ଜଗତସିଂହପୁର ଆସୁଛନ୍ତି ମାନନୀୟା ଉପ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ରେ ଉଦ୍ଘାଟନ କରିବେ ବିକାଶ ମେଳା

ଜିଲ୍ଲା ସ୍ତରୀୟ ବିକାଶ ମେଳା ଆୟୋଜନ ଓ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜଗତସିଂହପୁର, ୨୦/୯/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲା ସଦର ମହକୁମା  ଠାରେ ଆଗାମୀ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ବିକାଶ ମେଳାର ଆୟୋଜନ ହେବାକୁ ଯାଉଅଛି ଏବଂ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,  ଉକ୍ତ ମେଳାକୁ ୨୧ ତାରିଖ ଅପରାହ୍ନରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ରେ ଉଦଘାଟନ କରିବା ସହିତ ଏହି ମହା ସମାରୋହରେ ଜନସାଧାରଣଙ୍କୁ ଉଦବୋଧନ ଦେବେ।

ଏଥିପାଇଁ, ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ସାଧାରଣ ନିର୍ବାଚନ ପରେ,  ପ୍ରଥମ ଥର ପାଇଁ ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଗସ୍ତ କରିବେ।  ଏଣୁ ଏହି ବିକାଶ ମେଳାର ଆୟୋଜନ ଓ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ବିକାଶ ମେଳାକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁଚିନ୍ତିତ ଯୋଜନା ଏବଂ ନିରବଚ୍ଛିନ୍ନ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ଏବଂ ଜନସାଧାରଣଙ୍କ ସୁବିଧା ଉପରେ ଆଲୋଚନା କରାଯାଇଥିଲା। ସେହି ଭଳି ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ନିୟମାବଳୀ, ଜରୁରୀକାଳୀନ ଚିକିତ୍ସା ଏବଂ ସେବା ଉପରେ ବିଶେଷ ଆଲୋଚନା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆୟୋଜନ ହେବାକୁ ଯାଉଥିବା ବିକାଶ ମେଳା ୨୧ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି । ଏହି ତିନି ଦିନରେ ସମସ୍ତ ବିଭାଗୀୟ ଉନ୍ନତିମୂଳକ କାର୍ଯ୍ୟର ପ୍ରଦର୍ଶନୀ ହେବା ସହିତ ବିଭିନ୍ନ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଵ।

ସମସ୍ତ ବିଭାଗର ସାମୁହିକ ଉଦ୍ୟମ ଫଳରେ ବିକାଶ ମେଳା ସଫଳ ହେବା ସହ ଜଗତସିଂହପୁର ର ଜନସାଧାରଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସୋନାଲ ଦୃଢୋକ୍ତି ପ୍ରକାଶ କରିଥିଲେ।

ଉକ୍ତ ବୈଠକରେ,  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ , ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ, ଶ୍ରୀ ଲଳିତ ମୋହନ ବେହେରା ,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡନାୟକ, ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *