ଜ଼ିଲ୍ଲା ସ୍ତରୀୟ ସରପଞ୍ଚ ଓ ଜ଼ିଲ୍ଲାପରିଷଦ ସଦସ୍ୟମାନଙ୍କ ନିମନ୍ତେ ଲିଙ୍ଗଗତ ପାର୍ଥକ୍ୟ , ଏକ ଦିବସୀୟ କର୍ମଶାଳା

ଜଗତସିଂହପୁର,୨୩/୧୨/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର  ସଭାଗୃହଠାରେ ଲିଙ୍ଗ ଅନୁପାତ ବୃଦ୍ଧି ନିମନ୍ତେ ଏକ କର୍ମଶାଳା ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁରର ସରପଞ୍ଚ ଓ ଜ଼ିଲ୍ଲା ପରିଷଦର ସଦସ୍ୟମାନେ ଯୋଗ ଦେଇଥିଲେ । ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକ ସମସ୍ତଙ୍କୁ  ସ୍ୱାଗତ କରିଥିଲେ । ଏହି କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ ଯେ ଆମ ଜିଲ୍ଲାର ପୁଅ ଓ ଝିଅ ମାନଙ୍କ ଅନୁପାତ ଧୀରେ ଧୀରେ କମିବାକୁ ଲାଗିଛି, ତେଣୁ ଏ ଦିଗରେ ଆମେ ସମସ୍ତେ ସଚେତନ ରହିବା ଓ ଏହାର ସମାନତା ରକ୍ଷା କରିବା । ଏହାର କାରଣ, ଲିଙ୍ଗ ନିରୂପଣ ଓ କନ୍ୟା ଭୃଣହତ୍ୟା, ଘରୋଇ ହିଂସା ଓ ପୁରୁଷକୈନ୍ଦ୍ରିକ ସମାଜରେ ଝିଅମାନଙ୍କୁ ଅବହେଳା କରିବା ଏବଂ କିଛି ସାମାଜିକ ପ୍ରଥା ଯଥା:  ବଂଶରକ୍ଷା, ମୃତ୍ୟୁ ପରେ ମୁଖାଗ୍ନି ଦେବା, ଦାରିଦ୍ର୍ୟତା, ନିରକ୍ଷରତା ଇତ୍ୟାଦି ରହିଛି । ଯଦି ଏହିପରି ଝିଅମାନଙ୍କ ସଂଖ୍ୟା ହ୍ରାସ ହୋଇଚାଲେ,  ତେବେ ସାମାଜିକ ସମସ୍ୟା ଯେପରି କି ଧର୍ଷଣ, ମହିଳା ଚାଲାଣ, ଏକାଧିକ ପତି ଗ୍ରହଣ, ମହିଳା ବିରୋଧରେ ହିଂସାକୁ ବହୁ ଭାବରେ ପ୍ରଶୟ ଦେବା ଇତ୍ୟାଦି ବଢିଚାଲିବ  । ଏସବୁକୁ ରୋକିବାକୁ ହେଲେ ସମାଜ କୁ ସଚେତନ ହେବାକୁ ପଡିବ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ  (ପରିବାର କଲ୍ୟାଣ ) ଗର୍ଭଧାରଣ  ପୂର୍ବରୁ ଓ ଗର୍ଭଧାରଣ ପରେ ଲିଙ୍ଗ ନିରୂପଣ ଅଧିନିୟମ ଅନୁସାରେ ଏହା ନିଷିଦ୍ଧ କରାଯାଇଛି ବୋଲି କହିଥିଲେ । ଏହା ସମ୍ପୂର୍ଣ ବେଆଇନ ଅଟେ,  ଅଧିନିୟମ ଅନୁସାରେ ଏଥିପାଇଁ ଜେଲ ଓ ଜୋରିମାନା ରଖାଯାଇଛି ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ହୁଅନ୍ତୁ କି ଦମ୍ପତି, ଅନେକ ସମୟରେ ଅପରାଧକୁ ପ୍ରମାଣ କରିବା କଷ୍ଟସାଧ୍ୟ ହୋଇପଡେ । ଅଲଟ୍ରା ସାଉଣ୍ଡ ସୁବିଧା ଥିବା କ୍ଲିନିକଗୁଡିକ ନିଶ୍ଚିତଭାବେ ପଞ୍ଜିକୃତ ହେବାକୁ ପଡିବ,  କ୍ଲିନିକ ସମ୍ମୁଖରେ ନୋଟିସ ବୋର୍ଡରେ ବଡ ବଡ ଅକ୍ଷରରେ ଇଂରାଜୀ ଓ ସ୍ଥାନୀୟ ଭାଷାରେ ଲେଖାଯିବ ଯେ ଏଠାରେ ଭୃଣର ଲିଙ୍ଗ ନିରୂପଣ କରାଯାଏ ନାହିଁ, ଯଦି ତାପରେ ବି  କେଉଁଠି ସେଭଳି କରାଯାଉଥିବ, ଆପଣମାନେ ଜାଣିବାକୁ ପାଉଛନ୍ତି, ଜନସାଧାରଣଙ୍କ ପ୍ରତିନିଧି ହିସାବରେ ସରପଞ୍ଚ ଓ ଜିଲ୍ଲାପରିଷଦ ସଦସ୍ୟ ନିଜ ନିଜ ଜାଗାରେ ଆଇନ ଉଲଂଘନ କରାଯାଉଥିବାର ଜାଣିବାକୁ ପାଉଛନ୍ତି, ତେବେ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୪୬ରେ ଜଣାନ୍ତୁ, ସେମାନଙ୍କୁ ଆଇନ  ଉଲଂଘନ କରିବା ନିମନ୍ତେ ଦଣ୍ଡ ବିଧାନ କରାଯିବ । ଯାହାଦ୍ୱାରା  ଆମ ପୁଅ ଓ ଝିଅର ଅନୁପାତ ହାର ବଢ଼ିପାରିବ ଓ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ  ବୋଲି କହିଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜର ଲିଗାଲ ଆଫେୟାର୍ସ ସ୍ବସ୍ତି ମହାନ୍ତି ଜଗତସିଂହପୁର ଜିଲ୍ଲାର ସେକ୍ସ ଅନୁପାତ ବ୍ଲକ ଅନୁସାରେ କାହାର କେତେ ଅଛି ସେ ବିଷୟରେ ଜଣାଇଥିଲେ ଓ ଜ଼ିଲ୍ଲା ତରଫରୁ କଣ ସବୁ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜଣାଇଥିଲେ ଓ ପଞ୍ଚାୟତର ସବୁ ଅନିଷ୍ଠାନିକ କାର୍ଯ୍ୟକ୍ରମରେ ଏହି ବିଷୟରେ ସଚେତନ କରିବାକୁ ଅନୁରୋଧ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ, ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *