ୍କୁ ମିଶାଇ ମୋଟ ୮୦ ଜଣ ପ୍ରତିନିଧି ଯୋଗଦେଇଥିଲେ। ସୁରକ୍ଷିତ ଗର୍ଭ ସମାପନ ହେଉଛି ସ୍ୱାସ୍ଥ୍ୟସେବାର ଏକ ଅତ୍ୟାବଶ୍ୟକ ଅଙ୍ଗ ଏବଂ ଏହା ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଆବଶ୍ୟକ — ଏହି ଲକ୍ଷ୍ୟ ନେଇ ତୃଣମୂଳ ସ୍ତରରେ ସାମାଜିକ କୁସଂସ୍କାର ଦୂର କରିବା ସହ ସମ୍ମାନଜନକ ଓ ସମୟୋପଯୋଗୀ ସେବା ନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଆଶା, ଏଏନ୍ଏମ୍ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ତ୍ରି-ସ୍ତରୀୟ ସମନ୍ୱୟ (tri-cadre convergence) ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା, ଯାହାଦ୍ୱାରା କ୍ଷେତ୍ର ସ୍ତରରେ ଏକ ସୁଦୃଢ଼ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ। ଅଙ୍ଗନବାଡ଼ି କର୍ମୀମାନେ ପୋଷଣ ଓ କିଶୋରୀ ସ୍ୱାସ୍ଥ୍ୟ ସେବା ସମୟରେ ମହିଳାମାନଙ୍କ ସହ ପ୍ରଥମେ ସମ୍ପର୍କରେ ଆସୁଥିବା ବେଳେ, ଆଶା ଓ ଏଏନ୍ଏମ୍‌ମାନେ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ମୁଖ୍ୟ ମାଧ୍ୟମ ଭାବେ କାର୍ଯ୍ୟ କରିଥାନ୍ତି।

ତେଣୁ ଗ୍ରାମାଞ୍ଚଳର ମହିଳାମାନଙ୍କ ନିକଟରେ ସୁରକ୍ଷିତ ପ୍ରଜନନ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଏହି ତିନି କ୍ୟାଡରଙ୍କ ସମନ୍ୱୟ ଅତ୍ୟନ୍ତ ଜରୁରୀ। ଏହି କର୍ମଶାଳାରେ ପ୍ରାରମ୍ଭିକ ଗର୍ଭଧାରଣ ପରୀକ୍ଷା, ବିନା ବିଳମ୍ବରେ ଗର୍ଭ ସମାପନକୁ ଏକ ଆଇନଗତ ଓ ସୁରକ୍ଷିତ ସ୍ୱାସ୍ଥ୍ୟସେବା ଭାବେ ସୂଚିତ କରିବା ଏବଂ ଅଧିକାର-ଭିତ୍ତିକ ପରାମର୍ଶ ଦେବା ନେଇ କର୍ମୀମାନଙ୍କୁ ତାଲିମ ଦିଆଯାଇଥିଲା। ଏହାସହ MTP ଆଇନ ଅଧୀନରେ ଅବିବାହିତ ମହିଳା ଓ କିଶୋରୀମାନଙ୍କର ଗୋପନୀୟତା ସହ ସେବା ପାଇବାର ସମ୍ପୂର୍ଣ୍ଣ ଆଇନଗତ ଅଧିକାର ବିଷୟରେ ବୁଝାଯିବା ସହ ଅନୁମୋଦିତ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଏକ ସ୍ପଷ୍ଟ ସୁପାରିଶ ପଥ (referral pathway) ପ୍ରସ୍ତୁତ କରାଯାଇଥିଲା।

ଏହି ଆଲୋଚନରେ ନିରାକାରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଶ୍ୱିନୀ ସ୍ୱାଇଁ, ଏବଂ ‘ସହଯୋଗ’ର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ସମ୍ପାଦକ ଭାବେ ଯୋଗଦେଇଥିଲେ। ସାମାଜିକ କଳଙ୍କ ଦୂର କରିବା, ଗୋପନୀୟତା ରକ୍ଷା କରିବା ଏବଂ ସଠିକ୍ ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ପଠାଇବାରେ ସମ୍ମୁଖ ଯୋଦ୍ଧାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କ୍ଷେତ୍ରାଞ୍ଚଳରେ ସଚେତନତା ସୃଷ୍ଟି ପାଇଁ ସଂଶୋଧିତ MTP ଆଇନ ୨୦୨୧ ଏବଂ POCSO ଆଇନ ସମ୍ବଳିତ ସୂଚନାପତ୍ର ଓ ପୋଷ୍ଟର ଉନ୍ମୋଚିତ ହୋଇଥିଲା। ନିରାକାରପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ପୁରୁଷ ସ୍ୱାସ୍ଥ୍ୟକର୍ମୀ ମନୋଜ କୁମାର ମହାପାତ୍ରଏବଂ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *