ଭୁବନେଶ୍ୱର,୦୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ଟି ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷାକୁ ସରକାର ‘ପ୍ରାକୃତିକ ବିପର୍ଯ୍ୟୟ’ ଭାବେ ଗ୍ରହଣ କରିଥିବାବେଳେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍ଡ଼ିଆର୍ଏଫ୍)ରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ ଆରମ୍ଭ କରାଯାଇଛି । ଯେଉଁ ଚାଷୀମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଛି, ସେହି ଚାଷୀମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯାଉଛି ।
ଏସ୍ଡ଼ିଆର୍ଏଫ୍ ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଇନ୍ପୁଟ ସବ୍ସିଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଉଛି । ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକଟର ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି । ଏହି ଚାଷୀମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି ।
ଗତ ୨୦ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଅଦିନିଆ ବର୍ଷା ହୋଇଥିଲା । ୩୦ ଓ ୩୧ ତାରିଖରେ ସର୍ଭେ ପରେ ସରକାର ୧ ତାରିଖରେ ରିପୋର୍ଟ ପାଇଥିଲେ । ସରକାର ସବୁବେଳେ ଚାଷୀମାନଙ୍କ ସହ ରହି ଆସିଛନ୍ତି ଓ କୃଷକଙ୍କ ମଙ୍ଗଳ ପାଇଁ ସବୁପ୍ରକାର ସାହାଯ୍ୟ କରିବାକୁ ଚେଷ୍ଟିତ ଅଛନ୍ତି ।
ଅନୁଗୋଳ ଜିଲ୍ଲାରେ ୭୫.୬୧ ହେକଟର ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ୬ ଲକ୍ଷ ୯୯ ହଜାର ୮୦୮ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେହିପରି ଭ୍ରଦକ ଜିଲ୍ଲାର ଏକ ହଜାର ୪୦ ହେକଟର କ୍ଷତିଗ୍ରସ୍ତ ଫସଲ ପାଇଁ ଏକ କୋଟି ୫୬ ଲକ୍ଷ ୭୪ ହଜାର ଟଙ୍କା, କଟକ ଜିଲ୍ଲାରେ ୧୯୧୮୦.୪୨ ହେକଟର ଜମି ପାଇଁ ୨୪ କୋଟି ୩୬ ଲକ୍ଷ ୯୬ ହଜାର ୬୧୫ ଟଙ୍କା, ଢେଙ୍କାନାଳର ୧୯୬.୮୧ ହେକଟର ଜମି ପାଇଁ ୧୯ ଲକ୍ଷ ୩୦ ହଜାର ୪୩୫ ଟଙ୍କା, ଗଜପତି ଜିଲ୍ଲାର ୬୫୧.୫୮ ହେକଟର କ୍ଷତିଗ୍ରସ୍ତ ଜମି ପାଇଁ ୮୭ ଲକ୍ଷ ୮୪ ହଜାର ୪୦୫ ଟଙ୍କା, ଗଞ୍ଜାମ ଜିଲ୍ଲାର ୬୦୭୧୨.୬୧ ହେକଟର ଜମି ପାଇଁ ୮୯ କୋଟି ୭୯ ଲକ୍ଷ ୨ ହଜାର ୬୩ ଟଙ୍କା, ଜଗତସିଂହପୁର ଜିଲ୍ଲାର ୨୧୨୪୦ ହେକଟର ଜମି ପାଇଁ ୨୮ କୋଟି ୯୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା, ଯାଜପୁର ଜିଲ୍ଲାର ୧୦୬୪୨ ହେକଟର ଜମି ପାଇଁ ୧୨ କୋଟି ୧୯ ଲକ୍ଷ ୮୩ ହଜାର ୫୦୦ ଟଙ୍କା, କଳାହାଣ୍ଡି ଜିଲ୍ଲାର ୭୭୫.୪୯ ହେକଟର କ୍ଷତିଗ୍ରସ୍ତ ଜମି ପାଇଁ ୯୨ ଲକ୍ଷ ୮୫ ହଜାର ୫୭୦ ଟଙ୍କା, କନ୍ଧମାଳ ଜିଲ୍ଲାର ୨୭୨.୮୭ ହେକଟର ଜମି ପାଇଁ ୨୪ ଲକ୍ଷ ୪୪ ହଜାର ୨୧୮ ଟଙ୍କା, କେନ୍ଦ୍ରାପଡ଼ା ଜିଲ୍ଲାର ୨୪୨୪୪.୧୪ ହେକଟର ଜମି ପାଇଁ ୨୪ କୋଟି ୫୨ ଲକ୍ଷ ୬୯୦ ଟଙ୍କା, ଖୋର୍ଦ୍ଧା ଜିଲ୍ଲାର ୧୬୪୫୫.୭୭ ହେକଟର ଜମି ପାଇଁ ୨୦ କୋଟି ୪ ଲକ୍ଷ ୨୦ ହଜାର ୪୯୭ ଟଙ୍କା, ନୟାଗଡ଼ ଜିଲ୍ଲାର ୨୧୪୩୪.୧୫ ହେକଟର ଜମି ପାଇଁ ୨୨ କୋଟି ୨୩ ଲକ୍ଷ ୪ ହଜାର ୩୯୩ ଟଙ୍କା, ନୂଆପଡ଼ା ଜିଲ୍ଲାର ୧୩.୬ ହେକଟର ଜମି ପାଇଁ ୧ ଲକ୍ଷ ୯୩ ହଜାର ୩୭୫ ଟଙ୍କା, ପୁରୀ ଜିଲ୍ଲାର ୪୯୧୯୩.୨୬ ହେକଟର ଜମି ପାଇଁ ୬୪ କୋଟି ୮୪ ଲକ୍ଷ ୪୦ ହଜାର ୯୪୫ ଟଙ୍କା, ରାୟଗଡ଼ା ଜିଲ୍ଲାର ୬୬୨.୯୫ ହେକଟର ଜମି ପାଇଁ ୭୧ ଲକ୍ଷ ୭୧ ହଜାର ୪୯୯ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।
-0-
ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ