ଯାଜପୁର, ୨୯/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଯାଜପୁର ସର୍କିଟ ହାଉସ ଠାରେ ଅଦିନିଆ ବର୍ଷା ଜନିତ ଜିଲ୍ଲାରେ ଫସଲ କ୍ଷୟକ୍ଷତି ସମ୍ପର୍କରେ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରା ଯାଇଥିବା କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ପଞ୍ଚାୟତ ଓ ବ୍ଲକ୍ ୱାରି ଯୁଗ୍ମ କମିଟି ଗଠନ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଇଛି ବୋଲି ସେ ମତ ରଖିଥିଲେ। ଜିଲ୍ଲାରେ ସମୁଦାୟ ୧୦୧୮୧୧ହେକ୍ଟର ଜମିରେ ଧାନଚାଷ ମଧ୍ୟରୁ ପ୍ରାୟ ୮୦ ହଜ଼ାର ହେକ୍ଟର ଜମି ରୁ ଧାନ ଅମଳ ହୋଇଥିବା ବେଳେ ସେଥିମଧ୍ୟରୁ ୮୧୨୭୩ ଜଣ ପ୍ରଧାନ ମନ୍ତ୍ରୀ ଫସଲ ବୀମା କରିଛନ୍ତି।ଜିଲ୍ଲାରେ ୯୧୫୩ ହେକ୍ଟର ଜମି ବର୍ଷା ଦ୍ଵାରା କ୍ଷୟକ୍ଷତି ହୋଇଛି।
ବୀମା ଭୁକ୍ତ ହୋଇନଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ କ୍ଷୟକ୍ଷତି ଆକଳନ ସର୍ଭେ କାର୍ୟ୍ୟ ଚାଲୁ ରହିଛି। ବୀମା ଭୂକ୍ତ ଓ ବୀମା କରିନଥିବା ପ୍ରକୃତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାର ଙ୍କୁ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସର୍ଭେ ସମୟରେ ଚାଷୀମାନଙ୍କ ପ୍ରତି କୋହଳ ମୋନୋଭବ ପୋଷଣ କରିବାକୁ ସେ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦେଇଥିଲେ।
ଯାଜପୁର ଜିଲ୍ଲା ର ବିଂଝରପୂର୍ , ଦଶରଥପୁର ଓ ବଡଚଣା ବ୍ଳକର ଅଦିନିଆ ବର୍ଷା କ୍ଷୟକ୍ଷତି ହୋଇଥିବାର ଜିଲ୍ଲାପାଳ ପ୍ରକାଶ କରିଥିଲେ। ଆଜି ମନ୍ତ୍ରୀ ଯାଜପୁର ଗସ୍ତ ସମୟରେ ବିଂଝରପୂର୍ , ଦଶରଥପୁର ବ୍ଲକ୍ ର ଅଳକୁଣ୍ଡ, କପିଳା ଓ ବିରଜାପୁର ପଞ୍ଚାୟତ ର ପରିଦର୍ଶନ କରି କ୍ଷୟକ୍ଷତି ସମ୍ପର୍କରେ ଚାଷୀ ମାନଙ୍କ ସହ ଆଲୋଚନା କରି ଫସଲ ବୀମା ଅର୍ଥ ରାଶି ଓ କ୍ଷୟକ୍ଷତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଯାହାର କ୍ଷୟକ୍ଷତି ହୋଇଛି କେହିବି କୃଷକ ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବେ ନାହିଁ।ଆସନ୍ତା କାଲି ଡ଼ିସେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଆକଳନ କରାଯିବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା,ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ପାତ୍ର, ସମସ୍ତ ତହସିଲଦାର,ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି,ବ୍ଲକ୍ କୃଷି ଅଧିକାରୀ,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଯାଜପୁର ଜିଲ୍ଲାରେ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟ କ୍ଷତି ସମ୍ପର୍କରେ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ
