ଗରଦପୁର, ୨୨/୧୨/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ପକ୍ଷରୁ ପାଟକୁରା ହାଇସ୍କୁଲ ପଡ଼ିଆରେ ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଗତ ତିନି ଦିନ ଧରି ଚାଲୁଥିବା କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି । ଭଲି ଓ କ୍ରିକେଟ ଟୁର୍ଣ୍ଣମେଂଟ ରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା କୃତୀ କ୍ରୀଡ଼ା ପ୍ରତିଭା ଓ ଅନୁଷ୍ଠାନ ମାନଙ୍କୁ ପୁରସ୍କୃତ କରାଯାଇଛି । କ୍ରିକେଟ୍ ପ୍ରତିଯୋଗିତାରେ ମୋଟ ୮ ଟି ଦଳ ଭାଗ ନେଇଥିବାବେଳେ ଫାଇନାଲ ମ୍ୟାଚ୍ ଗରଦପୁର କ୍ରିକେଟ ଟିମ ଓ ହୁରାସାହି କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଡିତ ହୋଇଥିଲା । ତେବେ ଫାଇନାଲ ମ୍ୟାଚ ରେ ଗରଦପୁର କ୍ରିକେଟ ଟିମ ବିଜୟୀ ହୋଇ ଚମ୍ପିଅନ୍ ଟ୍ରଫି ଗ୍ରହଣ କରିଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ପାଟକୁରା ସରପଂଚ ଗୀତାଂଜଳୀ ମହାନ୍ତି , ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା, ବ୍ରଜ କିଶୋର ସାହୁ ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୟୀ ଗରଦପୁର ୱାରିଅର କ୍ରିକେଟ ଟିମ କୁ ନଗଦ ୨୦ ହଜାର ଅର୍ଥ ରାଶି ସହିତ ଚମ୍ପିଅନ୍ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ହୁରାସାହି ଜେଡ଼ିସି ଟିମ କୁ ରନର୍ସ କପ୍ ସହିତ ନଗଦ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏଥି ସହିତ ବ୍ରଜ ଗଦାଧର କ୍ଲବ ଓ ଲକ୍ଷ୍ମୀନାରାୟଣ କ୍ଲବ ପାଖଡ଼କୁ ୧୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଥିଲା । ଅଧିକନ୍ତୁ ଭଲି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ୟୁଆରଭିସିଡ଼ି ଟିମ କୁ ଚମ୍ପିଅନ୍ ଟ୍ରଫି ସହ ୨୦ ହଜାର ଟଙ୍କା, ଓସ୍ତପୁର ଟିମ କୁ ରନର୍ସ କପ ସହ ୧୫ ହଜାର ଟଙ୍କା , ଲକ୍ଷ୍ମୀନାରାୟଣ କ୍ଲବ ପାଖଡ଼କୁ ୧୦ ହଜାର ଓ ମନୋହର ଫ୍ରେଣ୍ଡ୍ସ କ୍ଲବ କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କ୍ରୀଡ଼ା ଉତ୍ସବ ପରିଚାଳନାରେ ସୁଶାନ୍ତ କୁମାର ଦାସ, ରମେଶ ଚନ୍ଦ୍ର ଦଳାଇ, ପଂଚାନନ ଗେଙ୍ଗାଇ, ତାପସ କୁମାର ମହାନ୍ତି, ଅଜିତ ସ୍ୱାଇଁ, ବୈଶାଳି ମହାପାତ୍ର, ଶଶିଭୁଷଣ ଜେନା, ଆଲୋକ କୁମାର ପତି ପ୍ରମୁଖ ପରିଚାଳନା କରିଥିଲେ ।