ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ  ତଥା ପରାକ୍ରମ ଦିବସ ପାଳନ ଅବସରରେ ଭାରତର ମାନ୍ୟବର ଉପ-ରାଷ୍ଟ୍ରପତି, ଶ୍ରୀଯୁକ୍ତ ଚନ୍ଦ୍ରପୁରମ୍ ପୋନ୍ନୁସାମୀ ରାଧାକ୍ରିଷ୍ଣନଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ

ଓଡ଼ିଆ ବଜାର, କଟକ ୨୩/୦୧/୨୦୨୬ (ଓଡ଼ିଶା ସମାଚାର)-ଆଜି ଦିନଟି ହେଉଛି ଚିର ନମସ୍ୟ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ୧୨୯ ତମ ଜନ୍ମବାର୍ଷିକୀ। ନେତାଜୀଙ୍କ ନାମ ସ୍ମରଣ ମାତ୍ରେ ଆଜି ବି ଆମ ସମସ୍ତଙ୍କ ମଧ୍ୟରେ ବୀରତ୍ଵ, ସାହସ ଓ ବଳିଦାନର ଗାଥା ମନରେ ଉଦ୍‌ଭାଷିତ ହୋଇଥାଏ । ତେଣୁ, ଯଥାର୍ଥରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ନେତାଜୀଙ୍କ ଜନ୍ମ ଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ପାଇଁ ୨୦୨୧ ମସିହାରେ ଘୋଷଣା କରିଥିଲେ। ଏହା ହେଉଛି ନେତାଜୀଙ୍କ ପାଇଁ ଦେଶବାସୀଙ୍କ ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆଜିର ଏହି ପରାକ୍ରମ ଦିବସରେ  ଓଡ଼ିଶାର ମୁଖ୍ୟ ସେବକ ଭାବେ ନେତାଜୀଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଏକ ଐତିହାସିକ ଦିନ। ଭାରତ ମାତାର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଆଜି କଟକର ଓଡ଼ିଆ ବଜାରରେ ଜନ୍ମବାର୍ଷିକୀ ତାଙ୍କ ପାଳନ କରାଯାଉଛି। ଆଜି ଏହି ସମାରୋହ ଆହୁରି ଭବ୍ୟ ହୋଇଯାଇଛି। କାରଣ, ଭାରତର ଉପ-ରାଷ୍ଟ୍ରପତି, ମାନ୍ୟବର ଶ୍ରୀ ଚନ୍ଦ୍ରପୁରମ ପୋନୁସାମୀ ରାଧାକୃଷ୍ଣନ ମଧ୍ୟ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆମ ସହିତ ଉପସ୍ଥିତ ଅଛନ୍ତି। ଏହା ଆମ ପାଇଁ ଗର୍ବର ବିଷୟ। ଓଡ଼ିଶାବାସୀଙ୍କ ପକ୍ଷରୁ, ମୁଁ ମୋର କୃତଜ୍ଞତା ପ୍ରକାଶ କରୁଛି ଏବଂ ଜଗନ୍ନାଥଜୀଙ୍କ ପବିତ୍ର ଭୂମିକୁ ଆପଣଙ୍କୁ ସ୍ୱାଗତ କରୁଛି।

କଥାରେ ଅଛି, ଗୋଟିଏ ଶତାବ୍ଦୀରେ ହାତଗଣତି ଏମିତି କିଛି ବ୍ୟକ୍ତି ଜନ୍ମ ନେଇଥାଆନ୍ତି, ଯେଉଁମାନେ ତାଙ୍କର ଜ୍ଞାନ, ବୁଦ୍ଧି, ତ୍ୟାଗ, ତପସ୍ୟା ଓ ଦେଶପ୍ରେମରେ ସମଗ୍ର ଦେଶର ଦଶା ଓ ଦିଶାକୁ ବଦଳେଇ ଦେଇଥାଆନ୍ତି । ସେପରି ଜଣେ ଅସାଧାରଣ ବ୍ୟକ୍ତିତ୍ବ ଥିଲେ ନେତାଜୀ । ତାଙ୍କର ଅଦମ୍ୟ ସାହସ, ତ୍ୟାଗ, ବଳିଦାନ ଏବଂ ଶୌର୍ଯ୍ୟ ଭାରତର ଭାଗ୍ୟକୁ ଚିରଦିନ ପାଇଁ ପରିବର୍ତ୍ତନ କରିଦେଇଥିଲା ।

 

 

ଶହେ ତିରିଶ ବର୍ଷ ତଳେ ଆଜିର ଦିନରେ ଏଇ ଓଡ଼ିଆ ବଜାରର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ ନେତାଜୀ । ଏହା କହିଲା ବେଳକୁ, ପ୍ରତ୍ୟେକ ଓଡ଼ିଆଙ୍କ ଛାତି ଗର୍ବରେ ଫୁଲି ଉଠେ ।

ସେ ICS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବ୍ରିଟିଶ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ତାଙ୍କର ଅନ୍ତରାତ୍ମା ତାଙ୍କୁ ଅନୁମତି ଦେଇ ନ ଥିଲା । ତେଣୁ, ICS Probationରୁ ଇସ୍ତଫା ଦେଇ, ସେ ଭାରତ ଅଭିମୁଖେ ଯାତ୍ରା କରିଥିଲେ। ୧୯୨୧ ମସିହା ଜୁଲାଇ ୧୬ରେ ନେତାଜୀ ବମ୍ବେ ବା ଆଜିର ମୁମ୍ବାଇ ଠାରେ ପହଞ୍ଚିଥିଲେ ଏବଂ ସେହିଦିନ ହିଁ, ଗାନ୍ଧୀଜୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ସେ ଗଭୀର ଭାବେ ସ୍ଵାମୀ ବିବେକାନନ୍ଦ ଏବଂ ଅରବିନ୍ଦ ଘୋଷଙ୍କ ବିଚାରଧାରା ଦ୍ଵାରା ପ୍ରଭାବିତ ହୋଇଥିଲେ।

ନେତାଜୀ ସୁଭାଷ ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ପ୍ରାୟ ଦୁଇ ଦଶନ୍ଧି ଧରି ସ୍ଵାଧୀନତା ସଂଗ୍ରାମ ପାଇଁ କାର୍ଯ୍ୟ କରିଥିଲେ । ତେବେ ତାଙ୍କର ଅନୁଭବ ଅଲଗା ଥିଲା । ସେ ଭାବୁଥିଲେ, ଯଦି ବ୍ରିଟିଶ ସରକାର ବିରୁଦ୍ଧରେ ଏକ ସଫଳ ସଶସ୍ତ୍ର ସଂଗ୍ରାମ କରାଯାଇପାରିବ, ସ୍ଵାଧୀନତାର ସ୍ଵପ୍ନ ଶୀଘ୍ର ଚରିତାର୍ଥ ହୋଇ ପାରିବ ।

ଏଥିପାଇଁ ସେ ଜାପାନ ସମର୍ଥନରେ ସିଙ୍ଗାପୁର ଠାରେ ନିର୍ବାସିତ ଭାରତୀୟ ଜାତୀୟତାବାଦୀଙ୍କ ଦ୍ଵାରା ଏକ ଅସ୍ଥାୟୀ ଭାରତୀୟ ସରକାର ଗଠନ କରିଥିଲେ । ଏହାର ନାମ ରଖିଥିଲେ ‘ଆଜାଦ୍ ହିନ୍ଦ୍ ଫୌଜ’ ।

୧୯୪୩ ମସିହା ଡିସେମ୍ବରରେ ଜାପାନ ସହାୟତାରେ ଆଣ୍ଡାମାନ ଓ ନିକୋବର ଦ୍ବୀପରେ ଆଜାଦ୍ ହିନ୍ଦ ଫୌଜର ପ୍ରଥମ ସରକାର ପ୍ରତିଷ୍ଠା କରିଥିଲେ ଏବଂ ନିଜକୁ ନିର୍ବାସିତ ସରକାରର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ସରକାରକୁ ନ’ ଗୋଟି ଦେଶ ମାନ୍ୟତା ବି ଦେଇଥଲେ। ସେ ଆଜାଦ ହିନ୍ଦ୍ ଫୌଜର ମୁଖ୍ୟ ଭାବେ କହିଥିଲେ ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି’।

ଆଜାଦ୍ ହିନ୍ଦ ଫୌଜକୁ ନେଇ ୧୯୪୪ ମସିହାରେ ଆସାମର କୋହିମା ଦଖଲ କରି, ଭାରତ ଭୂମିରେ ସେ ତ୍ରିରଙ୍ଗା ପତାକା ଉଡାଇଥିଲେ  ଏବଂ ୬ ଜୁଲାଇ ୧୯୪୪ ମସିହାରେ କୋହିମା ଦଖଲ କରି ଆଜାଦ ହିନ୍ଦ ରେଡିଓରୁ ସମ୍ବୋଧନ କରି ଦେଶକୁ ସଂପୂର୍ଣ୍ଣ ସ୍ଵାଧୀନ କରିବା ଦିଗରେ ଦେଶବାସୀଙ୍କ ଆଶୀର୍ବାଦ କାମନା କରିଥିଲେ।

କିନ୍ତୁ, ବିଧିର ବିଧାନ ଥିଲା ଅଲଗା । ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜାପାନ ପରାସ୍ତ ହେବା ପରେ ଏବଂ ତାଙ୍କର ତଥାକଥିତ ତିରୋଧାନ ପରେ, ଲାଲକିଲ୍ଲାରେ ଆଜାଦ୍ ହିନ୍ଦ ଫୌଜର ବନ୍ଦୀଙ୍କ ବିରୁଦ୍ଧରେ ଯେପରି ଭାବେ ମାମଲା ଚଲାଯାଇ ସେମାନଙ୍କୁ ଦେଶଦ୍ରୋହୀର ଆଖ୍ୟା ଦିଆ ଯାଇଥିଲା।

ତାହା ଜଙ୍ଗଲ ନିଆଁ ପରି ସାରା ଦେଶରେ ବ୍ୟାପ୍ତ  ହୋଇ ବ୍ରିଟିଶ ସରକାରଙ୍କ ସାମରିକ ବଳକୁ ଦୋହଲାଇ ଦେଇଥିଲା। ଏହାର ପ୍ରମାଣ ହେଉଛି ୧୯୪୬ ପ୍ରାରମ୍ଭରେ ହୋଇଥିବା Royal Indian Navy ର ବିଦ୍ରୋହ । ଅନ୍ୟାନ୍ୟ ଦାବି ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଜାଦ୍ ହିନ୍ଦ ଫୌଜର ସୈନିକଙ୍କୁ ମୁକ୍ତ କରିବା ପାଇଁ ବମ୍ବେରେ ବିଦ୍ରୋହ ହୋଇଥିଲା। ଏହି ବିଦ୍ରୋହ ବାସ୍ତବରେ ବ୍ରିଟିଶ ରାଜର କଫିନରେ ଶେଷ କଣ୍ଟା ପରି ଥିଲା ଏବଂ ସେମାନେ ଅନୁଭବ କରିଥିଲେ ଯେ, ଭାରତକୁ ଆଉ ଅଧିକ ସମୟ ପରାଧୀନ କରି ରଖିବା ଅସମ୍ଭବ । ଆମ ଦେଶର ସ୍ୱାଧୀନତାରେ, ଗାନ୍ଧୀବାଦୀ ଆନ୍ଦୋଳନ ଏବଂ ନେତାଜୀଙ୍କ ସଂଗ୍ରାମ, ଉଭୟ ଅନନ୍ୟ।

ଅତ୍ୟନ୍ତ ପରିତାପର ବିଷୟ ଯେ, ଭାରତରେ ରଚିତ ବିଭିନ୍ନ ଇତିହାସ ପୁସ୍ତକରେ ନେତାଜୀଙ୍କ ଅବଦାନ ବିଷୟରେ ବିଶେଷ କିଛି ଲେଖା ନାହିଁ । ନେତାଜୀ ସ୍ଵାଧୀନତା ଆନ୍ଦୋଳନରେ ଦୀର୍ଘ ୨୫ ବର୍ଷ କାର୍ଯ୍ୟ କରିଥିଲେ ବି, ୬୦୦ ପୃଷ୍ଠାର ଇତିହାସ ବହିରେ ତାଙ୍କ ବିଷୟରେ ୨୫ ପୃଷ୍ଠା ବି ଲେଖାଯାଇନାହିଁ । କିଛି ବ୍ୟକ୍ତିତ୍ବଙ୍କୁ ମହାନ କରି ତୋଳିବା ପାଇଁ ବର୍ତ୍ତମାନର ରଚିତ ଇତିହାସ ଅନେକ ମହାନ ସଂଗ୍ରାମୀଙ୍କୁ ଉଚିତ ସ୍ଥାନ ଦେଇନାହିଁ। ଯେଉଁ ଇତିହାସକାରମାନେ ଶହୀଦ ଭଗତ ସିଂହଙ୍କୁ ଆତଙ୍କବାଦୀର ଆଖ୍ୟା ଦେଇଥିଲେ, ତାଙ୍କଠାରୁ ଅଧିକ କିଛି ଆଶା କରିବା ବୃଥା ବୋଲି ମୋର ମନେ ହୁଏ ।

କିନ୍ତୁ, ମାନନୀୟ ମୋଦୀ ଜୀ ଦେଶର ନେତୃତ୍ଵ ନେଲା ପରେ ଇତିହାସ ପୃଷ୍ଠାରୁ ହଜାଇ ଦିଆ ଯାଇଥିବା ମହାପୁରୁଷ ଓ ମହାମନୀଷୀ ତଥା ଅନେକ ପରିଚୟହୀନ ସଂଗ୍ରାମୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସେ ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ଘୋଷଣା କରିଥିଲେ ୨୦୨୧ ମସିହାରେ। ଏହା ପୂର୍ବରୁ, ସେ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ନେତାଜୀଙ୍କ ଦ୍ୱାରା ତ୍ରିରଙ୍ଗା ଉତ୍ତୋଳନର ବୀରତ୍ଵକୁ ସମ୍ମାନ ଦେଇ ୨୦୧୮  ଡିସେମ୍ବର ୩୦ ତାରିଖ ଦିନ ତିନିଗୋଟି ଦ୍ବୀପର ନୂତନ ନାମକରଣ କରିଥିଲେ । ରସ୍ ଦ୍ବୀପକୁ ନେତାଜୀ ସୁବାସ ବୋଷ ଦ୍ଵୀପ, ନିଲ୍ ଦ୍ବୀପକୁ ଶହୀଦ ଦ୍ଵୀପ ଏବଂ ହାଭେଲକ ଦ୍ଵୀପକୁ ସ୍ଵରାଜ ଦ୍ଵୀପ ଭାବେ ନାମକରଣ କରିଥିଲେ।

ଆଜି ଆମ ଗହଣରେ ଆଜାଦ ହିନ୍ଦ ଫୌଜର ସିପାହୀମାନଙ୍କ ଉପସ୍ଥିତି ମୋତେ ଉଲ୍ଲସିତ କରୁଛି ଓ ଦେଶମାତୃକା ପାଇଁ ସେବା କରିବାର ପ୍ରେରଣା ଦେଉଛି । ସେମାନେ ନେତାଜୀଙ୍କୁ ଦେଖିଛନ୍ତି, ତାଙ୍କ ସହିତ କାମ କରିଛନ୍ତି। ମୁଁ ସେମାନଙ୍କୁ ମଧ୍ୟ ସଲାମ କରୁଛି ।

ଦେଶ ପାଇଁ ଜିଇଁବା, ଦେଶ ପାଇଁ ମରିବା ଥିଲା ନେତାଜୀଙ୍କ ଆଦର୍ଶ । ମୋଦୀଜୀଙ୍କ ନେତୃତ୍ବରେ ଦେଶରୁ ନକ୍ସଲବାଦ୍ ସମ୍ପୂର୍ଣ୍ଣ ଭାବେ ଲୋପ ପାଇବାକୁ ଯାଉଛି। ଆତଙ୍କବାଦର ଛାୟା ମଧ୍ୟ ଅନେକ ପରିମାଣରେ କମିଛି । ବିଦେଶୀ ଶକ୍ତିମାନେ ଭାରତର ପ୍ରଗତିକୁ ରୋକିବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି । କିନ୍ତୁ, ଆପଣମାନେ ଅପରେସନ୍ ସିନ୍ଦୁରରେ ଭାରତର ସେନାବାହିନୀର ପରାକାଷ୍ଠା ଦେଖିଥିବେ ।

ମୋଦୀ ଜୀଙ୍କ ମାର୍ଗଦର୍ଶନରେ ଆମ ସରକାର ବି ଓଡ଼ିଶାର ବିକାଶ ପାଇଁ ଅନବରତ କାର୍ଯ୍ୟ କରୁଛନ୍ତି। ଗତ ୧୯ ମାସରେ ରାଜ୍ୟର ପ୍ରତ୍ଯେକ ବର୍ଗର ଲୋକଙ୍କ ପାଇଁ ଅନେକ ଉନ୍ନତିମୁଳକ କାର୍ଯ୍ୟ କରାଯାଇଛି। ଆଜି ଓଡ଼ିଶା ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି।

ନେତାଜୀଙ୍କ ଜନ୍ମସ୍ଥାନ କଟକ ସହର ବି ଏହି ବିକାଶ ଧାରାରେ ସାମିଲ ହୋଇଛି। କଟକର ଅନେକ ପୁରାତନ ଶିକ୍ଷାନୁଷ୍ଠାନକୁ ଆଜି ଐତିହ୍ୟ ବିଦ୍ୟାଳୟ ଭାବେ ମାନ୍ୟତା ମିଳିଛି। ନେତାଜୀ ପାଠ ପଢିଥିବା ସ୍କୁଲ ମଧ୍ୟ ଅନ୍ତର୍ଭୁକ୍ତ। କଟକର ଅନ୍ୟତମ ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଆଜି ତାର ସମ୍ମାନ ଫେରି ପାଉଛି ।

କଟକର ପ୍ରସିଦ୍ଧ ବାଲିଯାତ୍ରା ଆଜି ଐତିହାସିକ ବାଲିଯାତ୍ରା ନାମରେ ମାନ୍ୟତା ପାଇଛି ଏବଂ ଏହାର ଅନୁଦାନ ରାଶି ବୃଦ୍ଧି କରାଯାଇଛି। ୨୨୦ କୋଟି ଟଙ୍କାରେ ମହାନଦୀ ରିଭରଫ୍ରଣ୍ଟ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। କଟକର ଅଧିଷ୍ଟାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କର ମନ୍ଦିରର ନବୀକରଣ କାର୍ଯ୍ୟ ଆଉ କିଛି ମାସ ମଧ୍ୟରେ ଶେଷ ହେବ।

କଟକର ଶିଶୁ ଭବନ ମଧ୍ୟ ନୂଆରୂପ ନେବାକୁ ଯାଉଛି। କଟକର ସୁନା, ରୂପା ତାରକସି କାମକୁ ପ୍ରୋତ୍ସାହନ ଦେବାପାଇଁ ଏଇ ସହରକୁ ଫିଲିଗ୍ରି ହବ୍ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି। କଟକ’ର  ବିକାଶର ଧାରା ଜାରି ରହିବ ବୋଲି ଆଜିର ପବିତ୍ର ଦିବସରେ ମୁଁ କଟକ ବାସୀଙ୍କୁ ଆଶ୍ଵାସନା ଦେଉଛି ।

ଆଜି ମାନ୍ୟବର ଉପରାଷ୍ଟ୍ରପତି କଟକ ଜିଲ୍ଲା ସଂସ୍କୃତି ଭବନର ଲୋକାର୍ପଣ କରିଛନ୍ତି । ଏହା ବାଉନ ବଜାର ତେପନ ଗଳିର ଐତିହାସିକ ସହରର ସଂସ୍କୃତିକୁ ଜୀବନ୍ତ ରଖିବ ।

ଆସନ୍ତୁ, ନେତାଜୀଙ୍କ ଜନ୍ମ ଜୟନ୍ତୀ ରେ ପଣ କରିବା, ୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଓ ୨୦୪୭ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ ନେତାଜୀଙ୍କ ଜୀବନ ଦର୍ଶନକୁ ପାଥେୟ କରି କାମ କରିବା। ଏହା ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି। ପ୍ରିୟ ନେତାଜୀଙ୍କୁ ଆଜିର ଦିନରେ କୋଟି କୋଟି ପ୍ରଣାମ।

()

Leave a Reply

Your email address will not be published. Required fields are marked *