କଟକ,୧୫/୧୨/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)-ଗତକାଲି ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏକ ବ୍ରେକ୍ ଡ଼ାଉନ୍ ମୋ ବସ ନମ୍ବର ଓଡ଼ି ୩୩ ୟୁ ୭୧୧୧ କଟକ ଖପୁରିଆ ପ୍ରେସ ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ହଠାତ୍ କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ବସ ଟିରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ବସ ଟି ହୁତୁ ହୁତୂ ହୋଇ ଜଳିବାକୁ ଆରମ୍ଭ କରିଥିଲା । ଏହା ପରେ ୧୧୨ ଠାରୁ ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା । ସୌଭାଗ୍ୟ ବଶତଃ ବସ ଟି ରେ କୌଣସି ଯାତ୍ରୀ ନ ଥିବା ବେଳେ ଏହା ଦ୍ବାରା କେହି ମୃତ କିମ୍ବା ଆହାତ ମଧ୍ୟ ହୋଇ ନାହାନ୍ତି । ତେବେ ଖବର ପାଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ପରିଚାଳନା ନିର୍ଦ୍ଧେଶକ ଡ଼କ୍ଟର ଏନ୍ ଥିରୁମାଲା ନାୟକ, ଜେନେରାଲ ମ୍ୟାନେଜର ଅପରେସନ୍ ଆଣ୍ଡ ମେଂଟେନାନ୍ସ ସଂଜୟ ବିଶ୍ୱାଳଙ୍କ ସମେତ ପରିବହନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳ ରେ ପହଂଚିଥିଲେ । ଏହି ଘଟଣାର ତଦନ୍ତ ପାଇଁ ପରିବହନ ବିଭାଗ ଡ଼େପୁଟି କମିଶନର ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ଏମଭିଆଇ, କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ର ମ୍ୟାନେଜର ଅପରେସନ୍ , ଡ଼ିପୋ ମ୍ୟାନେଜର ଓ ବସ୍ ଅପରେଟର ରହିଛନ୍ତି । ଏହାଛଡ଼ା ଅଧିକ ତଦନ୍ତ ପାଇଁ ଏକ ବୈଷୟିକ ଟିମ୍ ନିଯୁକ୍ତ କରାଯାଇଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି ।