ଭୁବନେଶ୍ୱର, ୨୩/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଆଗାମୀ ଡିସେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମୁଖ୍ୟ ଶାସନସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆ, ଅଗ୍ନିଶମ ବିଭାଗ ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜିଲ୍ଲାପା ଖୋର୍ଦ୍ଧା ଉପସ୍ଥିତ ଥିବାବେଳେ ଜିଲ୍ଲାପାଳ, ପୁରୀ, ଜିଲ୍ଲାପାଳ, ମୟୂରଭଞ୍ଜ ଏବଂ ନୌସେନା ବିଭାଗର ଅଧିକାରୀ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସୂଚନା ଅନୁସାରେ ଡିସେମ୍ବର ୩ ତାରିଖ ଅପରାହ୍ଣରେ ମାନ୍ୟବର ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବାୟୁସେନା ବିମାନ ଯୋଗେ ବାହାରି ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାପରେ ସଂଧ୍ୟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ନିଳାଦ୍ରୀବିହାର ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନବନିର୍ମିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। ୪ତାରିଖ ପୂର୍ବାହ୍ନରେ ମାନ୍ୟବର ରାଷ୍ଟ୍ରପତି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତକରି ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାସହ ପରେପରେ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ସେଦିନ ନୌସେନା ଦିବସ ଅବସରରେ ମାନ୍ୟବର ରାଷ୍ଟ୍ରପତି ଅପରାହ୍ଣ ୩.୫୫ ରେ ଭାରତୀୟ ନୌସେନା ତରଫରୁ ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଆୟୋଜିତ ନୌସେନାର ସାମୁଦ୍ରିକ ଶକ୍ତି ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବେ।
୫ତାରିଖ ସକାଳେ ମାନ୍ୟବର ରାଷ୍ଟ୍ରପତି ପୁରୀରୁ ବାହାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚି ସେଠାରୁ ପୂର୍ବାହ୍ନ୧୦.୫୦ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।ଏହାପରେ ଅପରାହ୍ଣରେ ଭୁବନେଶ୍ୱରରେ ନୂଆ ବିଚାର ବିଭାଗୀୟ କୋର୍ଟ କମ୍ପ୍ଲେକ୍ସର ଶୁଭଉଦ୍ଘାଟନ କରିବେ। ୬ତାରିଖ ସକାଳେ ସେ ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଉପଲକ୍ଷେ ଭୁବନେଶ୍ୱର ଏଜିଛକସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣକରିବେ। ଏହାପରେ ସେ ବାୟୁସେବା ବିମାନଯୋଗେ ଭୁବନେଶ୍ୱରରୁ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦରରେ ଅବତରଣ କରି, ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ରଙ୍ଗମାଟିଆ ହେଲିପ୍ୟାଡ ଠାରେ ପହଞ୍ଚି ସେଠାରୁ ଉପର ବେଡା ସରକାରୀଉଚ୍ଚପ୍ରାଥମିକ ସ୍କୁଲଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଭାବବିନିମୟ କରିବାସହ ଉପରବେଡାସ୍ଥିତ ଘରେ କିଛିସମୟ ରହି ଗ୍ରାମବାସୀଙ୍କସହ ଭାବବିନିମୟ କରିବେ।
ଅପରାହ୍ଣରେ ରାଇରଙ୍ଗପୁରରେ ପହଁଚି ଉପଖଣ୍ଡ ଚିକିତ୍ସାଳୟରେ ଏସ୍ଏଲଏସ୍ ଟ୍ରଷ୍ଟବୋର୍ଡ ତରଫରୁ ଡାକ୍ତରଖାନା ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ଯାନକୁ ପତାକା ହଲାଇ ଲୋକାର୍ପଣ କରିବେ।ଏହାପରେ ସେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଗସ୍ତକରି ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହ ଭାବବିନିମୟ କରିବେ। ସଂଧ୍ୟାରେ ରାଇରଙ୍ଗପୁରସ୍ଥି ତପୁଣ୍ୟେଶ୍ୱର ମହାଦେବ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା ତଥା ଆରତୀ କରିବେ।
ଡିସେମ୍ବର ୭ ତାରିଖ ପୂର୍ବାହ୍ନରେ ରାଇରଙ୍ଗପୁର ରୁ ଦାଣ୍ଡ ବୋଷ ଏୟାରଷ୍ଟ୍ରିପ୍ ରୁ ବାଙ୍ଗିରିପୋଷୀ ହେଲିପ୍ୟାଡ ରେ ପହଞ୍ଚି ସେଠାରୁ ରେଳଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନରେଳ ଲାଇନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାସହ ଆଭାସୀ ମାଧ୍ୟମରେ ରାଇରଙ୍ଗପୁର ଆଦିବାସୀ ଗବେଷଣା କେନ୍ଦ୍ର,ଦାଣ୍ଡବୋଷ ଏୟାରଷ୍ଟ୍ରିପ ଏବଂ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ବାଙ୍ଗିରିପୋଷୀ ହେଲିପ୍ୟାଡ୍ ରୁ ହେଲିକପ୍ଚର ଯୋଗେ କଲେଇକୁଣ୍ଡା ଯାଇ ସେଠାରୁ ବାୟୁସେନା ବିମାନଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମରହିଛି।
ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତକାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟଶାସନସଚିବ ବିଭିନ୍ନ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରାଜ୍ୟର ସମସ୍ତ ସଂପୃକ୍ତ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ବିଭାଗ ର ଅଧିକାରୀ, ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ପୁରୀ, ମୟୂରଭଞ୍ଜ ର ଜିଲ୍ଲାପାଳ, ନୌସେନା ଅଧିକାରୀଙ୍କ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।
ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତସୂଚୀରେ ଗତ ଅକ୍ଟୋବର୨୩ରୁ୨୫ତାରିଖ ଗସ୍ତ କାର୍ଯ୍ୟକ୍ରମର କେତେକ କାର୍ଯ୍ୟସୂଚୀ ରହିଛି , ଯାହାକି ବାତ୍ୟା‘ଦାନା’ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିଲା।ତେବେ ପୂର୍ବପ୍ରସ୍ତୁତି ଅନୁସରଣ କରିବା ସହିତ କାର୍ଯ୍ୟକ୍ରମ ଗୁଡ଼ିକୁ ସମୟ ନିର୍ଘଣ୍ଟ ଅନୁସାରେ ସାରିବାପାଇଁ ଆବଶ୍ୟକତା ଅନୁସାରେ ସମସ୍ତ ପ୍ରସ୍ତୁତି ସହ ପ୍ରତ୍ୟେକ କାର୍ଯ୍ୟକୁ ଭଲଭାବେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ସଚିବ ଏବଂ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ବୈଠକରେ ମାନ୍ୟବର ରାଷ୍ଟ୍ରପତିଙ୍କ ବିଭିନ୍ନସ୍ଥାନରେ ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା, କାରକେଡ ବ୍ୟବସ୍ଥା, ବିମାନ ଓ ହେଲିକପ୍ଟର ର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ଆବଶ୍ୟକ ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ବିଭିନ୍ନ ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟଜଳ ଯୋଗାଣ, ମଞ୍ଚପ୍ରସ୍ତୁତି, ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମରେ ପ୍ରଚାରପ୍ରସାର, ଅଗ୍ନିନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଜିଲ୍ଲାପାଳ ପୁରୀ, ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଜିଲ୍ଲାପାଳ ମୟୁରଭଞ୍ଜଙ୍କୁ ନିଜ ନିଜ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ସାମଗ୍ରିକଭାବେ ସୁ ବ୍ୟବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ ପ୍ରତିଥର ଭଳି ଏଥର ମଧ୍ୟ ଗୃହବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରିବ। ବୈଠକରେ ଗୃହବିଭାଗ ସ୍ୱତନ୍ତ୍ର ଶାସନସଚିବ ଶ୍ରୀରାଧାକିଶନ ଶର୍ମା ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତପରିପ୍ରେକ୍ଷୀରେ ବିଶଦ୍ ଉପସ୍ଥାପନା କରିଥିଲେ।
-0-
ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
