ଭୁବନେଶ୍ୱର,୧୯/୦୧/୨୦୨୫ (ଓଡ଼ିଶା ସମାଚାର)- ଟାଟା ପାୱାର ପକ୍ଷରୁ ବିଭିନ୍ନ ଅଂଚଳରେ ଉପଭୋକ୍ତାଙ୍କର ପୁରୁଣା ମିଟରକୁ କାଢ଼ିଦିଆଯାଇ ତା’ ବଦଳରେ ୭ ହଜାର ଟଙ୍କିଆ ସ୍ମାର୍ଟ ମିଟର ସବୁ ଲଗାଯାଉଛି । ଉପଭୋକ୍ତାଙ୍କର ମିଟର ଚାଲୁ ଅବସ୍ଥାରେ ଥିଲେ ସୁଦ୍ଧା ତାହାକୁ ଖରାପ ଦର୍ଶାଯାଇ ତା’ ସ୍ଥାନରେ ନୂଆ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି । ଫଳରେ ଏହାକୁ ନେଇ ଉପଭୋକ୍ତାମାନଙ୍କ ଭିତରେ ଜନଅସନ୍ତୋଷ ବ୍ୟାପିବାରେ ଲାଗିଛି । ବରଗଡ଼ଠାରୁ ଆରମ୍ଭ କରି ସାଲେପୁର ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବିରୋଧି ଆନ୍ଦୋଳନ ତେଜୁଛି । ଏହି ଆନ୍ଦେଳନ ସବୁକୁ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ନୈତିକ ସମର୍ଥନ କରାଯାଉଛି ବୋଲି ମହାସଂଘର ଆବାହକ ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସ୍ମାର୍ଟ ମିଟରକୁ ନେଇ ଯେତେ ଅଭିଯୋଗ ଆସିଲେ ସୁଦ୍ଧା ରାଜ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ବରଂ ଲୋକଙ୍କ ସରକାର ଆଜି ଟାଟା ପାୱାର ପ୍ରବକ୍ତା ସାଜି ସ୍ମାର୍ଟ ମିଟର ଲଗାଇବା ପାଇଁ ସାଧାରଣ ଲୋକଙ୍କୁ ବାଧ୍ୟ କରୁଛି । ଏହି ମିଟର ଲାଗିବା ପରେ ୧୦୦ ଟଙ୍କା ଜାଗାରେ ୫୦୦ରୁ ୭୦୦ ଟଙ୍କା ବିଜୁଳି ବିଲ୍ ଆସୁଛି ଏବଂ ଉପଭୋକ୍ତାମାନେ ବାଧ୍ୟହୋଇ ସ୍ମାର୍ଟ ମିଟରର ବୋଝ ନିଜେ ମୁଣ୍ଡାଉଛନ୍ତି । ସ୍ମାର୍ଟ ମିଟର ଲଗାଇଲେ ଯେଭଳି ପି୍ରପେଡ୍ ମୋବାଇଲ୍ ରିଚାର୍ଜ କରିବାକୁ ପଡ଼ୁଛି, ସେହିଭଳି ରିଚାର୍ଜ ନ କଲେ ଘର ଅନ୍ଧାର ରହିବ । ବିଜୁଳି ଆଲୁଅ ଜଳିବ ନାହିଁ । ଏବେ ଓଡ଼ିଶାରେ ଆଉ କିଛିଦିନ ପରେ ମ୍ୟାଟି୍ରକ୍ ପରୀକ୍ଷା ସମେତ କଲେଜ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ସବୁ ଆରମ୍ଭ ହୋଇଯିବ । ଏହି ସମୟରେ ଚାଲୁ ଅବସ୍ଥାରେ ଥିବା ମିଟର ବଦଳାଇ ସ୍ମାର୍ଟ ମିଟର ବସାଇବା ଆଳରେ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝକୁ ଉପଭୋକ୍ତା ମହାସଂଘ ବିରୋଧ କରିଛି । ତୁରନ୍ତ ସ୍ମାର୍ଟ ମିଟର ଲଗାଇବା ନିଷ୍ପତି ପ୍ରତ୍ୟାହାର କରିବାକୁ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ପଂଚାନନ କାନୁନଗୋ ଓ ଆବାହକ ରବି ବେହେରା ସରକାରଙ୍କ ପାଖରେ ଦାବି କରିଛନ୍ତି ।
ଟାଟା ପାୱାରର ସ୍ମାର୍ଟ ମିଟର – ବୋଝ ଉପରେ ନଳିତା ବିଡ଼ା : ଉପଭୋକ୍ତା ମହାସଂଘର ବିରୋଧ
