ଭୁବନେଶ୍ୱର, ୧୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସଭିଙ୍କୁ କିମିଆ କରୁଛି ଏକାମ୍ର ଉତ୍ସବ । ଏହାର ସପ୍ତମ ସନ୍ଧ୍ୟାରେ ଓଲିଉଡ଼ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ମନଛୁଆଁ ଗୀତ ପରିବେଶକୁ ଅଧିକ ସ୍ମୃତିମଧୂର କରିଥିଲା। ତାଙ୍କ ଗୀତ ତାଳେ ତାଳେ ଦର୍ଶକ ନୃତ୍ୟ ଏହାକୁ ଅଧିକ ଆକର୍ଷଣୀୟ କରିଥିଲା। ଏକାମ୍ର ଉତ୍ସବ ସହିତ ସକାଳୁ ପାର୍କରେ କାହାଣୀ ଉତ୍ସବରେ କୁନି ପିଲାଙ୍କୁ ସୁନ୍ଦର ମାହୋଲ ସହ ଫିଟନେସ ଭଳି ରହିଛି ଆହୁରି ଅନେକ କାର୍ଯ୍ୟକ୍ରମ। ସେହିଭଳି ସନ୍ଧ୍ୟାରେ କଳା ଐତିହ, ପାରମ୍ପରିକ ହସ୍ତଶୀଳ୍ପ ସାଙ୍ଗକୁ ରଙ୍ଗାରଙ୍ଗ ପରିବେଶରେ ଲୋକନୃତ୍ୟ ଏବଂ ଓଲିଉଡ଼ ସାଂସ୍କୃତିକ ସନ୍ଧ୍ୟା, ସତେ ଯେମିତି ଏକ ନିଆରା ଅନୁଭୂତି ଦେଉଛି। ଦର୍ଶକ ଏହି କାର୍ଯ୍ୟକ୍ରମକୁ ନିଜ କ୍ୟାମେରାରେ କଏଦ ପାଇଁ ଉତ୍ସବ ମୁହାଁ ହେଉଛନ୍ତି। ଦିନ ବିଢ଼ିବା ସହ ଉତ୍ସବରେ ଖାଦ୍ୟପ୍ରେମୀ, କଳାପ୍ରେମୀଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗିଛି। ଏହି ଭବ୍ୟ ଉତ୍ସବକୁ ଉପଭୋଗ ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଧିପନା ଦେଖିବାକୁ ମିଳିଛି।
ଏକାମ୍ର ଉତ୍ସବ -୨୦୨୫ ଉପଲକ୍ଷେ ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଜାନୁଆରୀ ୫ରୁ ଜାନୁଆରୀ ୧୨, ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ପାଞ୍ଚଟି ପ୍ରମୁଖ ପାର୍କରେ ଏହି ଉତ୍ସବ ଆୟୋଜିତ ହେଉଛି । ଉତ୍ସବରେ ସ୍ୱାସ୍ଥ୍ୟ, ସଂସ୍କୃତି, ସୃଜନଶୀଳତା ଏବଂ ମନୋରଞ୍ଜନର ଏକ ସଂପୂର୍ଣ୍ଣ ସମ୍ମିଳନ ଜାରି ରହିଛି। ଏହାର ୭ମ ଦିନରେ ସକାଳୁ ସକାଳୁ ସବୁ ପ୍ରମୁଖ ପାର୍କରେ କାହାଣୀକାର ପିଲାଙ୍କ ମନକୁ ଛୁଇଁଲା ଭଳି କାହାଣୀ ପରିବେଷଣ କରିଥିଲେ। କାହାଣୀରେ ବିଭିନ୍ନ ଜୀବଜନ୍ତୁଙ୍କ ଚରିତ୍ରକୁ ନିଜର ଅଙ୍ଗଭଙ୍ଗୀ ଏବଂ ପଶୁପକ୍ଷୀଙ୍କ ସ୍ବରରେ ଜୀବନ୍ତ କରିବାକୁ ଚେଷ୍ଟା କରିଥିଲେ। ପିଲାଏଁ ଏହାକୁ ମନଭରି ଉପଭୋଗ ସହ ସଭିଁଏ ତାଳିମାରି ଉତ୍ସ।ହିତ ହୋଇଥିଲେ। ମଧୁସୂଦନ, ବୁଧ, ଆଇଜି, ଫରେଷ୍ଟ ଓ ଅବଦୁଲ କଲାମ ପାର୍କରେ ପ୍ରଚିତ୍ରା, ଗୌରହରି, ତପସ୍ୱନୀ, ସ୍ଵାଗତିକା ଓ ଅନୁଜଭଳି କାହାଣୀ କାର କାହାଣୀ ଶୁଣାଇଥିଲେ। ସେହିପରି ସାଂସକୃତିକ ସନ୍ଧ୍ୟାରେ ଅର୍ଚ୍ଚିତା, ଶୈଳେନ୍ଦ୍ର, ଭୂମିକା, ସ୍ୱରାଜ,ଶିବାନୀ ଭଳି ଅଭିନେତା ଓ ଅଭନେତ୍ରୀ ନିଜ ଟ୍ରେଣ୍ଡି ନମ୍ବରରେ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ଏହାଛଡା ସବୁ ପାର୍କରେ ସଙ୍ଗୀତ ମୂର୍ଚ୍ଛନାରେ ଅଭିଜିତ, ଅବିନାଶ, ସୌରଭ, ଚିରଞ୍ଜିବି ଲାସ୍ୟ ଭଳି କଳାକାର ସଙ୍ଗୀତପ୍ରମୀଙ୍କୁ ନିଜ ଯାଦୁରେ ବାନ୍ଧି ରଖିଥିଲେ। ଖାଲି ସେତିକି ନୁହେଁ ସଙ୍ଗୀତମୟ ପରିବେଶ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୁଅରେ ସଜ୍ଜିତ ପାର୍କର ମନରୋମ ଦୃଶ୍ୟକୁ କ୍ୟାମେରାରେ ସାଉଁଟିବା ଓ ସେଲ୍ଫି ପାଇଁ ଯୁବପିଡ଼ିଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଏଠାରେ ଥିବା ମିଶନଶକ୍ତିର ଷ୍ଟଲରେ ଖାଇବାର ମଜା ଉଠାଉଛନ୍ତି ଦର୍ଶକ।
ପାର୍କ ଉତ୍ସବ ସାଙ୍ଗକୁ ଇଡ଼କୋ ପ୍ରଦର୍ଶନୀ ପଡିଆରେ ଏକାମ୍ର ଉତ୍ସବକୁ ଯାକଜମକରେ ପାଳିତ ହୋଇଯାଉଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍ସବ ଏକ ଆଧୁନିକ ଓ ପାରମ୍ପରିକ କଳାର ସମନ୍ୱୟ ଦେଖିବାକୁ ମିଳିଛି। ଫ୍ଲୀ ମାର୍କେଟରେ ୩୩ଟି ସୁନ୍ଦର ଷ୍ଟଲ ମାର୍କେଟିଂ, ଖାଦ୍ୟତ୍ସବ ଭଳିକିଭଳି ବ୍ୟଞ୍ଜନର ମଜା ନେଉଛନ୍ତି। ଆମ ସମୃଦ୍ଧ ଲୋକକଳାକୁ ବଢାଇବା ପାଇଁ ମାଲଖାମ, ପାଇକନାଚ ଭଳି ଭବ୍ୟ ନୃତ୍ୟକୁ ଦେଖି ପରିଦର୍ଶକ ସମ୍ବିଭୂତ ହେଉଛନ୍ତି। ଏହାଛଡ଼ା ସାଂସସ୍କୃତିକ ସନ୍ଧ୍ୟାରେ ବିଭିନ୍ନ ଖ୍ୟାତନାମ ଓଲିଉଡ଼ ଗାୟକ ଓ ଗାୟିକା ନିଜ ସ୍ମୃତିମଧୁର ଓ ପ୍ରସିଦ୍ଧ ଗୀତ ଦ୍ୱାରା ଦର୍ଶକଙ୍କୁ ମନମୁଗ୍ଧ କରୁଛନ୍ତି। ଆଜିର ସନ୍ଧ୍ୟାରେ ପ୍ରସିଦ୍ଧ ଘୋଡାନାଚ ପରିବେଷଣ କରିଥିଲେ କଳାକାର।