ବରିଷ୍ଠ ନାଗରିକ, ବିଧବା ଏବଂ ଅସହାୟ ଲୋକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଆମ ସରକାରର ପ୍ରାଥମିକତା-
କୁଣ୍ଢେଇ ବାମ ପାର୍ଶ୍ଵ କେନାଲ ବନ୍ଧର ରାସ୍ତା ଉନ୍ନତି କରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ
– ଖରିପ ଋତୁ ୨୦୨୪-୨୫ ପାଇଁ ପୁରୀ ଜିଲ୍ଲାସ୍ତରୀୟ ଧାନ ମଣ୍ଡିରେ ଧାନ କ୍ରୟର ଶୁଭାରମ୍ଭ
– ପଞ୍ଚାୟତ ସମିତି, ନିମାପଡ଼ା ଠାରେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ବଣ୍ଟନ
– ୧୦୭ ଜଣ ନୂତନ ଭାବେ ଚୟନ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ
ଭୁବନେଶ୍ୱର, ୦୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିମାପଡା ଗସ୍ତ ଅବସରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସକାଳେ କାକଟପୁର ମା’ମଙ୍ଗଳାଙ୍କ ଆଶୀର୍ବାଦ ଭିକ୍ଷା କରିବା ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ନିମାପଡ଼ାର ଚାରିଛକ ଠାରେ ଜଳସମ୍ପଦ ବିଭାଗର କୁଣ୍ଢେଇ ବାମ ପାର୍ଶ୍ଵ କେନାଲ ବନ୍ଧର ରାସ୍ତା ଉନ୍ନତି କରଣ କାର୍ଯ୍ୟର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନରେ ଯୋଗଦେଇଥିଲେ । ଏହି ପ୍ରକଳ୍ପ ଦ୍ଵାରା ୩ କି.ମି଼ କେନାଲ ବନ୍ଧ ସୁଦୃଢ଼ ହେବା ସହ ଗମନା ଗମନ ସୁଗମ ହେବ।
ନିମାପଡ଼ାର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ, ଖରିପ ଋତୁ ୨୦୨୪-୨୫ ପାଇଁ ପୁରୀ ଜିଲ୍ଲାସ୍ତରୀୟ ଧାନ ମଣ୍ଡିରେ ଧାନ କ୍ରୟର ଶୁଭାରମ୍ଭ କରିଥିଲେ ଉପମୁଖ୍ୟମନ୍ତ୍ରୀ। ପରେ ଆଜି ପଞ୍ଚାୟତ ସମିତି, ନିମାପଡ଼ା ଠାରେ ଦିବ୍ୟାଙ୍ଗ ମଉସା, ମାଉସୀ, ଭାଇ ଓ ଭଉଣୀ ମାନଙ୍କୁ ଟ୍ରାଇସାଇକେଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ବଣ୍ଟନ କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।
ପରେ ନିମାପଡ଼ା ପଞ୍ଚାୟତ ସମିତି ଠାରେ ୧୦୭ ଜଣ ନୂତନ ଭାବେ ଚୟନ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରଯାଇଥିଲା । ଏହି ଅବସରରେ ଆମ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦ ଭାଗରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀମାନଙ୍କ ସାମାଜିକ ସୁରକ୍ଷା ଭତ୍ତା ମାସିକ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିରେ ଆମ ନିମାପଡ଼ା ବ୍ଲକର ୪୧୮୭ ଜଣ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ଏବଂ ୬୦୭ ଜଣ ୮୦ ଭାଗ ରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମ ଥିବା ହିତାଧିକାରୀ ମାସିକ ୩୫୦୦ ଟଙ୍କା ଆସନ୍ତା ମାସରୁ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ବରିଷ୍ଠ ନାଗରିକ, ବିଧବା ଏବଂ ଅସହାୟ ଲୋକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଆମ ସରକାରର ପ୍ରାଥମିକତା। ସମସ୍ତ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସାମାଜିକ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ମଳ ଉପଚାର କେନ୍ଦ୍ର ଠାରେ ନୂତନ ପ୍ରଶାସନିକ ଭବନର ସମ୍ପ୍ରସାରଣ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନରେ ଯୋଗଦେବା ସହ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ ର ପ୍ରଚାର ଓ ପ୍ରସାର ନିମନ୍ତେ ଏକ ସଚେତନତା ଗାଡ଼ି ବୁଲିବାର ଶୁଭାରମ୍ଭ କରିଥିଲେ। ଏହି ଗାଡ଼ି ସମସ୍ତ ୱାର୍ଡ ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ।
