ରାଜ୍ୟ ଯୁବ ବିଜ୍ଞାନ ମେଳା ଅନୁଷ୍ଠିତ

୨୦ଟି ଜିଲ୍ଲାର ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଭୁବନେଶ୍ୱର,୧୪/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଉଦ୍ଦେଶ୍ୟରେ ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ରାଜ୍ୟ ଯୁବ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ବରିଷ୍ଠ ବିଭାଗରେ ୩୯ଟି ଏବଂ ବିଦ୍ୟାଳୟ ସ୍ତରୀୟ କନିଷ୍ଠ ବିଭାଗରେ ୧୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି । ରାଜ୍ୟର ୨୦ଟି ଜିଲ୍ଲାର ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ନିଜର ଗବେଷଣାତ୍ମକ ପ୍ରକଳ୍ପ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ସଠିକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଦିକ ଯୁଗରେ ମଧ୍ୟ ଅନିସନ୍ଧିତ୍ସୁ ମଣିଷ ଅନେକ ଉନ୍ନତ ମାନର ସାମଗ୍ରୀ ବ୍ୟବହାର କରିବାର ନଜିର ରହିଛି ଏବଂ ତାହା କେବଳ ଜାଣିବାର ଇଛାରୁ ସୃଷ୍ଟି ହୋଇଛି ବୋଲି ଶ୍ରୀ ପାତ୍ର କହିଥିଲେ । ଆଜିର ଯୁବପିଢ଼ି ନୂତନ ଗବେଷଣା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ ।

ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ବିଜ୍ଞାନର ଅଭିବୃଦ୍ଧି ସହ ପ୍ରକୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ନିଜ ମନକୁ ନିୟନ୍ତ୍ରଣ କରିପାରିଲେ ସବୁକିଛି ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଉଭୟ ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ବରିଷ୍ଠ ବିଭାଗରେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ଶ୍ରୀ ଶୁଭାଶିଷ ପୃଷ୍ଟି ପ୍ରଥମ, ଓୟୁଟିଆରର ରକ୍ଷିତ କୁମାର ମହାନ୍ତି ଦିତ୍ୱୀୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ସିଦ୍ଧି ମୋହନ ପଟ୍ଟନାୟକ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ସେହିଭଳି କନିଷ୍ଠ ବିଭାଗରେ ରାୟଗଡାର ରମଣଗୁଡା ଓଡିଶା ଆଦର୍ଶ ବିଦ୍ୟାଳୟର ଆୟୁଷ୍ମାନ ଚୌଧୁରୀ ପ୍ରଥମ, ମୟୁରଭଞ୍ଜ ରାଣୀଭୋଳ ଓଡିଶା ଆଦର୍ଶ ବିଦ୍ୟାଳୟର ଜ୍ୟୋତି ରଞ୍ଜନ ବାରିକ ଦ୍ଵିତୀୟ ଓ ପୋଖରୀପୁଟ ଡ଼ିଏଭି ପବ୍ଲିକ ସ୍କୁଲର ଶ୍ରେୟାନ ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଏହି ଅବସରରେ ବିଚାରକ ମଣ୍ଡଳୀରେ ସାମିଲ ହୋଇଥିବା ବିଶିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡିଶା ବିଜ୍ଞାନ ଏକାଡେମୀ ସଭାପତି ପ୍ରଫେସର ବିଭୁତି ଭୂଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ଅଧିକାରୀ, ଓଡିଶା ବିଜ୍ଞାନ ଏକାଡେମୀ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *