ସଭିଙ୍କ ମନ ଜିଣୁଛି ପତ୍ରପୋଡ଼ା
ଭୁବନେଶ୍ୱର, ୧୦/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ତାରକା ହୋଟେଲରେ ଖାଇବା ଅନୁଭୂତି ଏବେ ହାତ ପାହାନ୍ତାରେ। ଉତ୍ସବର ଭବ୍ୟ ଆୟୋଜନର ମଜା ନେଉଛନ୍ତି ଅତିଥି ଓ ପର୍ଯ୍ୟଟକ। ସହରର ଖାଦ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି ଖାଦ୍ୟ ମହୋତ୍ସବ। ରାଜ୍ୟ ତଥା ଦେଶର ଭଲ ନାମିଦାମୀ ହୋଟେଲର ସୁସ୍ୱାଦୁ ବ୍ୟଞ୍ଜନ ଏଠାରେ ଉପଲବ୍ଧ ରହିଛି । ସହରର ତାରକା ହୋଟେଲରେ ଯେଉଁସବୁ ବ୍ୟଞ୍ଜନ ଅଧିକ ଦର ଥାଏ, ସେହିସବୁ ଖାଦ୍ୟ ଏଠାରେ କମ ଦରରେ ମିଳୁଛି। ଉତ୍ସବରେ ଖୋଲିଥିବା ୧୪ ଟି ଷ୍ଟଲରେ ଭରି ରହିଛି ଭରପୂର ଜାତୀୟ, ଅନ୍ତର୍ଜାତୀୟ ଓ ପାରମ୍ପରିକ ବ୍ୟଞ୍ଜନ। ଉତ୍ସବରେ ନାନା ପ୍ରକାର ଖାଦ୍ୟର ମଜା ଉଠାଉଥିବା ବେଳେ ପରିଦର୍ଶକ, ଦେଶୀ ଓ ପାରମ୍ପରିକ ବ୍ୟଞ୍ଜନକୁ ଅଧିକ ପସନ୍ଦ କରୁଛନ୍ତି ।
ପ୍ରବାସୀ ଭାରତୀୟ ଦିବସ ( ପିବିଡି ) ଉପଲକ୍ଷେ ରାଜଧାନୀ ଏବେ ଉତ୍ସବ ମୁଖର ହୋଇ ଉଠିଛି। ସବୁଠି ଆଲୋକମାଳା ଓ ସାଜ୍ଜସଜ୍ଜା ସାଙ୍ଗକୁ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଭଳି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ଅତିଥି ଓ ଦର୍ଶକଙ୍କ ସୁଅ ଛୁଟୁଛି। ଏକାମ୍ର ଉତ୍ସବ ଉପଲକ୍ଷେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଆସନ୍ତା ୧୬, ୨୦୨୫ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ଅପରାହ୍ନ ୪ଟାରୁ ରାତି ୧୧ଟା ଯାଏଁ ବିଭିନ୍ନ ଭବ୍ୟ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଉତ୍ସବ ଅତିଥି, ପର୍ଯ୍ୟଟକ, ଆଗନ୍ତୁକ ଏବଂ ଜନତାଙ୍କ ପାଇଁ ଏକ ଅଦ୍ଭୁତ ଶୀତ କାଳୀନ ଅନୁଭବ ଦେଉଛି। ସୃଜନଶୀଳତା, ଏବଂ ବାଣିଜ୍ୟ ପାଇଁ ଏହା ଏକ ହବ୍ ଭାବେ ସମସ୍ତଙ୍କ ମନ ଟାଣୁଛି। ଯେଉଁଥିରେ ବିଭିନ୍ନ ସ୍ଥାନରୁ ଉଦୀୟମାନ ଉଦ୍ୟୋଗୀ, ଘରୋଇ ବ୍ୟବସାୟ ଏବଂ ସ୍ଥାନୀୟ ପାରମ୍ପରିକ ବ୍ୟଞ୍ଜନ ଷ୍ଟଲ୍ ପ୍ରଦରର୍ଶିତ ହୋଇଛି । ଯାହା ସବୁ ବର୍ଗର ଆଗନ୍ତୁକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି।
ଶୁକ୍ରବାର ଏକାମ୍ର ଉତ୍ସବ ୬ଷ୍ଠ ଦିନରେ ପହଁଚିଛି। ଯେତେ ଦିନ ଗଡୁଛି ଏଠାରେ ପର୍ଯ୍ୟଟକ, ଦର୍ଶକ ଓ ଖାଦ୍ୟପ୍ରେମୀଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ମାର୍କେଟିଂ ସାଙ୍ଗକୁ ଏଠାରେ ଖାଦ୍ୟ ମହୋ ତ୍ସବରେ ପଡ଼ିଥିବା ବିଭିନ୍ନ ନିରାମିଷ ଓ ଆମିଷ ବ୍ୟଞ୍ଜନ ଖାଇବା ପାଇଁ ବିଭିନ୍ନ ଷ୍ଟଲରେ ଲମ୍ବା ଧାଡି ଲାଗୁଛି। ବିଭିନ୍ନ ଷ୍ଟଲରେ ଖାଇବା ପାଇଁ ଲୋକେ ଭିଡ଼ ଜମାଉଛନ୍ତି। ଉତ୍ସବକୁ ଅଧିକ ଆକୃଷ୍ଟ କରିବା ପାଇଁ ହୋଟେଲ ମାନଙ୍କରେ କିଛି ସ୍ୱତନ୍ତ୍ର ବ୍ୟଞ୍ଜନ ବି ପ୍ରସ୍ତୁତ ହେଉଛି। ବ୍ୟଞ୍ଜନ ବଜାରରେ ବେଶି ଚାହିଦାରେ ଅଛି ପତ୍ରପୋଡ଼ା ଖାଦ୍ୟ । ପତ୍ର ପୋଡ଼ା ମଟନ୍ ଓ ଦେଶୀ ଚିକେନ୍ ଦାମ୍ ୩୦୦ଟଙ୍କା ରହିଛି, ପତ୍ରପୋଡା ଚିକେନ୍, ଚିଙ୍ଗୁଡି, ଚୁନା ମାଛ, ପନିର ଓ ଛତୁର ଦାମ୍ ୨୫୦ ଟଙ୍କା ରହିଛି।
ସେହିପରି ବ୍ୟଞ୍ଜନ ବଜାର ହାଣ୍ଡିଶାଳରେ ଦେଶୀ ଓ ପାରମ୍ପରିକ ସମନ୍ୱୟ ଦେଖିବାକୁ ମିଳିଛି। ଏଇ ଯେମିତି, ଗ୍ରିଲ ଆଲୁଟିକି ଚାଟ, ଦହି ଗୁପଚୁପ ଚାଟ, କଟକି ଦହିବରା ଆଳୁଦମ, ମସ୍କା ପାୱାଭାଜି, ଚଟପଟା ବୋଏଲଡ କର୍ଣ୍ଣ, ଏଗ ରୋଲ, ଚିକେନ ରୋଲ ଭଳି ଖାଦ୍ୟକୁ ଯୁବତୀମାନେ ପସନ୍ଦ କରୁଛନ୍ତି। ଆମିଷ ବ୍ୟଞ୍ଜନ ଭିତରେ ଚିକେନ ବାର୍ବିକ୍ୟୁ, ଫି୍ସ ବାର୍ବିକ୍ୟୁ, ହାଇଦ୍ରାବାଦୀ ଚିକେନ, ମଟନ ବିରିୟାନୀ, ଚିକେନ ଫ୍ରାଏଡ଼ ରାଇସ ଭଳି ବିଭିନ୍ନ ବ୍ୟଞ୍ଜନ ରହିଛି । ସେହିପରି ଥଣ୍ଡା ପାନୀୟ, ଆଇସକ୍ରିମ ଭଳି ଷ୍ଟାଟର ମଧ୍ୟ ଉପଲବ୍ଧ ରହିଛି । ଏଥିସହ ମନୋରଞ୍ଜନ ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ ଓଲିଉଡ଼ ଇଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଦର୍ଶକ ନିଜକୁ ମସଗୁଲ କରୁଛନ୍ତି । ସ୍ମୃତିକୁ କ୍ୟାମେରାରେ କଏଦ କରିବା ସହ ଭବ୍ୟ ଆୟୋଜନ ନେଇ ଖୁସି ବ୍ୟକ୍ତ କରୁଛନ୍ତି ।
ଖାଦ୍ୟ ମହୋତ୍ସବକୁ ଆସିଥିବା ପରିଦର୍ଶକ ଦୀପନାରାୟଣ ଦାଶ କହିଛନ୍ତି ଯେ, ଏଭଳି ଅପୂର୍ବ ପରିବେଶରେ ଖାଦ୍ୟ ବ୍ୟଞ୍ଜନର ମଜା ନେବା ସହ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ଉଜ୍ଜିବୀତ କରିବା ନେଇ ସୁଯୋଗ ମିଳୁଛି । ଅନୁରୂପ, କୁନି ଦର୍ଶକ ସାଇ ଜିଗ୍ନେଶ ବ୍ୟଞ୍ଜନକୁ ମନଭରି ଉପଭୋଗ କରିଥିବା ପ୍ରକାଶ କରିଛନ୍ତି।