ବରିଷ୍ଠ ସାମ୍ବାଦିକଙ୍କ ସରକାରୀ କ୍ୱାର୍ଟରରେ ନାଗସାପ ପରେ ପଶିଲା ଶାଳିଆ ପତନୀ

ଭୁବନେଶ୍ୱର,୨୩/୧୨/୨୦୨୪ (ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତିଙ୍କ ଦୁଇନମ୍ବର ୟୁନିଟସ୍ଥିତ ସରକାରୀ କ୍ୱାର୍ଟର ଟାଇପ୍ ଭିଏ-୨୦/୪ର ବାଥରୁମ୍ ରେ ପଶିଥିବା ଶାଳିଆ ପତନୀ ଏକ ପଶୁକୁ ଫରେଷ୍ଟଗାର୍ଡ଼ ଧରିଛନ୍ତି ।
ସୋମବାର ଅପରାହ୍ନରେ ଶ୍ରୀ ମହାନ୍ତିଙ୍କ ସରକାରୀ କ୍ୱାର୍ଟରରେ ଅଗଣା ଭିତର ଦେଇ ଏକ ଶାଳିଆ ପତନୀ ପଶୁଟି ହଠାତ୍ ବାଥରୁମ୍ ରେ ପଶି ଯାଇଥିଲା । ଘରେ ରହିଥିବା ପରିବାର ଲୋକେ ଏହି ପଶୁକୁ ଦେଖି ଛାନିଆ ହୋଇ ରାସ୍ତାରେ ବସିଥିଲେ । ଏହାପରେ ସ୍ନେକ ହେଲ୍ପଲାଇନର ମୁଖ୍ୟ ଶୁଭେନ୍ଦୁ ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲା । ଶ୍ରୀ ମଲ୍ଲିକ କହିଥିଲେ ଯେ, ଏହି ପଶୁକୁ ଧରିବା କାର୍ଯ୍ୟ ମୋର ନୁହେଁ, ଜଙ୍ଗଲ ବିଭାଗ ସ୍କ୍ୱାର୍ଡ଼ର କାର୍ଯ୍ୟ । ଜଙ୍ଗଲ ବିଭାଗର ପ୍ରତାପ ମହାନ୍ତି, ଛବିରାଣୀ ବେହେରା ଓ ସରୋଜ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରାଯିବା ପରେ ପାତ୍ରପଡ଼ା ସିଟି ଫରେଷ୍ଟ ସ୍କ୍ୱାର୍ଡ଼ର ଜଣେ ବରିଷ୍ଠ ଅଧିକାରୀ ଅକ୍ଷୟ କୁମାର ବଳିଆରସିଂହଙ୍କ ନେତୃତ୍ୱରେ ଶିଶିର ଭୁଜବଳ ଓ ସରୋଜ ପ୍ରଧାନ ତୁରନ୍ତ ସରକାରୀ କ୍ୱାର୍ଟରକୁ ଆସି ବାଥରୁମ୍ରେ ଲୁଚି ରହିଥିବା ଏହି ଶାଳିଆ ପତନୀ ପଶୁକୁ ଏକ କପଡ଼ାରେ ମାଡ଼ି ବସିଥିଲେ । ଏହାପରେ ଏହି ପଶୁଟିକୁ ପ୍ଲାଷ୍ଟିକ ବସ୍ତାରେ ବାନ୍ଧି ନେଇ ଯାଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ପୂର୍ବେ ଶ୍ରୀ ମହାନ୍ତିଙ୍କ ସରକାରୀ କ୍ୱାର୍ଟରରେ ଏକ ନାଗସାପ ପଶି ଯାଇଥିଲା । ଅଗଣାରେ ବିଚରଣ କରୁଥିବା ଏକ ନେଉଳ ଶୁଙ୍ଘି ଶୁଙ୍ଘି ଆସି ଘର ଭିତରେ ପଶି ଏହି ସାପଟିକୁ ମାରିଥିଲା ।

Leave a Reply

Your email address will not be published. Required fields are marked *