କଂସାର- ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ଉଦଘାଟିତ

କେନ୍ଦ୍ରାପଡ଼ା,୧୪/୧୨/୨୦୨୪ (ଓଡ଼ିଶା ସମାଚାର)- ଗ୍ରାମ ପରିବେଶ ସହିତ ବିଦ୍ୟାଳୟର ପରିବେଶ ଶିକ୍ଷାଦାନ ଉପରେ ପ୍ରଭାବ ପକାଇଥାଏ । ଗାଁ ଗଣ୍ଡାରେ ମଦର ପ୍ରସାର ଶିକ୍ଷା ବ୍ୟବସ୍ଥା ଏବଂ ଉତରପିଢିଙ୍କି ପଙ୍ଗୁ କରିଦେବ । ସ୍ୱାଧୀନତା ଆନ୍ଦୋଳନ ପରି ମଦ ବିରୋଧୀ ଆନ୍ଦୋଳନ ହେବା ଆବଶ୍ୟକ । ସମସ୍ୟାର ସମାଧାନ ଯିଏ କରେ ସିଏ ନେତା । ଶିକ୍ଷକ, ଡାକ୍ତର, ଅଧିବକ୍ତା ଏହି କାମ କରି ନେତା ପଦବାଚ୍ୟ ହୋଇପାରିବେ ବୋଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର-ସାହାସପୁର ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ତାଙ୍କ ଅଭିଭାଷଣରେ କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ହୀରକ ଜୟନ୍ତୀ ସଭାପତି ଫକୀର ଚରଣ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସନ୍ଧ୍ୟାରେ ଶ୍ରୀ ଜେନା ଆହୁରି କହିଲେ ଯେ ବିଧାୟକ ସାଂସଦ ହେବା ସହଜ କିନ୍ତୁ ଜଣେ ନେତା ହେବା କଷ୍ଟ । ଯିଏ ୨୪ଘଂଟା ଅନ୍ୟ ପାଇଁ ମରେ ସିଏ ନେତା । ପାଠପଢି ଚାକିରୀ ପଛରେ ନଗୋଡାଇ ଅନ୍ୟକୁ ରୋଜଗାର ଦେବା ନିମନ୍ତେ ପ୍ରୟାସ କରିବା ଉଚିତ । ଏଥିପାଇଁ ବିଦ୍ୟାଳୟରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବା ଆବଶ୍ୟକ । ଶ୍ରୀ ଜେନା ଭୀମଭୋଇଙ୍କ କବିତା “ପ୍ରାଣିର ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ” ଉଦ୍ଧାର କରି ଆଜିର କବି ଓ ସାହିତ୍ୟିକମାନେ ଏପରି ଲେଖିବାକୁ ଆହ୍ୱାନ ଦେଇଥିଲେ । ଏହି ଉକ୍ତିକୁ ବିଦ୍ୟାଳୟରେ ଲେଖିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ କୂଳପତି ଡ. ହରେକୃଷ୍ଣ ଶତପଥୀ ମୁଖୟବକ୍ତା ଭାବେ ଶିକ୍ଷକ ଛାତ୍ର ସମ୍ପର୍କ ଏବଂ ଶିକ୍ଷାୟତନ ଉପରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ଡ. ସିପ୍ରା ମଲ୍ଲିକ, ନାଟ୍ୟକାର ଡ. ବିଜୟ କୁମାର ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଗଗନବିହାରୀ ମନ୍ତ୍ରୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କବୟିତ୍ରୀ ବିଣାପାଣୀ ଚୌଧୁରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ହୀରକ ଜୟନ୍ତୀ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ନିମାଇଁ ଚରଣ ସେଠୀଙ୍କ ସ୍ୱରଚିତ କବିତା ପାଠ ସଭାସ୍ଥଳକୁ ଆମୋଦିତ କରିଥିଲା । ପ୍ରାକ୍ତନ ପ୍ରଧାନ ଶିକ୍ଷକ ମୂରଲୀଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଶହ ଶହ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟବ୍ୟକ୍ତି ଯୋଗଦେଇଥିଲେ । ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *