ବକେୟା ଦୋକାନ ଭଡା ପଇଠ ନକରିବାରୁ କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ହୋଟେଲ ଓ ପାଥୋଲାବ ସିଲ

କେନ୍ଦ୍ରାପଡ଼ା,୧୯/୧୨/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ବାରମ୍ବାର ନୋଟିସ ପରେବି ବକେୟା ଦୋକାନ ଭଡା ପଇଠ ନକରିବାରୁ ଗୋଟିଏ ହୋଟେଲ ଏବଂ ଅନ୍ୟ ଏକ ପାଥୋଲାବକୁ ସିଲ କରିଦିଆଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ ସେଂଟ୍ରାଲ ମାର୍କେଟରେ ଥିବା ‘ତାଜ୍ ହୋଟେଲ’ ପ୍ରାୟ ୪୧ମାସର ଦୋକାନ ଭଡା ୩ଲକ୍ଷ ୪୭ହଜାର ଟଙ୍କା ବକେୟା ରଖିଥିଲା । ସେହିଭଳି ଖଡିଅଙ୍ଗସ୍ଥିତ ପୁରୁଣା ମେଡିକାଲ ଛକ ମାର୍କେଟ କମ୍ପ୍ଲେକ୍ସରେ ଥିବା ମା’ ଶାରଦା ପାଥୋଲାବ୍ ର ୬୬ମାସର ପ୍ରାୟ ୩୩ହଜାର ଟଙ୍କା ଦୋକାନ ଭଡା ବକେୟା ଥିଲା । ଉଭୟ ପାଥୋଲାବ ଓ ତାଜ୍ ହୋଟେଲକୁ ପୌରସଂସ୍ଥା ପକ୍ଷରୁ ବାରମ୍ବାର ନୋଟିସ ପ୍ରଦାନ ପରେବି ସେମାନେ ନଶୁଣିବାରୁ ସେମାନଙ୍କୁ ଚୂଡାନ୍ତ ନୋଟିସ ପ୍ରଦାନ କରାଯାଇଥିଲେବି ଉଭୟ ସଂସ୍ଥା ବକେୟା ଦୋକାନ ଭଡା ପ୍ରଦାନ କରିନଥିଲେ । କେନ୍ଦ୍ରାପଡା ପୌର ପରିଷଦର ନିଷ୍ପତି ଓ ଉପଜିଲାପାଳଙ୍କ ନିର୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ମ୍ୟାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବା ପୌରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପୌରସଂସ୍ଥାର ଆର.ଆଇ. ଦେବିପ୍ରସାଦ ଦାସ, ପୌରକର୍ମଚାରୀ ସଞ୍ଜୀବ କୁମାର ମହାନ୍ତି ଓ ଅନ୍ୟାମାନେ ଉଭୟ ପାଥୋଲାବ ଏବଂ ହୋଟେଲକୁ ସିଲ କରିଦେଇଥିବା ପୌରସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *