ଡିଡିୟୁ-ଜିକେୱାଇ-୨.୦ର ଦୁଇଦିନିଆ ଆଞ୍ଚଳିକ କର୍ମଶାଳା ଉଦ୍‌ଘାଟିତ

ଆଞ୍ଚଳିକ ଉତ୍ପାଦଭିତ୍ତିକ ଦକ୍ଷତା ବିକାଶ ଓ ଆତ୍ମନିଯୁକ୍ତି ସହ ତୃଣମୂଳସ୍ତର ପର୍ଯ୍ୟନ୍ତ ଯୋଜନାର ସଫଳ ରୂପାୟନ ଜରୁରୀ : ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

#      ଆଞ୍ଚଳିକ କର୍ମଶାଳାରେ ଏଗାର ରାଜ୍ୟର ଅଂଶଗ୍ରହଣକାରୀଙ୍କୁ ଦିଗଦର୍ଶନ ଦେଲେ ମାନ୍ୟବର ମନ୍ତ୍ରୀ

#      ଡିଡିୟୁ-ଜିକେୱାଇ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାରଙ୍କ ବିଶେଷ ପ୍ରୟାସ

ଭୁବନେଶ୍ୱର, ୧୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗ୍ରାମାଞ୍ଚଳର ଯୁବବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ୍‌ ପ୍ରଦାନ କରି ସେମାନଙ୍କୁ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ସାମଗି୍ରକ ପ୍ରୟାସ କରାଯାଉଛି । ଏହି କ୍ରମରେ ନିଯୁକ୍ତିଭିଭିକ ଦକ୍ଷତା ବିକାଶ ତାଲିମ୍‌ ଯୋଜନା ଦୀନ୍‌ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ-ଜିକେୱାଇ) -୨.୦ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱରଠାରେ ଦୁଇଦିନିଆ ଆଞ୍ଚଳିକ କର୍ମଶାଳାର ଆୟୋଜନ କରାଯାଇଥିଲା । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୀନ୍‌ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ-ଜିକେୱାଇ) -୨.୦ ଓ RSETI କାର୍ଯ୍ୟକାରୀ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା ଭୁବନେଶ୍ୱରସ୍ଥିତ ଲାଇଫ୍‌ ହୋଟେଲଠାରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ କରକମଳରେ ଉଦ୍‌ଘାଟିତ ହୋଇଛି । ଏହି କର୍ମଶାଳାରେ ଯୋଗ ଦେଇଥିବା ଏଗାରଟି ରାଜ୍ୟର ଅଧିକାରୀ ଓ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ ଗ୍ରାମୀଣ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ବିଷୟରେ ଦିଗଦର୍ଶନ ଦେଇଛନ୍ତି ।

କର୍ମଶାଳାର ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଯୋଜନାର ସଫଳତା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ନିଷ୍ଠା ଏବଂ ତତ୍ପରତା ଦେଖାଇବାକୁ ପଡ଼ିବ । ଫଳରେ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇ ପାରିବେ ଏବଂ ଆମ ରାଜ୍ୟର ଅଧିକରୁ ଅଧିକ ଗ୍ରାମୀଣ ଯୁବବର୍ଗଙ୍କୁ ଆମେ ରୋଜଗାରକ୍ଷମ କରିବା ସହ ଗ୍ରାମୀଣ ଓଡ଼ିଶାର ସାମାଜିକ ଏବଂ ଆର୍ଥିକ ଭିଭିଭୂମିକୁ ସୁଦୃଢ଼ କରିପାରିବା, ଯାହା କି ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ଏକ ସଫଳ ରୂପାୟନ ହୋଇପାରିବ । ଏହା ସହ ଆଞ୍ଚଳିକ ଉତ୍ପାଦଭିତ୍ତିକ ଦକ୍ଷତା ବିକାଶ ଓ ଆତ୍ମନିଯୁକ୍ତି ସହ ତୃଣମୂଳସ୍ତର ପର୍ଯ୍ୟନ୍ତ ଯୋଜନାର ସଫଳ ରୂପାୟନ ଜରୁରୀ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ମତପ୍ରକାଶ କରିଥିଲେ ।

ଏହି କର୍ମଶାଳାରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ପଙ୍କଜ ଯାଦବ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଗିରିଶ ଏସ୍‌.ଏନ୍‌, ଦକ୍ଷତା ବିକାଶ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ସନ୍ତୋଷ କୁମାର ତିୱାରୀ, ଓର୍‌ମାସ୍‌ର ଅତିରିକ୍ତ ସି.ଇ.ଓ ଚକ୍ରବର୍ତ୍ତୀ ସିଂହ ରାଠୋର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖ, ସଫଳ ରୂପାୟନ ଏବଂ ସମସ୍ୟା ଆଦିର ସମାଧାନ ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଓରମାସର ସି.ଇ.ଓ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ରଖିଥିଲେ । ଅନ୍ତିମ ପର୍ଯ୍ୟାୟରେ ଓରମାସର ଅତିରିକ୍ତ ସିଇଓ ଶ୍ରୀ ସୁବାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କର୍ମଶାଳାରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ଓ ପରାମର୍ଶଦାତାଙ୍କ ସହ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ସିକିମ, ମିଜୋରମା, ମଣିପୁର, ନାଗାଲାଣ୍ଡ, ତ୍ରିପୁରାର ଆଦି ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ପରାମର୍ଶଦାତା ଯୋଗଦେଇଥିଲେ । କର୍ମଶାଳାର ବିଭିନ୍ନ ପର୍ଯ୍ୟାୟରେ, ଡିଡିୟୁ- ଜିକେୱାଇ (୨.୦)ରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ରୂପରେଖ କ’ଣ ରହିବ, କିଭଳି ଭାବେ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବ, ପ୍ରତିକୂଳ ପରିସ୍ଥିତି ବା ସମସ୍ୟା ଦେଖାଦେଲେ ସେଗୁଡ଼ିକର କିଭଳି ସମାଧାନ କରାଯିବ, ସେ ଦିଗରେ ସବିଶେଷ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *