ଜନ୍ମମାଟିରେ ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ୭0 ତମ ଶ୍ରଦ୍ଧାଞ୍ଜଳି ସମାରୋହ

ମାହାଙ୍ଗା,୨୪/୧୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା)-ମାହାଙ୍ଗା ମାଟିର ଗୌରବୋଜ୍ୱଳ ପୁରୁଷ,ଯଶସ୍ବୀ ସାଧକ, ଶିଳ୍ପୀଗୁରୁ ବିମ୍ବାଧର ବର୍ମାଙ୍କ ୭0 ତମ ଶ୍ରଦ୍ଧାଞ୍ଜଳି ସମାରୋହ କୁସୁପୁର ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଲଳିତକଳା ଏକାଡେମୀ ଏବଂ ନନ୍ଦ କିଶୋର ବିଦ୍ୟାମନ୍ଦିର କୁସୁପୁର ଓ ମାହାଙ୍ଗା ବିକାଶ ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି ଭବ୍ୟ ଉତ୍ସବକୁ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ  । ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା କେବଳ ମାହାଙ୍ଗା ମାଟିକୁ ଚମକିତ କରିଛନ୍ତି , ସେକଥା ନୁହେଁ,ବିଶ୍ୱର ଜଣେ ଅନବଦ୍ୟ ଚିତ୍ରଶିଳ୍ପୀ ଭାବେ ଶିଳ୍ପୀଗୁରୁ ଆଜିବି ଅବିସ୍ମରଣୀୟ ପୁରୁଷ ।  ଓଡିଆ ଜନଜୀବନର ନିଛକ ଚିତ୍ର, କଳା ଭାସ୍କର୍ଯ୍ୟ ସାହିତ୍ୟ ଓ ସଂସ୍କୃତିକୁ ଅପରୂପ ଢଙ୍ଗରେ ଚିତ୍ରିତ କରିଥିବା  ଧୂରୀଣ ଶିଳ୍ପୀ ଚିର ବନ୍ଦନୀୟ  । ଉତ୍ସବରେ ମୁଖ୍ୟବକ୍ତା ଭାବେ ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ଡକ୍ଟର ପଞ୍ଚାନନ ସାମଲ ଯୋଗଦେଇ ଶିଳ୍ପୀଗୁରୁଙ୍କୁ ବିଶ୍ୱ ବନ୍ଦନୀୟ ଚିତ୍ରକର ଭାବେ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ ଯୋଗଦେଇ ଥିଲେ  ।

  ସାହିତ୍ୟିକ ଅଶୋକ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ପ୍ରଧାନଶିକ୍ଷକ ରଞ୍ଜନ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।  ବିଦ୍ୟାଳୟର ଛାତ୍ରୀମାନେ ଆବାହନୀ ସଂଗୀତ, ନୃତ୍ୟ, ସଂଗୀତ, ଅଭିନୟ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜ୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବକୁ ସାମ୍ବାଦିକ ଶରତ ସାମଲ, ସାମ୍ବାଦିକ ଅମରେନ୍ଦ୍ର ସିଂ, ଶେଷଦେବ ସାହୁ, ଉମେଶ ଦାସ, ଶାରଦା ପ୍ରସନ ଜେନା, ସୁବ୍ରତ କୁମାର ଜେନା,ହେମନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *