କେନ୍ଦ୍ରାପଡ଼ା, ୦୨/୦୧/୨୦୨୫ (ଓଡ଼ିଶା ସମାଚାର)- ଜାନୁୟାରୀ ୧ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ଜିଲା ପରିକ୍ରମା କରିବାର ବ୍ୟବସ୍ଥା କରାଯାଇଛି । ଗୁରୁବାର ସକାଳ ସାଢେ ୧୦ଟା ବେଳେ ଜିଲା କାର୍ଯ୍ୟାଳୟ ପରିସରରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ସଚେତନତା ରଥ ଜିଲାର ସମସ୍ତ ବ୍ଲକର ବିଭିନ୍ନ ଅଂଚଳ ପରିକ୍ରମା କରି ସଡକ ସୁରକ୍ଷାର ବାର୍ତା ଲୋକମାନଙ୍କୁ ବାଂଟିବ । ରଥରେ ସଡକ ସୁରକ୍ଷା ସମ୍ପର୍କିତ ବାର୍ତା ଏଲ୍.ଇ.ଡି. ମାଧ୍ୟମରେ ପ୍ରଦର୍ଶନ କରାଯିବ । ଜିଲାର ସମସ୍ତ ଗାଡିଚାଳକ, ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନଙ୍କୁ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଦୁଇଚକିଆ ଗାଡି ଚଳାଇବା ବେଳେ ହେଲମେଟ୍ ପରିଧାନ କରିବା, ଦ୍ରୁତ ଗତିରେ ଗାଡି ନ ଚଳାଇବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା, ୧୮ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଗାଡି ଚଳାଇବାକୁ ନ ଦେବା, ଗାଡି ଚଳାଇବା ପୂର୍ବରୁ ବ୍ରେକ୍, ହର୍ଣ୍ଣ, ଇଣ୍ଡିକେଟର୍, ଟାୟାର୍ ପ୍ରେସର୍ ପ୍ରଭୃତି ଚେକ୍ କରିବା ସହ ଗାଡିର କାଗଜପତ୍ର ସାଙ୍ଗରେ ରଖିବା, କ୍ଷମତାଠାରୁ ଅଧିକ ଓଜନର ମାଲ୍ ପରିବହନ ନ କରିବା ଏବଂ ମାଲ୍ ବୁହା ଯାନରେ ଯାତ୍ରୀ ପରିବହନ ନ କରିବା ପ୍ରଭୃତି ବିଷୟ ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି ବୋଲି ଆଂଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି । “ସଡକ ସୁରକ୍ଷା ଜୀବନ ରକ୍ଷା” ପ୍ରତି ସମସ୍ତେ ସଚେତନ ହେଲେ ଦୁର୍ଘଟଣା ଜନିତ ମୃତୁ୍ୟହାର ହ୍ରାସ ପାଇବ । ନିୟମଗୁଡିକୁ ନ ମାନିଲେ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥାର ପ୍ରାବଧାନ ରହିଛି । ଉକ୍ତ ଶୁଭ ଉଦଘାଟନ ସମୟରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲାରେ ନୂତନ ଭାବେ ଯୋଗ ଦେଇଥିବା ଟିଆରଓ ମାନେ ଉପସ୍ଥିତ ଥିଲେ ।