ଶେଷଦର୍ଶନ କଲେ ପୂର୍ବତନ ସାଂସଦ ମହେଶ ସାହୁ
ହିନ୍ଦୋଳ,୩୧/୧୨/୨୦୨୪ (ଓଡ଼ିଶା ସମାଚାର)-ଭାରତୀୟ ପଦାଦିକ ସେନାବାହିନୀରେ କାର୍ଯ୍ୟରତ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜଣେ ଯବାନଙ୍କ ଦେହାନ୍ତ ହୋଇଯାଇଛି। ଖବରରୁ ପ୍ରକାଶ ହିନ୍ଦୋଳ ନିର୍ବାଚନମଣ୍ଡଳୀ ରାସୋଳ ଥାନା ଅନ୍ତର୍ଗତ କୁନୁଆ ପଂଚାୟତର ବୁଦ୍ଧଦେବ ସାମଲଙ୍କ ପୁଅ ରିଙ୍କୁ ସାମଲ(୨୩) ଭାରତୀୟ ସେନା ବାହିନୀରେ ୨୦୧୧ରୁ ଆସାମ ରାଇଫଲସ ର ଯବାନ ଭାବରେ କାର୍ଯ୍ୟରତ ଥିଲେ।
ତେବେ ଘରକୁ ଛୁଟିରେ ଆସି ଚାକିରୀ କ୍ଷେତ୍ରକୁ ବାହାରୁଥିବା ବେଳେ ଅସୁସ୍ଥତା ଅନୁଭବ କରିବାରୁ ୪ଦିନ ତଳେ ପରିବାରବର୍ଗ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ସୈନ୍ୟ ବିଭାଗ ତରଫରୁ କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ପରେ ହସ୍ପିଟାଲ ପରିସରରେ ବୀର ଯବାନଙ୍କ ମରାଶରୀରକୁ ଜାତୀୟପତାକାରେ ଆଚ୍ଛାଦିତ କରାଯାଇ ତୋପ ସାଲାମୀ ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ନାନ ଦିଆ ଯାଇଥିଲା ଏବଂ ସେଠାରେ ଆର୍ମି ବିଭାଗର ପଦସ୍ଥ ଅଧିକାରୀ ବୃନ୍ଦ ଶେଷ ସମ୍ନାନ ଦେଇଥିଲେ ।
ଯବାନଙ୍କ ମୃତ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କ ଗ୍ରାମ କୁନୁଆ କୁ ଅଣାଯାଇ ଗ୍ରାମ ସ୍ମଶାନ ରେ ସଂସ୍କାର କରାଯାଇଥିଲା। ସେଠାରେ ପୂର୍ବତନ ସାଂସଦ ମହେଶ ସାହୁ ଶେଷଦର୍ଶନ କରି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ବୀର ଯବାନ ରିଙ୍କୁ ସାମଲଙ୍କ ବୀରତ୍ୱ ତାଙ୍କୁ ସର୍ବଦା ଅମର ରଖିବ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁନୁଆ ସରପଞ୍ଚ ନିରଞ୍ଜନ ସାମଲ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଏବଂ କେବଳ ରାସୋଳ ଥାନା ଅଧିକାରୀ, କର୍ମଚାରୀ ସ୍ଥାନୀୟ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଯବାନଙ୍କ ଅକାଳ ବିୟୋଗରେ ନିର୍ବାଚନ ମଣ୍ଡଳୀ ସମେତ ପୈତୃକ ଗ୍ରାମ କୁନୁଆରେ ଶୋକରଛାୟା ଖେଳି ଯାଇଥିବାବେଳେ ହଜାର ହଜାର ଲୋକଙ୍କ ଗହଣରେ ବୀର ଯବାନ ଅମର ରହେ ଧ୍ୱନିରେ ଗଗନ ପ୍ରକମ୍ପିତ ହୋଇଯାଇଥିଲା।
