ଓଡିଏମ୍ ର ବାର୍ଷିକ ଉତ୍ସବ ‘ମାତୃତ୍ୱ-୨୦୨୫’ ଉଦଯାପିତ

ଭୁବନେଶ୍ୱର, ୧୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ୍ ର ୩୫ତମ ବାର୍ଷିକ ଉତ୍ସବ ‘ମାତୃତ୍ୱ-୨୦୨୫’ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ସମାରୋହରେ ଉଦ୍ୟାପିତ ହୋଇଯାଇଛି । ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ଅତିଥି ଭାବରେ ଭାରତୀୟ ଜନତା ପାର୍ଟି ଓଡିଶା ଶାଖାର ଉପ-ସଭାପତି ଶ୍ରୀଯୁକ୍ତ ଗୋଲୋକ ମହାପାତ୍ର ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ତଥା ଭାରତ ସରକାରଙ୍କ ପଲିମର ବିଜ୍ଞାନ ଏବଂ ଇଞ୍ଜିନିୟରିଙ୍ଗ୍ (ସିପେଟ୍)ର ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପୂର୍ବତନ ମହା-ନିର୍ଦ୍ଧେଶକ ପ୍ରଫେସର ଡ. ସଞ୍ଜୟ କୁମାର ନାୟକ ଯୋଗ ଦେଇଥିଲେ ।

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବିଭିନ୍ନ କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କ କୃତିତ୍ୱକୁ ଭୂୟସୀ ପ୍ରଶଂସା କରିବା ସହ ଶ୍ରେଷ୍ଠ ଶିକ୍ଷା, ପ୍ରଶିକ୍ଷଣ ଓ ବିଚାରଧାରା ହିଁ ଉତମ ସ୍ୱପ୍ନକୁ ଜନ୍ମ ଦିଏ, ତେଣୁ ଆତ୍ମବିଶ୍ୱାସ ସହ ନିରନ୍ତର ଚେଷ୍ଟା ଜାରି ରଖିଲେ ଶିକ୍ଷାର୍ଥୀ ସଫଳତାର ଶୀର୍ଷ ସ୍ଥାନରେ ପହଂଚିପାରିବେ ବୋଲି ମତବ୍ୟକ୍ତ କରିବା ସହ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନୂଆ ସମାଜ ଗଠନରେ ଛାତ୍ର-ଛାତ୍ରୀମାନଙ୍କୁ ଉଚିତ୍ ମାର୍ଗ ଦର୍ଶନ କରନ୍ତୁ ବୋଲି ପ୍ରେରଣା ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ଅତିଥି ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ଅଭିଭାଷଣରେ ଛାତ୍ର-ଛାତ୍ରୀମାନଙ୍କୁ ଶୃଙ୍ଖଳିତ ଓ ଚରିତ୍ରବାନ ହେବାକୁ ଦିଗଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥି ଡ. ନାୟକ ତାଙ୍କ ବକ୍ତବ୍ୟରେ ସେବା, ସମର୍ପଣ, ସଂସ୍କାର ବିଦ୍ୟାର୍ଥୀମାନଙ୍କର ଜୀବନର ବ୍ରତ ହେଉ ବୋଲି ଉଦବୋଧନ ଦେଇଥିଲେ । ପ୍ରତିଷ୍ଠାତା ଡ. ମୀନକେତନ ପିତାମାତାଙ୍କ ଉପଦେଶକୁ ଚିନ୍ତନ ଓ ମନନ କରିବା ପାଇଁ ଛାତ୍ର-ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ନିର୍ଦ୍ଧେଶିକା ଇନ୍ଦୁମତୀ ରାୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର (ଡଃ) ପି.କେ. ଦାସ, ଶିକ୍ଷା- ନିର୍ଦ୍ଧେଶକ ଡ. ଆର୍ତତ୍ରାଣ ମିଶ୍ର, ଉପାଧ୍ୟକ୍ଷ ଡ. ରାଜେଶ୍ କୁମାର ପାଢୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷା ଡ. ସନ୍ଧ୍ୟାରାଣୀ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ, ସାଂସ୍କୃତିକ ବିଚିତ୍ରା ସମସ୍ତ ଅତିଥି ଓ ଅଭିଭାବକମାନଙ୍କୁ ମୁଗ୍ଧ ଓ ଭାବବିହ୍ୱଳ କରିଥିଲେ ।

Leave a Reply

Your email address will not be published. Required fields are marked *